ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣର ଚେନ୍ କାଟନ୍ତୁ: ଜିଲ୍ଲାପାଳ

ସୁନ୍ଦରଗଡ଼: କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ମେ’ ୫ ତାରିଖରୁ ୧୯ ତାରିଖ ଯାଏଁ ସାରା ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ନିୟମକୁ ଠିକ୍ ଭାବେ ପାଳନ କରି ଜିଲ୍ଲାରେ କରୋନା ସଂକ୍ରମଣର ଚେନ୍ କାଟିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

କରୋନା ସଂକ୍ରମଣର ମୁକାବିଲା ପାଇଁ ଏବେ ଲକଡାଉନ୍ କରାଯାଉଛି । ଏହି ସମୟରେ ଅତି ଜରୁରୀ ଆବଶ୍ୟକ ନହେଲେ ଆପଣମାନେ ଘରୁ ବାହାରକୁ ଆସନ୍ତୁ ନାହିଁ । ଲକଡାଉନ୍ ସମୟରେ ଟେଷ୍ଟିଂ ଓ ଟିକାକରଣ କାର୍ଯ୍ୟ ଜାରି ରହିବ । ସେହିପରି ନିତ୍ୟବ୍ୟବହାର୍ଯ୍ୟ ଜିନିଷ କିଣିବା ଲାଗି ସୁବିଧା କରାଯାଉଛି ।

ଲକଡାଉନ୍ ବେଳେ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଗ୍ରୋସରି, ପନିପରିବା, କ୍ଷୀର, ମାଛ, ମାଂସ ଓ ଅଣ୍ଡା ଆଦି ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ । ସେହିପରି ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ କେବଳ ଟେକଆୱେ ଅନୁମତି ରହିଛି । ବିଭିନ୍ନ ସାମଗ୍ରୀର ହୋମ ଡେଲିଭରି ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି । ତେଣୁ କୌଣସି ଦୋକାନରେ କିଣାବିକା ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ନକରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।

ଜନସାଧାରଣଙ୍କ ସୁବିଧା ପାଇଁ ଜିଲ୍ଲାର ବିଭିନ୍ନ ସହରାଞ୍ଚଳରେ କେତେକ ଗ୍ରୋସରି, ପନିପରିବା ଏବଂ ଔଷଧ ଦୋକାନୀଙ୍କ ସହ ପ୍ରଶାସନ ଯୋଗାଯୋଗ କରିଛି । ରାଉରକେଲା, ବଣାଇଁ, ରାଜଗାଙ୍ଗପୁର ଓ ସୁନ୍ଦରଗଡ଼ ଆଦି ସ୍ଥାନ ପାଇଁ ଏଭଳି ନମ୍ବରକୁ ଏକାଠି କରି ପ୍ରଶାସନ ପକ୍ଷରୁ ସୋସିଆଲ ମିଡିଆରେ ଜାରି କରାଯାଉଛି ।

ଲକଡାଉନ୍ ବେଳେ ବିଭିନ୍ନ ଜରୁରୀକାଳୀନ ସେବା ଜାରି ରହିବ । ଏହି ସମୟରେ କେଉଁ କାର୍ଯ୍ୟ ଚାଲୁ ରହିବ ଏବଂ କେଉଁ କାର୍ଯ୍ୟ ବନ୍ଦ ରହିବ ସେ ବାବଦରେ ରାଜ୍ୟ ସରକାର ଘୋଷଣା କରିଛନ୍ତି । ସେହି ନିୟମକୁ ସାଧାରଣ ଜନତା, ବ୍ୟବସାୟିକ ପ୍ରତିଷ୍ଠାନ, ବିଭିନ୍ନ ଘରୋଇ ସଂସ୍ଥା ଏବଂ ବିଭିନ୍ନ ସେବା ପ୍ରଦାନକାରୀ ଅନୁଷ୍ଠାନ ଓ ବ୍ୟକ୍ତି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।

ଲକଡାଉନ୍ ବେଳେ ବିଭିନ୍ନ କେନ୍ଦ୍ରରେ କୋଭିଡ୍ ଟେଷ୍ଟିଂ ଚାଲିବା ସହ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ । ଏହି ସମୟରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, କୋଭିଡକୁ ନେଇ ଜିଲ୍ଲାବାସୀ ଭୟଭୀତ ହୁଅନ୍ତୁ ନାହିଁ । କୋଭିଡ୍ ମୁକାବିଲା ଲାଗି ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଉଛି । କୋଭିଡ୍ ରୋଗୀଙ୍କ ପାଇଁ ଜିଲ୍ଲାରେ ଅକ୍ସିଜେନ୍ ସିଲିଣ୍ଡର ଯଥେଷ୍ଟ ପରିମାଣରେ ମହଜୁଦ ଅଛି । ଜିଲ୍ଲାର ସବୁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ଅକ୍ସିଜେନ୍ ସୁବିଧା କରାଯାଇଛି ।

ଲକଡାଉନ୍ ସମୟରେ ଜିଲ୍ଲାରେ କୋଭିଡ୍ ଚିକିତ୍ସା କ୍ଷେତ୍ରରେ କୌଣସି ବାଧା ଉପୁଜିବ ନାହିଁ । ସେହିପରି ଅନ୍ୟ ସମସ୍ତ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଜାରି ରହିବ । ଆବଶ୍ୟକ ମନେହେଲେ ଜଣେ ବ୍ୟକ୍ତି ଜିଲ୍ଲା ହେଲ୍ପଲାଇନ୍ (୧୮୦୦ ୩୪୫ ୭୪୬୧) ନମ୍ବରରେ ଯୋଗାଯୋଗ କରିପାରିବେ । ତା\’ଛଡ଼ା ଜିଲ୍ଲା ପ୍ରଶାସନର ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଲୋକେ ବିଭିନ୍ନ ବିଷୟରେ ପ୍ରଶାସନର ଧ୍ୟାନ ଆକର୍ଷଣ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।

ଲକଡାଉନ୍ ସମୟରେ ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ କଳକାରଖାନାର କର୍ମଚାରୀଙ୍କୁ ଅଫିସ ଯିବା ଆସିବା ଲାଗି ସ୍ଥାନୀୟ ପ୍ରଶାସନଠାରୁ ଅନୁମତି ନେବାକୁ ପଡ଼ିବ । ଲାଠିକଟା, ବିଶ୍ରା, କଲୁଙ୍ଗା ଶିଳ୍ପାଞ୍ଚଳ, ରାଉରକେଲା ଟାଉନସିପ୍‌, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ, ବେଦବ୍ୟାସ ଭଳି ଅଞ୍ଚଳ ପାଇଁ ରାଉରକେଲା ମହାନଗର ନିଗମ କମିଶନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ସେହିପରି ଅନ୍ୟ ଅଞ୍ଚଳରେ ଉପଜିଲ୍ଲାପାଳଙ୍କଠାରୁ ଅନୁମତି ମିଳିପାରିବ । ଏହି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ପାଖକୁ ଆସୁଥିବା ଆବେଦନଗୁଡ଼ିକୁ ତୁରନ୍ତ ବିଚାର କରି ପଦକ୍ଷେପ ନିଆଯାଉଛି ।

ସମ୍ବନ୍ଧିତ ଖବର