ଚେନ୍ନାଇ : ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ବିଜୟୀ ମ୍ୟାଚ୍ରେ ୪୫ ରନ୍ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓପ୍ନର ଶିଖର ଧାୱନ୍ ଚଳିତ ଆଇପିଏଲ୍ରେ ନାରଙ୍ଗୀ ଟୋପି ଫେରି ପାଇଥିଲେ। ଏହି ମ୍ୟାଚ୍ରେ ଦିଲ୍ଲୀ ୬ ୱିକେଟ୍ରେ ୫ ଥର ବିଜେତା ମୁମ୍ବାଇକୁ ପରାସ୍ତ କରିଥିଲା। ତେବେ ଏହି ମ୍ୟାଚ୍ ପରେ ଧାୱନ୍ ଓ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ୍ଙ୍କ ସହ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ଏକ ଫଟୋକୁ ମୁମ୍ବାଇ ଇଣ୍ଡିଆନ୍ସ ତା’ର ଟ୍ବିଟର ଇ ଇନ୍ଷ୍ଟାଗ୍ରାମ ପୃଷ୍ଠାରେ ସେୟାର କରିଥିଲା। ଏଥିରେ ଧାୱନ୍ ଓ ପନ୍ତ୍ଙ୍କୁ ଗୋଟିଏ ଆଙ୍ଗୁଠି ଉଠାଇ ରୋହିତ କିଛି କହୁଥିବା ଦେଖାଯାଇଥିଲା। ଯାହାକି ସାମାଜିକ ଗଣମାଧ୍ୟମରେ ଛାଇ ଯାଇଥିଲା। ଧାୱନ୍ ସେହି ଫଟୋରେ ନାରଙ୍ଗୀ ଟୋପି ପିନ୍ଧିଥିଲେ। ଅବଶ୍ୟ ଏହି ଫଟୋରେ କୌଣସି କ୍ୟାପ୍ସନ୍ ଲେଖାଯାଇନଥିଲା। ତେଣୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ନିଜ ନିଜର କ୍ୟାପ୍ସନ୍ ଦେଇଥିଲେ। କିଛି ବ୍ୟବହାରକାରୀ ରୋହିତ କ’ଣ କହୁଥିବା ଏବଂ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେଉଥିବା କଳନା କରିଥିଲା ବେଳେ ଅନ୍ୟ କିଛି ନାରଙ୍ଗୀ ଟୋପି ଉପରେ ନଜର ପକାଇଥିଲେ। ଏହି ଫଟୋ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ବାରା ସେୟାର କରାଯାଇଥିଲା। ସେଥିରେ ‘‘ଦୁଇଟି ସହରର କାହାଣୀ, ବନ୍ଧୁତା ଏବଂ ଆହୁରି ଅଧିକ କିଛି, ଆମେ ପ୍ରତ୍ୟେକ ସମୟରେ ଖେଳୁ’’ ବୋଲି କ୍ୟାପ୍ସନ୍ ଲେଖାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମ୍ୟାକ୍ସୱେଲଙ୍କୁ ପସନ୍ଦ ଆର୍ସିବି ମାହୋଲ
ମୁମ୍ବାଇ : ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପାଇଁ ଆଇପିଏଲ୍ ସବୁବେଳେ ଖଟାମିଠା ଅନୁଭବ ନେଇଆସିଛି। ପ୍ରଥମ କିଛି ଋତୁରେ ଧମାକାଦାର ପ୍ରଦର୍ଶନ କରିବା ପରେ ଢେର କିଛି ଋତୁରେ ତାଙ୍କ ବ୍ୟାଟ୍ ଶାନ୍ତ ରହିଥିଲା। ପଞ୍ଜାବ କିଙ୍ଗ୍ସର ପ୍ରତିନିଧିତ୍ବ କରି ୟୁଏଇରେ ଖେଳାଯାଇଥିବା ଗତ ଋତୁରେ ଅତ୍ୟନ୍ତ ଖରାପ ଖେଳିଥିଲେ ସେ। ଏପରିକି ୧୩ ପାଳିରୁ ୧୫୦ ରନ୍ ବି ଛୁଇଁ ପାରିନଥିଲେ। ଚଳିତ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ୫ ବର୍ଷ ଧରି ଅର୍ଦ୍ଧଶତକଟିଏ ହାସଲ କରି ପାରିନଥିଲେ ସେ। ଖରାପ ଫର୍ମ ସତ୍ତ୍ବେ ଚଳିତବର୍ଷ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ତାଙ୍କୁ ମୋଟା ଅଙ୍କ ଦେଇ କିଣିଥିଲା ବେଳେ ମ୍ୟାକ୍ସୱେଲ ମଧ୍ୟ ଏହାର ସମ୍ମାନ ରଖୁଛନ୍ତି। ଚଳିତ ଋତୁର ଚାରିଟି ମ୍ୟାଚ୍ (ଗୁରୁବାରର ରାଜସ୍ଥାନ ରୟାଲ୍ସ-ଆର୍ସିବି ମ୍ୟାଚ୍ ପୂର୍ବରୁ) ଖେଳି ଦୁଇଟି ଅର୍ଦ୍ଧଶତକ ବଳରେ ସେ ୧୭୬ ରନ୍ କରିଛନ୍ତି। ସର୍ବାଧିକ ରନ୍ ହାସଲକାରୀଙ୍କ ମଧ୍ୟରେ ଶିଖର ଧାୱନଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ମ୍ୟାକ୍ସୱେଲ୍ ତାଙ୍କର ଏହି ସଫଳତାର ଶ୍ରେୟ ଆର୍ସିବି ଦଳର ପରିବେଶକୁ ଦେଇଛନ୍ତି। ଆର୍ସିବିରେ ଯୋଗଦେବାର ପ୍ରଥମ ଦିନରୁ ହିଁ ତାଙ୍କୁ ଘର ଭଳିଆ ଅନୁଭବ ହୋଇଥିଲା ବୋଲି ସେ କହିଛନ୍ତି। ଅଧିନାୟକ ବିରାଟ କୋହଲିଙ୍କ ଉପରେ ଥିବା ଚାପକୁ ଟିକିଏ ହାଲୁକା କରି ବେଶ୍ ଖୁସି ଅଛନ୍ତି ମ୍ୟାକ୍ସୱେଲ୍। ଆଗକୁ ମଧ୍ୟ ଏହି ଧାରା ଜାରି ରଖିବେ ବୋଲି ସେ ଦୃଢ଼ତାର ସହ କହିଛନ୍ତି।