ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ନିଯୁକ୍ତ: ୩୦ ଜିଲ୍ଲା ପାଇଁ ୪୧ ଜଣ
ନିଯୁକ୍ତିରେ ପ୍ରିୟାପ୍ରୀତି ତୋଷଣ, ଗୋଟିଏ ଜିଲ୍ଲାରେ ଘର, ଅନ୍ୟ ଜିଲ୍ଲାରେ ଦାୟିତ୍ବ
ଭୁବନେଶ୍ବର : ଗୋଟିଏ ବର୍ଷ ଧରି ଖାଲି ପଡ଼ିଥିବା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ (ଅନରାରି ୱାଇଲ୍ଡଲାଇଫ୍ ୱାଡେନ୍) ପଦରେ ନିଯୁକ୍ତି ଦିଆଯାଇଛି। ୩୦ ଜିଲ୍ଲା ପାଇଁ ୪୧ଜଣ ୱାଇଲ୍ଡଲାଇଫ୍ ୱାଡେନ୍ ନିଯୁକ୍ତ ହୋଇଛନ୍ତି। ଖୋର୍ଧା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସର୍ବାଧିକ ୩ଜଣ ଏବଂ ୭ଜିଲ୍ଲା ପାଇଁ ଦୁଇଜଣ ଲେଖାଏଁ ଦାୟିତ୍ବ ପାଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକରେ ଜଣେ ଲେଖାଏଁ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି। ବନ୍ୟପ୍ରାଣୀ(ସୁରକ୍ଷା) ଆଇନ-୧୯୭୨ର ସେକ୍ସନ-୪, ସବ୍ସେକ୍ସନ(୧)ର କ୍ଲାଜ୍(ବିବି) ଅନୁଯାୟୀ, ଏହି ନିଯୁକ୍ତି ହୋଇଛି। ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଆସନ୍ତା ଦୁଇବର୍ଷ ଲାଗି କାର୍ଯ୍ୟଭାର ତୁଲାଇବେ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିବାଦ ଦେଖାଦେଇଛି। ଯିଏ ଯେଉଁ ଜିଲ୍ଲାରେ ରହୁଛନ୍ତି, ସେଠାରେ ନିଯୁକ୍ତି ଦିଆ ନଯାଇ ଅନ୍ୟ ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଉଦାହରଣ ସ୍ବରୂପ, ଯାଜପୁର ଜିଲ୍ଲାର ଜ୍ୟୋତିର୍ମୟ ବାରିକଙ୍କୁ ଖୋର୍ଧା ଜିଲ୍ଲା, ଭୁବନେଶ୍ବରରେ ରହୁଥିବା ଆଦିତ୍ୟ ଚରଣ ପଣ୍ଡାଙ୍କୁ ଅନୁଗୁଳ ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ କରାଯାଇଛି। ଏହାବ୍ୟତୀତ ତାଲିକାରେ ଏଭଳି କିଛି ବ୍ୟକ୍ତିବିଶେଷ ରହିଛନ୍ତି, ଯେଉଁମାନଙ୍କ ବୟସ ୭୦ ବର୍ଷରୁ ଅଧିକ ହେବ। ଆଉ ଏକ ଅଭିଯୋଗ ହେଉଛି ଯେ କେତେଜଣ ବ୍ୟକ୍ତିବିଶେଷଙ୍କୁ ବାରମ୍ବାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାବେ ନିଯୁକ୍ତି ମିଳୁଛି। ବନ୍ୟପ୍ରାଣୀଙ୍କ ଲାଗି କାର୍ଯ୍ୟ କରି ନଥିବା ତଥା ଉପଯୁକ୍ତ ଦକ୍ଷତା ନ ଥାଇ ମଧ୍ୟ କେତେଜଣ ଏଭଳି ଏକ ପଦ ହାତେଇବାକୁ ସକ୍ଷମ ହୋଇଛନ୍ତି।
ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ବଜିତ୍ ମହାନ୍ତିଙ୍କ କହିବାନୁଯାୟୀ, ବିବାଦ ଯୋଗୁଁ ବର୍ଷେ ହେଲା ପଦ ଖାଲି ପଡ଼ିଥିଲା। ଏବେ ଯେଉଁ ତାଲିକା ବାହାରିଲା, ସେଥିରେ ବି ପ୍ରିୟାପ୍ରୀତି ତୋଷଣ ହୋଇଛି। ଅଭିଜ୍ଞତା ନ ଥିବା ବ୍ୟକ୍ତିବିଶେଷ ଦାୟିତ୍ବ ପାଇଛନ୍ତି। ବନ୍ୟପ୍ରାଣୀ ଅପରାଧ ରୋକିବା, ଲୋକଙ୍କୁ ସଚେତନତା କରାଇବା, ଜୀବଜନ୍ତୁଙ୍କ ହତ୍ୟା ରୋକିବା ଦିଗରେ କାର୍ଯ୍ୟ କରି ନଥିବା ବ୍ୟକ୍ତି ବି ନିଯୁକ୍ତି ପାଇଛନ୍ତି। ନିୟମ କହୁଛି, ଯେଉଁ ଜିଲ୍ଲାରେ ରହୁଛନ୍ତି, ସେହି ଜିଲ୍ଲାରେ ନିଯୁକ୍ତି ପାଇବା କଥା। ପୂର୍ବରୁ ମଧ୍ୟ ଏହାକୁ ନେଇ ବିବାଦ ହୋଇଥିଲା। ଏଥର ପୁଣିଥରେ ସେଭଳି ହୋଇଛି। ୭୦ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ନିଯୁକ୍ତି ଦିଆଯିବା ଦ୍ବାରା ସେମାନେ ଠିକ୍ ଭାବେ କାମ କରିପାରିବେ ନାହିଁ। ଅବସରପ୍ରାପ୍ତ ବନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା କଥା ନୁହେଁ, ଯାହାକି ଏଥର ଦେଖିବାକୁ ମିଳିଛି।