ନରସିଂହପୁରରେ ଚୋର, ଲୁଟେରାଙ୍କ ଆତଙ୍କ: ଟର୍ଚ୍ଚ, ଲାଠି ଧରି ଗାଁ ଜଗୁଛନ୍ତି ଲୋକ

ପୁଲିସ ପାଟ୍ରୋଲିଂରେ ୮ବାଇକ୍‌, ୨ ଚାରିଚକିଆ ଗାଡ଼ି; ସଚେତନ ନାଗରିକ କମିଟି ଗଠିତ

କଟକ/ନରସିଂହପୁର: ୧୦/୧୫ଦିନ ହେଲା ନରସିଂହପୁର ଥାନା ଅଞ୍ଚଳର ବାଲିଝରୀ, କମଳାଦେଇପୁର ଛକ, ନୁଖାପଡା, ନିଜିଗଡ ଭଳି ଅନେକ ଗାଁରେ ଆତଙ୍କ ଚଳାଇଛନ୍ତି ଲୁଟେରା। ଏବେ ଏମିତି ସ୍ଥିତି ଯେ, ପୁଲିସ ଉପରୁ ଭରସା ତୁଟାଇ ଏବେ ନିଜ ଗାଁ ସୁରକ୍ଷା ନିଜେ ହାତକୁ ନେଇଛନ୍ତି ଗ୍ରାମବାସୀ। ହାତରେ ଲାଠି, ଟର୍ଚ୍ଚ ଲାଇଟ୍‌ ଧରି ଗାଁ ଜଗୁଛନ୍ତି ଲୋକ। ଗତକାଲି ପୁଲିସ ଗାଁ ମୁରବୀମାନଙ୍କୁ ନେଇ ବୈଠକ କରିଥିଲା। ଲୋକଙ୍କ ଭିତରେ ବିଶ୍ବାସ ବୃଦ୍ଧି କରିବାକୁ ଉଦ୍ୟମ କରିଥିଲା। ଏବେ ସଶସ୍ତ୍ର ପୁଲିସ ରାତିରେ ବାଇକ୍‌ରେ ଗାଁ ଗାଁ ପଇଁତରା ମାରୁଛନ୍ତି। ତିନୋଟି ଥାନାର ଅଧିକାରୀ, ଏସ୍‌ଡିପିଓ ଅଞ୍ଚଳରେ ଡେରା ପକାଇଛନ୍ତି। ପୁଲିସ କହିବା ଅନୁଯାୟୀ ୫/୬ଜଣିଆ ଗ୍ୟାଙ୍ଗ ଏଭଳି କାଣ୍ଡ କରୁଛି। ଏଥିରେ ସ୍ଥାନୀୟ ଦୁର୍ବୃତ୍ତ ରହିଥିବା କୁହାଯାଉଥିବାବେଳେ ରାଜ୍ୟ ବାହାର ଲୁଟେରା ଗ୍ୟାଙ୍ଗର ସଂପୃକ୍ତିକୁ ଏଡାଇ ହେଉ ନାହିଁ। ଚୋରି, ଲୁଟ୍ ବଢୁଥିବାରୁ ପୁଲିସ ବିଭାଗ ପକ୍ଷରୁ ପ୍ରତ୍ୟେକ ଗାଁର ଯୁବକମାନଙ୍କୁ ନେଇ ସଚେତନ ନାଗରିକ କମିଟି ଗଠନ କରାଯାଇଛି। ଚାରିଆଡେ ପଇଁତରା ମାରୁଛି ଫୋର୍ସ।

ଗତ ମାସରେ କାନପୁର ଥାନା ଅଞ୍ଚଳର ବାଲିଝରୀ ଗ୍ରାମରୁ ଘରୋଇ ଅର୍ଥ ଲଗାଣକାରୀ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ୭୦ ହଜାର ଟଙ୍କା, ଗୋଡିବନ୍ଧ କାନାରା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା, ନରସିଂହପୁର ଥାନା କମଳାଦେଇପୁର ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ପରିଚାଳକଙ୍କ ଠାରୁ ଲକ୍ଷାଧିକ ଟଙ୍କା, ନୁଖାପଡା ଗ୍ରାମର ଗୋଟିଏ ରାତିରେ ଏକସଙ୍ଗେ ତିନିଜଣଙ୍କ ଘରୁ ୨ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଓ ଲକ୍ଷାଧିକ ଟଙ୍କା, କୋକଳବା ଓ ପୁରୁଷୋତ୍ତମପୁର ଗ୍ରାମରୁ ସୁନା ଗହଣା ସହିତ ନଗଦ ୫୦ ହଜାର ଟଙ୍କା, ହରିଚନ୍ଦନପୁର ଶାସନରୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା, ନଗଦ ୫ ହଜାର ଟଙ୍କା, ଆଇଁଷିଆ ଗ୍ରାମରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଆଉ ଚୋରି ହୋଇଛି। ଏଭଳି ଘଟଣାରେ ପୁଲିସ ଆଖିରୁ ନିଦ ହଜି ଯାଇଛି। ନରସିଂହପୁର ଅଂଚଳରେ ଚୋରି ଘଟଣାକୁ ନେଇ ୬ଟି ମାମଲା ରୁଜୁ ହୋଇଥିବା ପୁଲିସ କହୁଥିବାବେଳେ ଏହାର ସଂଖ୍ୟା ଅଧିକ ହେବ ଏବଂ ଅନେକ ସ୍ଥାନରେ ଚୋରି ଉଦ୍ୟମ ବି ହୋଇଥିବା ଜଣା ପଡିଛି।

ଏଭଳି ଘଟଣା ପାଇଁ ଗତକାଲି ନରସିଂହପୁର ଥାନା ପରିସରରେ ଅନୁଷ୍ଠିତ ବୈଠକରେ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ପି. କେ. ଜେନାଙ୍କ ସମେତ ଆଠଗଡ଼ ଏସଡ଼ିପିଓ ଆଲୋକ କୁମାର ରାୟ, ବଡମ୍ବା ଥାନା ଅଧିକାରୀ ପ୍ରଭାତ କୁମାର ମଲ୍ଲିକ, ନରସିଂହପୁର ଥାନା ଅଧିକାରୀ ବିମଳ କୁମାର ବାରିକ ଓ କାନପୁର ଥାନା ଅଧିକାରୀ ସସ୍ମିତା ରଣାଙ୍କ ସମେତ ନରସିଂହପୁର ଅଞ୍ଚଳର ସମସ୍ତ ସାହି ମୁରବି ଅଞ୍ଚଳର ବୁଦ୍ଧିଜୀବୀ ଓ ଯୁବକ ମାନେ ଯୋଗ ଦେଇଥିଲେ। ଏହି ଘଟଣାରେ ପୁଲିସକୁ ସହଯୋଗ କରିବା ପାଇଁ ଏକ ସଚେତନ ନାଗରିକ କମିଟି ଗଠନ କରାଯାଇଛି। ତିନୋଟି ଥାନାର ସହଯୋଗ ସହିତ ପୁଲିସ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି। ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରାଯିବା ସହ ସାଧାରଣ ଲୋକେ ପୁଲିସକୁ ସହଯୋଗ କରିବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି। ଦୁଇଟି ଥାନା ଗାଡି ସହିତ ୮ଟି ବାଇକ୍‌ ଟିମ ଅଞ୍ଚଳ ବୁଲୁଛନ୍ତି। ବିଳମ୍ବିତ ରାତିରେ ବୁଲୁଥିବା ଲୋକଙ୍କୁ ଥାନାକୁ ଆଣି ଅଟକ ରଖାଯିବା ପାଇଁ କୁହାଯାଇଛି ବୋଲି ଥାନା ଅଧିକାରୀ ବିମଳ ବାରିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର