ପୁରୀ: ପୁରୀ ରେଳ ଷ୍ଟେସନରେ ବୁଧବାର ସନ୍ଧ୍ୟାରେ ଛିଡ଼ା ହୋଇଥିବା ଭାରତୀୟ ନୌସେନାର ଏକ ସ୍ବତନ୍ତ୍ର ଟ୍ରେନରେ ଲାଗିଥିବା ମିଲିଟାରି ପେଣ୍ଟ୍ରି କାର୍ରେ ଏକ ଛୋଟ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ୨ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ ପୁରୀ ଜିଲ୍ଲା ଡେଲାଙ୍ଗରୁ ଆସିଥିବା ଭାରତୀୟ ନୌସେନାର ଟ୍ରେନ୍ ପୁରୀ ରେଳ ଷ୍ଟେସନର ୨ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ବେଳେ ରେଷେଇ ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିଥିଲା। ଫଳରେ ଜିନିଷ ପତ୍ର ନଷ୍ଟ ହେବା ସହିତ ଷ୍ଟେସନ ପରିସରରେ ଏକ ଭୟଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ପେଣ୍ଟ୍ରି କାର ଭିତରେ ଥିବା ବିଭିନ୍ନ ଖାଦ୍ୟ ପଦାର୍ଥ ଓ ଅନ୍ୟାନ୍ୟ ଜିନିଷ ପତ୍ର ମଧ୍ୟ ଜଳି ଯାଇଥିଲା।
ବିସ୍ଫେରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ, ପେଣ୍ଟ୍ରି କାରର ୪ରୁ ୫ଟି କବାଟ ଓ ଝରକା ପ୍ରାୟ ୩୦ ଫୁଟ ଦୂରକୁ ଯାଇ ପଡ଼ିଛି। ପେଣ୍ଟ୍ରି କାର୍ ଭିତରେ କେହି ନଥିବାରୁ କୌଣସି ଲୋକଙ୍କର ଜୀବନ ଯାଇ ନାହିଁ। କିନ୍ତୁ ପ୍ଲାଟଫର୍ମ ନମ୍ବର ୧ରେ ଥିବା ପୁରୀ-ହାଓ୍ଵଡ଼ା ଏକ୍ସପ୍ରେସ୍ ଟ୍ରେନର ପେଣ୍ଟ୍ରି କାର କର୍ମଚାରୀ ବିନୋଦ କୁମାରଙ୍କ ସମେତ ଆଉ ଜଣେ ଲୋକ ଆହତ ହୋଇଛନ୍ତି। ବିନୋଦଙ୍କ ସ୍ଥିତି ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗ୍ୟାସ ଟାଙ୍କି ବିସ୍ଫୋରଣ ସନ୍ଧ୍ୟା ୫ଟାରେ ହୋଇଥିଲା। ଆର୍ମିର ଏହି ଟ୍ରେନ ଗୁରୁବାର ଖୋର୍ଦ୍ଧା ଷ୍ଟେସନ ଦେଇ ଚିଲିକା ଯିବାର କାର୍ଯ୍ୟକ୍ରମ ଥିଲା। ସୂଚନା ପାଇ ଦମକଳବାହିନୀର କର୍ମଚାରୀମାନେ ୨ଟି ଗାଡ଼ରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ରିପୋର୍ଟ ଲେଖାଯିବାକୁ ବିସ୍ଫୋରଣର ପ୍ରକୃତ କାରଣ ଜଣା ପଡ଼ି ନଥିଲା।