ଏ-୧ ପାଇଥାନ୍ତି, ଫଳ ହିଁ ଆସିଲାନି: ମାନସୀ

କୋରାପୁଟ: ଆଶା ରଖିଥିଲେ ପ୍ରଥମ ଶ୍ରେଣୀରେ ଉର୍ତ୍ତିଣ ହେବେ। ପାଠ ପଢି ବାପାମାଙ୍କୁ ଆର୍ଥିକ ସହଯୋଗ କରିବେ ବୋଲି। ହେଲେ ମୋଟରୁ ପରୀକ୍ଷା ଫଳ ହିଁ ବାହାରି ନାହିଁ। ଆଉ ଆଶାଆଶଙ୍କା ସହ ଅନ୍ଧାର ହୋଇଯାଇଛି ଜଣେ ଦଶମଶ୍ରେଣୀ ଛାତ୍ରୀଙ୍କ ଜୀବନ।  କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକର ଗୌଡଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନସୀ ନାୟକ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପାଇବାରେ ବଞ୍ଚିତ ହୋଇଛନ୍ତି । ଅଷ୍ଟମ, ନବମ ସହ ସ୍କୁଲ ପକ୍ଷରୁ ହୋଇଥିବା ପରୀକ୍ଷାରେ ମଧ୍ୟ ଭଲ ଫଳ ରଖିଥିଲେ। ହେଲେ ଦଶମ ପରୀକ୍ଷାଫଳ ବାହାରିଲା ବେ‌ଳକୁ କିଛି ବାହାରି ନ ଥିବା ଦେଖିବାକୁ ପାଇଥିଲେ।

କରୋନା ମହାମାରୀକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଚଳିତ ବର୍ଷ ଶିକ୍ଷାବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରି ସରକାରୀ ନିର୍ଦ୍ଦେଶ ଅନୁସାରେ ପିଲାଙ୍କ ଫଳ ପ୍ରକାଶରେ ମୂଲ୍ୟାଙ୍କନ ବ୍ୟବସ୍ଥା କରାଯାଇଥିଲା । ସରକାରଙ୍କ ନିୟମ ଅନୁସାରେ ନବମ ଶ୍ରେଣୀର ମୂଲ୍ୟାଙ୍କନକୁ ନେଇ ଫଳ ପ୍ରକାଶନ ଉପରେ ନିଷ୍ପତି ନିଆଯାଇଥିଲା। କିନ୍ତୁ ଗୌଡଗୁଡା ବିଦ୍ୟାଳୟର ଛାତ୍ରୀଙ୍କର ପରୀକ୍ଷା ଫଳ ପ୍ରକାଶରେ ନାମ ନଥିବାରୁ ପ୍ରଧାନ ଶିକ୍ଷକ ଓ ସ୍କୁଲ କର୍ତୁପକ୍ଷଙ୍କ ଦାୟିତ୍ୱ ହୀନତାରୁ ଏଭଳି ଘଠିଥିବା ସଙ୍ଗିନ ଅଭିଯୋଗ ଆଣି ଆଜି ବାପା, ମାଙ୍କ ସହ ଛାତ୍ରୀ ଜଣକ କୋରାପୁଟ ଜିଲ୍ଲାପାଳ ଓ କୋରାପୁଟ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଉପରୋକ୍ତ ବିଦ୍ୟାଳୟକୁ ଲକ୍ଷ୍ମୀପୁର ବିଇଓ ଯାଇ ତଦନ୍ତ କରିଥିବା ଜଣାପଡିଥିବା ବେଳେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ୩ଦିନ ହେଲା ଫେରାର ଅଛନ୍ତି । ସଂପୃକ୍ତ ଛାତ୍ରୀ ଜଣକ ଜଣେ ମେଧବୀ ଏବଂ ନିୟମିତ ଛାତ୍ରୀ ଥିଲେ । ବିଦ୍ୟାଳୟର ସମସ୍ତଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ତାଙ୍କର ପରୀକ୍ଷା ଫଳ ନଆସିବାରୁ ସେ ମାନସିକ ଭାବରେ ଚାପ ଗ୍ରସ୍ତ ରହିବା ସହ ପୁରା ପରିବାର ବିଚଳିତ ଅଛନ୍ତି ।ଅନ୍ୟପଟେ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ତଦନ୍ତ କରିବା ପରେ ବୋର୍ଡ କର୍ତୁପକ୍ଷଙ୍କୁ ଅବଗତ କରାଯାଇ ଭୁଲ କେଉଁଠି ରହିଲା ସେ ସଂପର୍କରେ ଶିକ୍ଷା ବିଭାଗକୁ ଜଣାଇ ଦିଆଯିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର