ଟଙ୍କା କେଉଁଠୁ ଆସିବ, କେମିତି ଆସିବ?

ମାଳ ମାଳ ବିଶ୍ବସ୍ତରୀୟ ପ୍ରକଳ୍ପ ଯୋଜନାର ସ୍ବପ୍ନ ଦେଖୁଛନ୍ତି

ଅର୍ଥନୀତି ଉପରେ ଚୋଟ ମାରିଚାଲିଛି କେନ୍ଦ୍ର, ସମସ୍ତେ ଚୁପ୍‌
ସମ୍ବଳ ବୃଦ୍ଧି ରାସ୍ତା କାଢ଼ିବାକୁ କମିସନ ବସାଇବାକୁ କୁନ୍ଥକୁନ୍ଥ

ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ): ଓଡ଼ିଶା ସରକାରଙ୍କର ଆର୍ଥିକ ପରିଚାଳନାକୁ ପଞ୍ଚଦଶ ଅର୍ଥ କମିସନ ପ୍ରଶଂସା କରିଛନ୍ତି ସତ, କିନ୍ତୁ ରାଜସ୍ବ ସଂଗ୍ରହ କ୍ଷେତ୍ରରେ‌ ଥିବା ଦୋଷଦୁର୍ବଳତାକୁ ଧରିଛନ୍ତି। ଓଡ଼ିଶା ଏକ ରାଜସ୍ବ ବଳକା ରାଜ୍ୟ ‌ହୋଇଥିବା ପରିପ୍ରେକ୍ଷୀରେ ସାମାଜିକ ‌‌‌‌କ୍ଷେତ୍ର‌ରେ ବ୍ୟୟବରାଦ ଆହୁରି ବଢିବା ଦରକାର। ରାଜ୍ୟର ନିଜ ଟିକସ ରାଜସ୍ବ ଏବଂ ନିଜ ରାଜସ୍ବ ସମ୍ବଳକୁ ବଢ଼ାଇବା ଦିଗରେ ମଧ୍ୟ ସରକାର ଯତ୍ନବାନ ହେବା ଆବଶ୍ୟକ। କମିସନଙ୍କ ଏଭଳି ମତାମତ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇବା ସ୍ବାଭାବିକ। ବିଶେଷ କରି କେନ୍ଦ୍ର ସରକାରଙ୍କ ସେସ୍ ରାଜନୀତି, କ୍ରମାଗତ ଭାବେ କେନ୍ଦ୍ରୀୟ ଅନୁଦାନରେ ହ୍ରାସ ଏବଂ ସର୍ବୋପରି ଅର୍ଥ କମିସନଙ୍କ ଅର୍ଥରେ ଅନାବଦ୍ଧ ପାଣ୍ଠିର ପରିମାଣ କମି କମି ଯାଉଥିବାରୁ ରାଜ୍ୟରେ ଆର୍ଥିକ ବ୍ୟବସ୍ଥା ବିଗିଡ଼ିଯାଇପାରେ। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଯେଉଁ ମାଳ ମାଳ ବିଶ୍ବସ୍ତରୀୟ ପ୍ରକଳ୍ପ ଯୋଜନାର ସ୍ବପ୍ନ ଦେଖୁଛନ୍ତି ସେଥିପାଇଁ ଟଙ୍କା କେଉଁଠୁ ଆସିବ? କିଏ ସେ ରାସ୍ତା ଦେଖାଇବ??

ଏଭଳି ପ୍ରଶ୍ନକୁ ନେଇ ଅର୍ଥନୀତି ବିଶାରଦମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହେଲାଣି। ସେମାନଙ୍କ ମତରେ କମିସନ ରାଜ୍ୟର ସମ୍ବଳ ବୃଦ୍ଧି ନେଇ ଯେଉଁ ସୁପାରିସ କରିଛନ୍ତି, ତାହା ଆଦୌ ଅମୂଳକ ନୁହେଁ। ବରଂ ବର୍ତ୍ତମାନ ସମୟରେ ସରକାରଙ୍କ ପାଇଁ ଏହା ବଡ଼ ଆବଶ୍ୟକତା। ରାଜ୍ୟର ଜିଡିପି (ଜିଏସ୍‌ଡିପି)ରେ ଟିକସର ଆନୁପାତିକ ହାର ଅନ୍ୟ ସମତୁଲ ରାଜ୍ୟ ତୁଳନାରେ ଓଡ଼ିଶାର କମ୍ ଥିବା ପରିପ୍ରେକ୍ଷୀରେ ସରକାର ଏବେ ଏ ଦିଗକୁ ଆଉ ଥରେ ସମୀକ୍ଷା କରିବା ଅପରିହାର୍ଯ୍ୟ। ସମାନ୍ତରାଳ ଭାବେ କେଉଁ ସୂତ୍ରରୁ ଅଧିକ ସମ୍ବଳ ସଂଗ୍ରହ ହୋଇପାରିବ, ଯାହା ଦ୍ବାରା ରାଜ୍ୟ ଅର୍ଥନୀତି ଚାପଗ୍ରସ୍ତ ହେବ ନାହିଁ, ତାହା ଉପରେ ବି କସରତ ଆରମ୍ଭ ହେବା ଉଚିତ୍। ରାଜ୍ୟ ଅର୍ଥନୀତିକୁ ସୁସ୍ଥ ରଖିବା ଲାଗି ସରକାର ନିଜସ୍ତରରେ ଆଖିବୁଜା ନିଷ୍ପତ୍ତି ନ ନେଇ ବା ଆଇଏଏସ୍ ଅଫିସରଙ୍କୁ ଦାୟିତ୍ବ ନ ଦେଇ ସ୍ବତନ୍ତ୍ର କମିସନ ଗଠନ କରିବାର ବେଳ ଆସିଛି। ଏହି କମିସନ ଅନାସକ୍ତ ଭାବେ ବିଭିନ୍ନ ବିଭାଗର ସମୀକ୍ଷା କରିବେ ଏବଂ କେଉଁ କେଉଁ କ୍ଷେତ୍ରରେ ସମ୍ବଳ ବୃଦ୍ଧିର ସୁଯୋଗ ରହିଛି, ଟିକସ ରାସ୍ତାରେ େକଉଁ ବିଭାଗ ବା ବ୍ୟବସ୍ଥା କଣ୍ଟା ସାଜିଛି ସେ ସଂକ୍ରାନ୍ତରେ ସରକାରଙ୍କୁ ରିପୋର୍ଟ ଦେବେ। ଏଥିରେ ନିରପେକ୍ଷତା ରହିବ; ଯାହା ଟିକସ ବୃଦ୍ଧି ଭଳି କଠୋର ନିଷ୍ପତ୍ତି ବେେଳ ସରକାରଙ୍କୁ ରାଜନୈତିକ ଚାପରୁ ମୁକ୍ତି ଦେଇପାରେ।

Financial Express

ପଞ୍ଚଦଶ ଅର୍ଥ କମିସନଙ୍କ ହିସାବ ଅନୁସାରେ, ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର ରାଜସ୍ବ ସମ୍ବଳରେ ନିଜସ୍ବ ଟିକସ ରାଜସ୍ବ ଅଂଶ ୬୮% ରହିଛି। କିନ୍ତୁ ଓଡ଼ିଶା ବର୍ଗରେ ଯେତେ ରାଜ୍ୟ ଅଛନ୍ତି, ସେମାନଙ୍କର ଏହି ହାର ପାଖାପାଖି ୧୦ ପ୍ରତିଶତ ଅଧିକ ଅର୍ଥାତ୍ ୭୭.୮% ରହିଛି। ଅର୍ଥନୀତି ସମୀକ୍ଷକ କହୁଛନ୍ତି ଯେ ରାଜ୍ୟ ସରକାର ପ୍ରଥମେ ଦେଖିବା ଦରକାର ଯେ ବାସ୍ତବରେ କର୍ଣ୍ଣାଟକ, କେରଳ, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ଭଳି ରାଜ୍ୟ କେଉଁ କେଉଁ କ୍ଷେତ୍ରରେ କେତେ ପ୍ରତିଶତ ଟିକସ ନେଉଛନ୍ତି? ଏସବୁ ତୁଳନାରେ ଓଡ଼ିଶାର ଟିକସ ହାର କମ୍ ନା ଅଧିକ ରହିଛି? ଏହାଠାରୁ ଆହୁରି ସଙ୍ଗିନ୍ ପ୍ରସଙ୍ଗ ହେଲା, ରାଜ୍ୟର ଟିକସ ହାର ବାସ୍ତବରେ କମ ରହିଛି ନା ହେରାଫେରିରେ ରାଜସ୍ବ ହ୍ରାସ ଘଟୁଛି। କେଉଁ କେଉଁ କ୍ଷେତ୍ରରେ ଦୁର୍ନୀତି ହେଉଛି, ଅଥଚ ତାହା ଟିକସ ପରିସର ବାହାରେ ରହିଛି।

କିଛି ବରିଷ୍ଠ ଅର୍ଥନୀତି ବିଶାରଦଙ୍କର ମତରେ ଓଡ଼ିଶା ପାଇଁ ଏବେ ସବୁଠାରୁ ଚ୍ୟାଲେଞ୍ଜର ସମୟ ଆସୁଛି। ସରକାର ଭୋଟ ବ୍ୟାଙ୍କ ରାଜନୀତି ପାଇଁ ଗୋଟିଏ ପଟେ ନିଜସ୍ବ ଯୋଜନା ଅଧିକରୁ ଅଧିକ ଆଣିବା ଲାଗି ଚାହୁଁଛନ୍ତି। ଦ୍ବିତୀୟତଃ ସରକାରଙ୍କ ମୁହଁରୁ ଏବେ ଯେତେ ପ୍ରକଳ୍ପ ବାହାରୁଛି, ସେସବୁ ବିଶ୍ବସ୍ତରୀୟ ହେବ ବୋଲି କୁହାଯାଉଛି। ହେଲେ ଏହା ପଛରେ ଏକ ବିଶାଳ ବଜେଟ୍‌ର ଆବଶ୍ୟକତା ରହିଛି। କେଉଁଠି ନା କେଉଁଠି ଏକଥା ଧରାପଡ଼ିଯାଉଛି ଯେ ରାଜ୍ୟ ସରକାରଙ୍କ ବିଶାଳ ଯୋଜନା ଏବଂ ଯୋଜନା ଓ ସଂଯୋଜନ ଓ ଅର୍ଥ ବିଭାଗର କାର୍ଯ୍ୟ ଶୈଳୀ ମଧ୍ୟରେ ଯୋଜନ ଯୋଜନ ଦୂରତା ରହିଛି। ଅନ୍ୟଥା ସରକାର ପ୍ରଥମେ ବଡ଼ ପୁଞ୍ଜି ସଂଗ୍ରହ ପାଇଁ ବାଟ ଖୋଲି ପରେ ଆଖିବୁଜା ଯୋଜନା ଘୋଷଣା କରନ୍ତେ।

ଅର୍ଥନୀତିଜ୍ଞମାନଙ୍କର ଯୁକ୍ତି ହେଉଛି ଯେ ଓଡ଼ିଶାର ୬୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି। ହେଲେ ଜିଏସ୍‌ଡିପିକୁ କୃଷିର ଅବଦାନ ସେହି ଅନୁପାତରେ ନାହିଁ। ଓଡ଼ିଶାର ସବୁଠାରୁ ଅଧିକ ଉତ୍ପାଦିତ ଶସ୍ୟ କହିଲେ ଧାନକୁ ବୁଝାଉଛି। କିନ୍ତୁ ଧାନ ଏବେ ଏକ ବଳକା ଫସଲ। ପୁଣି ସରକାର ଅଧାରୁ ଅଧିକ ଲୋକଙ୍କୁ ଟଙ୍କିକିଆ ଚାଉଳ ମାଗଣାରେ ଦେଉଛନ୍ତି। ଏହା ଅର୍ଥନୀତିର ପରିପନ୍ଥୀ। ଏବେ ସମୟ ଆସିଛି, ଯଦି ସରକାର ଲୋକଙ୍କ ହାତକୁ ଅଧିକ ଟଙ୍କା ଯିବା ପାଇଁ ରାସ୍ତା ଖୋଲିବେ ଓ ସେମାନଙ୍କର କ୍ରୟ ଶକ୍ତି ବଢ଼ିବ, ତେବେ ଅର୍ଥନୀତି କ୍ରିୟାଶୀଳ ହେବ ଓ ରାଜସ୍ବ ପରିମାଣ ବି ବଢ଼ିବ। ଏଥିପାଇଁ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ଶିଳ୍ପାୟନ ଏବଂ କୃଷିର ଆଧୁନିକୀକରଣ ଓ ବଜାର ପ୍ରାଥମିକତା ପାଇବା ଦରକାର। ହେଲେ ଓଡ଼ିଶାର କେଉଁ ଜିଲ୍ଲା ଓ କେଉଁ ବ୍ଲକର ସ୍ଥିତି କଣ, ତାହା ଶିଳ୍ପ ପାଇଁ ଅନୁକୂଳ କି ଚାଷ ଲାଗି, ଏକଥା କିଭଳି ନିର୍ଣ୍ଣୟ ହେବ?

Pinterest

ଆଞ୍ଚଳିକ ବୈଷମ୍ୟ ସ୍ଥିତି ଅନୁଧ୍ୟାନ କରିବା ଲାଗି ଗୋଟିଏ ସମୟରେ ଗଠନ ହୋଇଥିବା କମିସନ ରିପୋର୍ଟ ଏଯାଏ ସାମ୍ନାକୁ ଆସିପାରିଲା ନାହିଁ। ଆହୁରି ମଜାଦାର କଥା ହେଲା, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଅର୍ଥନୀତି ସମ୍ପର୍କରେ ମାର୍ଗଦର୍ଶନ କରିବା ପାଇଁ ଗୋଟିଏ ସ୍ବତନ୍ତ୍ର ସଂସ୍ଥାକୁ ଦାୟିତ୍ବ ଦେଲେ। ଏହି ସଂସ୍ଥା କି ପଦକ୍ଷେପ ନେଲା, ସେ ନେଇ ସମସ୍ତେ ଅନ୍ଧାରରେ ଅଛନ୍ତି।

ଆଉ ପାଦେ ଆଗକୁ ଯାଇ ତତ୍କାଳୀନ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏକ କମିଟି ଗଠନ କଲେ। କୋଭିଡ-୧୯ ଜନିତ ସାମ୍ନା କରିବାକୁ ଥିବା ଯେ କୌଣସି ସମସ୍ୟାର ସମାଧାନ ରାସ୍ତା କାଢିବା ଏହି କମିଟି ଗଠନ ପଛର ଉଦ୍ଦେଶ୍ୟ ଥିଲା। ଅର୍ଥସଚିବ ଅଶୋକ କୁମାର ମୀନାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା ଓ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, କ୍ରୀଡା ସଚିବ ତଥା ମୁଖ୍ୟସଚିବଙ୍କ କୋଭିଡ୍ ପାଇଁ ନିଯୁକ୍ତି ପାଇଥିବା ଓଏସ୍‌ଡି ବିଶାଳ ଦେବ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ସଚିବ ମନୋଜ ମିଶ୍ର, ପୂର୍ବତନ ଓଏମ୍‌ସି ପରିଚାଳନା ନିର୍ଦେଶକ ତଥା ବର୍ତମାନର ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଆର ଭିନିଲ କ୍ରିଷ୍ଣା ସଦସ୍ୟ ରହିଲେ। ମୁଖ୍ୟସଚିବ ସେବେ କହିଥିଲେ ଯେ କମିଟି ଚାହିଁଲେ ସରକାରୀ ଓ ବେସରକାରୀ ସ୍ତରରେ ଯେ କୌଣସି ସଦସ୍ୟଙ୍କୁ ଏହି କମିଟିରେ ରଖିପାରିବେ। କୌଣସି ବିଭାଗ ସଂପର୍କିତ ପରାମର୍ଶଦାତା ସଂସ୍ଥାକୁ ମଧ୍ୟ ସ୍ଥାନ ଦିଆଯାଇପାରେ। ହେଲେ ଏହି କମିଟି କି କାର୍ଯ୍ୟ କଲା, କେତେଥର ବସିଲେଣି, ଏ ତଥ୍ୟ କାହାକୁ ମାଲୁମ୍ ନାହିଁ।

ଏବେ ସରକାରଙ୍କ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ ହେଉଛି, ପଞ୍ଚଦଶ ଅର୍ଥ କମିସନ ଯେଉଁ ୨୦% ପଛୁଆ ବ୍ଲକ କଥା କହିଛନ୍ତି, ତାହା କେଉଁ ଆଧାରରେ ଚିହ୍ନଟ କରାଯିବ? କେଉଁ ମାପକାଠିରେ ସରକାର ମାପିବେ? ୨୦ ପ୍ରତିଶତ ପଞ୍ଚାୟତ ଚିହ୍ନଟ କରାଯାଇ ତାର ବିକାଶ କରାଯିବା ଦରକାର ବୋଲି ଅର୍ଥନୀତିଜ୍ଞ ମତ ରଖୁଛନ୍ତି। ହେଲେ ଏହି ପଞ୍ଚାୟତ କିଏ ଓ କିଭଳି ଚିହ୍ନଟ କରିବ?

ଉଲ୍ଲେଖଯୋଗ୍ୟ ଯେ ଖାସ୍ ଏଇଥିପାଇଁ ଯୋଜନା ବୋର୍ଡ ପୁନର୍ଗଠନ କଥା କୁହାଯାଇଥିଲା। ରାଜନେତାଙ୍କୁ ନୁହେଁ, ବରଂ କେରଳ ଶୈଳୀରେ ସବୁ ବର୍ଗର ବିଶେଷଜ୍ଞଙ୍କୁ ନେଇ ଉଭୟ ଯୋଜନା ଓ ସମ୍ବଳ ଢାଞ୍ଚାରେ ପରିବର୍ତ୍ତନ କଥା ଅର୍ଥନୀତିଜ୍ଞ ପ୍ରସ୍ତାବ ଦେଇଥିଲେ। ସରକାର କିନ୍ତୁ ଅର୍ଥନୀତିର ଆବଶ୍ୟକତା ଅପେକ୍ଷା ରାଜନୈତିକ ଚାପରେ ସମ୍ଭବତଃ ଏତେ ଚପିଗଲେ ଯେ ସବୁ ନିଷ୍ପତ୍ତି ଓଲଟପାଲଟ ହୋଇଗଲା। ଏବେ ତ ହେଜନ୍ତୁ।

ସମ୍ବନ୍ଧିତ ଖବର