ମଦ ନ ଆଣିବାରୁ ସାଙ୍ଗକୁ ହତ୍ୟା

ଅଭିଯୁକ୍ତ ଫେରାର୍‌, ଅଟକ

ବାଲିକୁଦ: ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ମୁରୁଣିଆ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମଦ ଆଣିବାକୁ କେନ୍ଦ୍ରକରି ଜଣେ ଯୁବକ ନିଜ ସାଙ୍ଗଙ୍କୁ ଛୁରି ଭୁସି ହତ୍ୟା କରିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଯୁବକ ଓ ତା’ ଭାଇ ଫେରାର୍‌ ହୋଇ ଯାଇଥିବା ବେଳେ ଅଭିଯୁକ୍ତର ପତ୍ନୀ ଓ ବାପାଙ୍କୁ ପୁଲିସ ଥାନାରେ ଅଟକ ରଖିଛି। ଗତକାଲି ରାତିରେ ମୁରୁଣିଆ ଗାଁର ମହାଦେବ ମନ୍ଦିର ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ଗାଁର ଦୁଇ ସାଙ୍ଗ ବିବେକ ରାଉତ(୩୨) ଓ ପ୍ରକାଶ ଖଟୁଆ(୩୨) ମଦ୍ୟପାନ କରି ସେଠାକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ। ଦୁଇ ସାଙ୍ଗ ଘରକୁ ଫେରୁଥିବା ସମୟରେ ପ୍ରକାଶ ବିବେକଙ୍କୁ ପୁଣି ମଦ ଆଣିବା ପାଇଁ କହିଥିଲା। ମାତ୍ର ଏଥିରେ ବିବେକ ରାଜି ହୋଇ ନଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ କିଛି ସମୟ ଟଣାଓଟରା ଓ କଥା କଟାକଟି ଚାଲିଥିଲା। ଏହାର କିଛି ସମୟ ପରେ ରାତି ପ୍ରାୟ ୧୧ଟା ବେଳେ ପ୍ରକାଶ ସାଙ୍ଗ ବିବେକଙ୍କୁ ନିଜ ଘରଠାରୁ ୫୦ ମିଟର ଦୂରକୁ ଡାକି ନେଇଥିଲା। ପକେଟରେ ଥିବା ଛୁରି ବାହାର କରି ସେ ବିବେକଙ୍କୁ ଆକ୍ରମଣ କରିଥିଲାା ବିବେକଙ୍କ ଛାତିକୁ ପ୍ରକାଶ ବାରମ୍ବାର ଛୁରାମାଡ଼ କରିବାରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା ଓ ସେ ସଂଜ୍ଞାହୀନ ହୋଇ ଟଳି ପଡ଼ିଥିଲେ। ଗ୍ରାମବାସୀମାନେ ଏହା ଜାଣିବା ପରେ ବିବେକଙ୍କୁ ତୁରନ୍ତ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ନିଆଯାଇଥିଲା। ହେଲେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ଅଭିଯୁକ୍ତ ପ୍ରକାଶ ଓ ତା’ ସାନଭାଇ ଶବର ଖଟୁଆ ଫେରାର୍‌ ହୋଇଯାଇଛନ୍ତି। ବାଲିକୁଦା ପୁଲିସ ପକ୍ଷରୁ ଏସ୍‌ଆଇ ଜ୍ୟୋତିଶଙ୍କର ସାହୁ ବିବେକଙ୍କ ଶବର ବ୍ୟବଚ୍ଛେଦ କରାଇବା ସହ ଏକ ମାମଲା ରୁଜ୍ଜୁ କରି ପ୍ରକାଶର ବାପା ଗଜେନ୍ଦ୍ର ଓ ପତ୍ନୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କର କୌଣସି ସୁରାକ୍‌ ମିଳି ପାରିନାହିଁ।

ସମ୍ବନ୍ଧିତ ଖବର