ଶିଶୁଙ୍କ କରୋନା ବେଶି ଚିନ୍ତାଜନକ, ବ୍ରାଜିଲ୍‌ରେ ୨ ହଜାରରୁ ଅଧିକ ଶିଶୁଙ୍କ କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦ୍ବିତୀୟ ଲହର ସଂକ୍ରମଣ ପ୍ରଥମ ଲହର ଅପେକ୍ଷା ବହୁତ ଭୟଙ୍କର। ଶିଶୁମାନେ ବି ଏଥିରୁ ବର୍ତ୍ତିପାରୁନାହାନ୍ତି। ପ୍ରଥମ ଲହର ତୁଳନାରେ ଦ୍ବିତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ର ଏବଂ ହରିୟାଣା ପରି ରାଜ୍ୟମାନଙ୍କରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ପୂର୍ବରୁ କୁହାଯାଉଥିଲା ଯେ, କରୋନା ଶିଶୁମାନଙ୍କ ପାଇଁ ଏତେ କ୍ଷତିକାରକ ନୁହେଁ। ଶିଶୁଙ୍କଠାରେ କୌଣସି ଲକ୍ଷଣ ବି ଦେଖାଯାଉନଥିଲା। କିନ୍ତୁ ଦ୍ବିତୀୟ ଲହରରେ ୮ ମାସରୁ କମ୍‌ ବୟସର ଶିଶୁ ବି କରୋନା ସଂକ୍ରମିତ ହେଉଛନ୍ତି। ଦିଲ୍ଲୀ ଲୋକ ନାୟକ ହସ୍ପିଟାଲ୍‌ର ମେଡିକାଲ୍‌ ଡାଇରେକ୍ଟର ଡାକ୍ତର ସୁରେଶ କୁମାର କହିଛନ୍ତି, ହସ୍ପିଟାଲ୍‌ରେ ୮ ଶିଶୁ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କଠାରେ ଅତି ଗୁରୁତର ଲକ୍ଷଣ ‌ ରହିଛି। ଏପରିକି ୮ ମାସର ଶିଶୁ ବି ସଂକ୍ରମିତ ହୋଇଛି।

ଡାକ୍ତର କୁମାର କହିଛନ୍ତି, ସଂକ୍ରମିତ ହୋଇଥିବା ଶିଶୁମାନଙ୍କୁ ପ୍ରବଳ ଜ୍ବର ସାଙ୍ଗକୁ ନିମୋନିଆ ଏବଂ ସେମାନଙ୍କଠାରେ ଜଳଶୂନ୍ୟତା ପରି ସମସ୍ୟା ଦେଖାଦେଉଛି। ହରିୟାଣାରେ ମାର୍ଚ୍ଚ ୧୫ରୁ ଏପ୍ରିଲ ୧୧ ମଧ୍ୟରେ ୩,୪୪୫ ଶିଶୁ ସଂକ୍ରମିତ ହୋଇଛନ୍ତି। ଯାହା କି ଏହି ସମୟ ମଧ୍ୟ‌ରେ ଚିହ୍ନଟ ହୋଇଥିବା ମୋଟ୍‌ ସଂକ୍ରମଣ ମାମଲାର ୮ ପ୍ରତିଶତ। ବ୍ରାଜିଲ୍‌ରେ ସର୍ବାଧିକ ଶିଶୁଙ୍କର କରୋନାରେ ମୃତ୍ୟୁ ହେବା ଘଟଣା ଚିନ୍ତା ବଢ଼ାଇଛି। ସରକାରୀ ତଥ୍ୟ ଅନୁଯାୟୀ ଏଠାରେ ୯ ବର୍ଷରୁ କମ୍‌ ୮୫୨ ଶିଶୁଙ୍କ କରୋନାରେ ମୃତ୍ୟୁ ହୋଇଛି। କିନ୍ତୁ ବି‌ବିସି ରିପୋର୍ଟ ଅନୁଯାୟୀ ବ୍ରାଜିଲ୍‌ରେ ୨ ହଜାରରୁ ଅଧିକ ଶିଶୁଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ହଜାର ହଜାର ଶିଶୁ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର