୧୧.୪ କୋଟି ଲୋକଙ୍କୁ ଟିକା, ସମସ୍ତ ରାଜ୍ୟକୁ ଟିକା ଯୋଗାଣ ପ୍ରକ୍ରିୟା ଜାରି
ନୂଆଦିଲ୍ଲୀ: ଗତ ୧୧ ତାରିଖରୁ ୧୪ ତାରିଖ ଯାଏ ଦେଶରେ ଚାଲିଥିବା ଟିକା ଉତ୍ସବରେ ଗତ ବୁଧବାର ସନ୍ଧ୍ୟା ସୁଦ୍ଧା ମୋଟ ୧୧.୪ କୋଟି ଦେଶବାସୀଙ୍କର ଟିକାକରଣ ସରିଥିବା ଜଣାଯାଇଛି। ଗତ ସପ୍ତାହରେ ଟିକାର ଅଭାବ ରହିଛି ବୋଲି କିଛି ରାଜ୍ୟ ଦାବି କରିବା ସହ ବିଶେଷ କରି କେନ୍ଦ୍ର ସରକାରଙ୍କ ଏପରି ଆଭିମୁଖ୍ୟ କେବଳ ଅଣବିଜେପି ଶାସିତ ରାଜ୍ୟମାନଙ୍କ ବିରୋଧରେ ବୋଲି ଆକ୍ଷେପ କରିଥିଲେ। ତେବେ କେନ୍ଦ୍ର ସରକାର କହିଛନ୍ତି ଯେ ଆଗକୁ ଟିକାକରଣ କାର୍ଯକ୍ରମ ଆହୁରି ବ୍ୟାପକ ହେବ ଏବଂ ସମସ୍ତ ରାଜ୍ୟକୁ ଲଗାତାର ଟିକା ଯୋଗାଣ ପ୍ରକ୍ରିୟା ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ବାସ୍ତବ ସ୍ଥିତି ଅନୁଯାୟୀ, କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ବିଭିନ୍ନ(କୋଭିସିଲ୍ଡ ଓ କୋଭାକ୍ସିନ୍) ଟିକାର ମୋଟ ୧୨,୭୬,୭୩,୭୯୦ ମାତ୍ରା ଯୋଗାଇ ଦେଇଥିଲେ। ସେଥିରୁ ବୁଧବାର ସକାଳ ସୁଦ୍ଧା ୧୧,୩୯,୦୦,୮୧୪ ମାତ୍ରା ସରିଯାଇଥିବା ବେଳେ ବାକି ୧,୩୭,୭୨,୯୭୬ ମାତ୍ରା ସେମାନଙ୍କ ପାଖରେ ମହଜୁଦ ରହିଛି। ସେମାନଙ୍କ ଭିତରୁ ସର୍ବାଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ର ୧,୨୯,୬୨,୪୭୦ ମାତ୍ରା ପାଇଥିବା ବେଳେ ନଷ୍ଟକୁ ମିଶାଇ ୧,୧୧,୬୪,୮୧୨ ମାତ୍ରା ସାରିଦେଇଛି ଏବଂ ପାଖରେ ଆହୁରି ୧୭,୯୭,୬୫୮ ମାତ୍ରା ଗଚ୍ଛିତ ରହିଛି। ଏଥି ସହିତ ସେମାନଙ୍କୁ ଆଉ ୧,୩୭,୬୦,୮୫୦ ମାତ୍ରା ଯୋଗାଇ ଦେବା ଲାଗି ଆନୁଷଙ୍ଗିକ ପ୍ରସ୍ତୁତି ସରିଛି।