ବାଲେଶ୍ବର: ଶୁକ୍ରବାର ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ତହସିଲ୍ଦାର ଅଭିମନ୍ୟୁ ପଣ୍ଡା (୫୫)ଙ୍କୁ ଗିରଫ କରିଛି ଭିଜିଲାନ୍ସ। ଯାଞ୍ଚ ବେଳେ ତାଙ୍କଠାରୁ ନଗଦ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ କରାଯାଇଛି। ଏତେ ଟଙ୍କା କେଉଁଠୁ ଆଣୁଥିଲେ, ସେ ସଂପର୍କରେ କିଛି କହିପାରିନଥିଲେ ତହସିଲଦାର ଶ୍ରୀ ପଣ୍ଡା। ବେଆଇନ୍ ଅର୍ଥ ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବାବେଳେ ବାଲେଶ୍ବର ଜିଲ୍ଲା ମଲ୍ଲିକାଶପୁରସ୍ଥିତ ବାସଭବନରେ ଚଢ଼ଉ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭିଜିଲାନ୍ସର ସୂଚନା ମୁତାବକ, ଲାଞ୍ଚ କାରବାର ନେଇ ତହସିଲଦାର ଶ୍ରୀ ପଣ୍ଡାଙ୍କ ନାଁରେ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ବାଲେଶ୍ବର ଭିଜିଲାନ୍ସ ଏସ୍ପି ସନ୍ତୋଷ କୁମାର ମିଶ୍ର ଏହାକୁ ଗୁରୁତ୍ବର ସହ ନେଇ ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଜଣେ ବ୍ୟକ୍ତିଙ୍କଠାରୁ ଶ୍ରୀ ପଣ୍ଡା ୫ ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଜାଣିବା ପରେ ଏସ୍ପି ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଡିଏସ୍ପି ଏସ୍କେ ସାମନ୍ତରାୟ, ଇନ୍ସପେକ୍ଟର ସୁଶୀଲ ଏକ୍କା, ଦୁଷ୍ମନ୍ତ ନାୟକ, ଜୟନ୍ତୀ ଦଳେଇଙ୍କ ନେତୃତ୍ବରେ ଏକ ଟିମ୍ ତାଙ୍କ ଉପରେ ନଜର ରଖିଥିଲେ।
ଅପରାହ୍ନ ସମୟରେ ଶ୍ରୀ ପଣ୍ଡା ସରକାରୀ ଗାଡ଼ିରେ ବାଲେଶ୍ବରସ୍ଥିତ ଘରକୁ ଫେରୁଥିବା ବେଳେ ନହରପାଟଣା ନିକଟରେ ପଛରୁ ପିଛା କରୁଥିବା ଭିଜିଲାନ୍ସ ଟିମ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ତାଙ୍କ ନିକଟରୁ ୨ ଲକ୍ଷ ୫୬ ହଜାର ଟଙ୍କା ଜବତ ହୋଇଥିଲା। ତେବେ ଏତେ ଟଙ୍କା ସେ କେଉଁଠୁ ଆଣିଲେ, କାହାଠୁ ଆଣିଲେ ତାର କିଛି ହିସାବ ଦେଇ ପାରିନଥିଲେ। ସନ୍ତୋଷଜନକ ଉତ୍ତର ନମିଳିବାରୁ ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ଅଣାଯାଇ ଜେରା କରାଯାଉଛି। ଖୁବ୍ଶୀଘ୍ର ଶ୍ରୀ ପଣ୍ଡାଙ୍କର ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ତାଙ୍କର ସ୍ଥାବର, ଅସ୍ଥାବର ସମ୍ପତ୍ତି ଆକଳନ କରାଯିବ ବୋଲି ଭିଜିଲାନସ୍ ଏସ୍ପି କହିଛନ୍ତି।