ରୋଗୀଙ୍କ ଜୀବନ ସହ ହସ୍ପିଟାଲ ମୁଖ୍ୟଙ୍କ ଖେଳ, ଅକ୍ସିଜେନ୍ ମକ୍‌ଡ୍ରିଲ୍‌ ପାଇଁ ଚାଲିଗଲା ୨୨ ଜୀବନ!

ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ଏକ ଘରୋଇ ହସ୍ପିଟାଲ ମାଲିକଙ୍କ ଖେଳ ପାଇଁ ଚାଲିଯାଇଛି ୨୨ ରୋଗୀଙ୍କ ଜୀବନ। ଗତ ଏପ୍ରିଲ ୨୬ ତାରିଖରେ ମାଲିକ ରୋଗୀଙ୍କୁ ୫ ମିନିଟ୍ ପାଇଁ ଅକ୍ସିଜେନ୍ ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିନା ଅକ୍ସିଜେନ୍‌‌ରେ କେତେ ରୋଗୀ ବଞ୍ଚୁଛନ୍ତି ତାହା ଜାଣିବା ପାଇଁ ସେ ଏହି ପରୀକ୍ଷା କରିଥିଲେ। କିନ୍ତୁ ଏଥିଯୋଗୁ ଉଭୟ ୨୨ ଜଣ ଉଭୟ କୋଭିଡ ଓ ଅଣକୋଭିଡ ରୋଗୀଙ୍କ ଜୀବନ ଚାଲିଯାଇଥିଲା।

ଏ ବାବଦରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖାଯାଇଛି ଯେ ହସ୍ପିଟାଲ ମାଲିକ କହୁଛନ୍ତି- ଆମେ ରୋଗୀଙ୍କୁ ଡିସ୍‌ଚାର୍ଜ କରିବା ପାଇଁ ସେମାନଙ୍କୁ କହିଲୁ। କିନ୍ତୁ କେହି ନେବାକୁ ରାଜିହେଲେ ନାହିଁ। ତେଣୁ ଆମେ ଏ ନେଇ ଏକ ପରୀକ୍ଷା ଚଳାଇବାକୁ ନିଷ୍ପତ୍ତି ନେଲୁ। ଏହି ପରୀକ୍ଷା ଏକ ମକ୍‌ଡ୍ରିଲ ଭଳି ଥିଲା। ଏପ୍ରିଲ ୨୬ ତାରିଖ ସକାଳ ୭ଟାରେ ଆମେ ଅକ୍ସଜେନ ଯୋଗାଣକୁ ୫ ମିନିଟ୍ ପାଇଁ ବନ୍ଦ କରିଦେଇଥିଲୁ। ୨୨ ଜଣ ରୋଗୀ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ସେମାନଙ୍କ ଶରୀର ନୀଳ ପଡ଼ି ଯାଇଥିଲା। ତେଣୁ ଆମେ ଜାଣିବାକୁ ପାଇଲୁ ଯେ ବିନା ଅକ୍ସିଜେନରେ ସେମାନେ ବଞ୍ଚିପାରିବେ ନାହିଁ। ଏହାପରେ ଆଇସିୟୁ ୱାର୍ଡରେ ଥିବା ଅନ୍ୟ ୭୪ ଜଣ ରୋଗୀଙ୍କ ସଂପର୍କୀୟଙ୍କୁ ଆମେ ନିଜସ୍ବ ଅକ୍ସିଜେନ୍ ସିଲିଣ୍ଡର ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲୁ।’ ଭାଇରାଲ ହୋଇଥିବା ଭିଡିଓରେ ପାରସ ହସ୍ପିଟାଲର ମାଲିକ ଅରିଞ୍ଜୟ ଜୈନ ଏହା କହୁଥିବା ଶୁଣିବାକୁ ମିଳିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରିକ୍ରିୟା ପ୍ରକାଶ ପାଇଛି। ଏହାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି।

ଅନ୍ୟପକ୍ଷରେ ଜୈନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ତାଙ୍କ ବିବୃତିକୁ ଭୁଲ ଭାବେ ବୁଝାଯାଇଛି। ସେ କହିଛନ୍ତି ଗୁରୁତର ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କ ଜୀବନ ବଞ୍ଚାଇବା ପାଇଁ ଆମେ ମକ୍ ଡ୍ରିଲ କରିଥିଲୁ। ଏପ୍ରିଲ ୨୬ରେ ୪ଜଣ ଏବଂ ୨୭ରେ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା। ତେବେ ଅକ୍ସିଜେନ ଅଭାବରୁ ୨୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିଲା କି ପ୍ରଶ୍ନରେ ସେ କହିଛନ୍ତି ତାଙ୍କ ପାଖରେ ସେ ନେଇ ନିର୍ଦ୍ଦିଷ୍ଟ ସଂଖ୍ୟା ନାହିଁ। ଜିଲ୍ଲାପାଳ ପ୍ରଭୁ ଏନ୍ ସିଂହ କହିଛନ୍ତି, ହସ୍ପିଟାଲରେ ଏକ ବଡ଼ ଆଇସିୟୁ ୱାର୍ଡ ରହିଛି। ତେଣୁ ଅନ୍ୟ ମୃତ୍ୟୁ ମଧ୍ୟ ହୋଇଥାଇପାରେ। ଭିଡିଓର ବିଷୟବସ୍ତୁକୁ ବିସ୍ତୃତ ଭାବେ ତଦନ୍ତ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର