ଚଳିତ ବର୍ଷ କେନ୍ଦ୍ରୀୟ ଶିକ୍ଷା ବୋର୍ଡ (ସିବିଏସ୍ଇ) ଏବ˚ ତାକୁ ଅନୁସରଣ କରି ଅଧିକା˚ଶ ରାଜ୍ୟ ବୋର୍ଡ ଉଭୟ ଦଶମ ଏବ˚ ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛନ୍ତି। ଏହି ନିଷ୍ପତ୍ତିକୁ ଉତ୍ସବ ରୂପରେ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ପିଲାଙ୍କୁ ଆହ୍ବାନ କରିଛନ୍ତି। ବାତିଲ ନିଷ୍ପତ୍ତି ପଛରେ କରୋନା ସ˚କ୍ରମଣର ଆଶଙ୍କାକୁ କାରଣ ଭାବରେ ଦର୍ଶାଯାଇଛି। ଅବଶ୍ୟ କରୋନା ମହାମାରୀର ଆଶଙ୍କା ଅମୂଳକ ନୁହେଁ। ପିଲାଙ୍କ ଜୀବନକୁ ବାଜି ଲଗାଇ କୌଣସି ପରୀକ୍ଷା ପ୍ରାଥମିକତା ଲାଭ କରି ନ ପାରେ। ହେଲେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ ପିଲାଏ ପାଇଥିବା ମାର୍କକୁ କେନ୍ଦ୍ର କରି ଏବେ ଯେଉଁ ଅସନ୍ତୋଷ ଓ ପ୍ରତିବାଦର ସ୍ବର ଉଠୁଛି, ତହିଁରୁ ହୃଦ୍ବୋଧ ହେଉଛି ଯେ ଏହି (ମୂଲ୍ୟାୟନ) ସମସ୍ୟାକୁ ଅନୁମାନ କରି ପରୀକ୍ଷା ବାତିଲ କରାଯିବା ଉଚିତ ନ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସମସ୍ତେ ଜାଣନ୍ତି ଯେ ୧୨ ବର୍ଷର ସ୍କୁଲ୍ ଶିକ୍ଷାରେ ଦଶମ ଏବ˚ ଯୁକ୍ତ ଦୁଇରେ ମାତ୍ର ପବ୍ଲିକ୍ ବା ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥାଏ। ଅନ୍ୟ ସମସ୍ତ ପରୀକ୍ଷା, ପ୍ରଥମ ଶ୍ରେଣୀ ଠାରୁ ନବମ ଏବ˚ ଏକାଦଶ ଶ୍ରେଣୀର ପରୀକ୍ଷା, ସ୍କୁଲ୍ ଅଧୀନରେ ସ˚ପନ୍ନ ହୋଇଥାଏ; ତହିଁରେ ପୁଣି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ‘ନୋ ଡିଟେନ୍ସନ୍’ (କେହି ଫେଲ୍ ହେବେ ନାହିଁ ) ପରୀକ୍ଷା ବ୍ୟବସ୍ଥା ଚାଲିଛି। ଏହି ଦୃଷ୍ଟିରୁ ଦଶମ ବା ମାଟ୍ରିକ୍ ଏବ˚ ଯୁକ୍ତ ଦୁଇ ପରୀକ୍ଷାରେ ପିଲା ଆହରଣ କରିଥିବା ପାଠର ମୂଲ୍ୟାୟନ ହୋଇଥାଏ। ପିଲାର କ୍ୟାରିଅର୍ରେ ଉଭୟ ପରୀକ୍ଷା ଫଳ ଗୋଟାଏ ଗୋଟାଏ ମହତ୍ତ୍ବପୂର୍ଣ୍ଣ ମାଇଲଖୁଣ୍ଟ। ତେଣୁ ପରୀକ୍ଷା ବାତିଲ କରାଯିବା ପୂର୍ବରୁ ବୁଝିବା ଉଚିତ ଥିଲା ଯେ ପରବର୍ତ୍ତୀ ସମୟରେ ଉଚ୍ଚଶିକ୍ଷା ଏବ˚ ନିଯୁକ୍ତି ବେଳେ ଉକ୍ତ ମାର୍କକୁ ସ୍ବୀକୃତି ମିଳି ନ ପାରେ। ତେଣୁ ପିଲାଏ ହଇରାଣ ହେବାର ସମ୍ଭାବନା ଖୁବ୍ ଅଧିକ।
ମାଟ୍ରିକ୍ର ମୂଲ୍ୟାୟନ ପାଇଁ କର୍ତ୍ତୃପକ୍ଷ ଏକ ଫର୍ମୁଲା ସୃଷ୍ଟି କରିଛନ୍ତି। ତା’ ଅନୁଯାୟୀ ନବମ ପରୀକ୍ଷାରେ ପିଲା ହାସଲ କରିଥିବା ମାର୍କ୍ର ୪୦ ପ୍ରତିଶତ ଏବ˚ ଦଶମ ବୋର୍ଡ ପରୀକ୍ଷା ପୂର୍ବରୁ ଆୟୋଜିତ ହୋଇଥିବା ପ୍ରି-ବୋର୍ଡ, ଷାଣ୍ମାସିକ ଆଦି ପରୀକ୍ଷାରେ ମିଳିଥିବା ମାର୍କ୍ର ୬୦ ପ୍ରତିଶତକୁ ମିଶାଯାଇ ଦଶମ ପରୀକ୍ଷାର ମାର୍କ ଦିଆଯିବ। ସେହିଭଳି ସିବିଏସ୍ଇ ସ୍କୁଲ୍ର ଦ୍ବାଦଶ ପରୀକ୍ଷା ପାଇଁ ଫର୍ମୁଲା ହେଲା ଦଶମ ମାର୍କ୍ର ୩୦ ପ୍ରତିଶତ, ଏକାଦଶ ପରୀକ୍ଷା ମାର୍କ୍ର ୩୦ ପ୍ରତିଶତ ଏବ˚ ଦ୍ବାଦଶର ପ୍ରି-ବୋର୍ଡ, ଷାଣ୍ମାସିକ ଆଦି ମାର୍କ୍ର ୪୦ ପ୍ରତିଶତକୁ ମିଶାଯାଇ ଫାଇନାଲ୍ ବା ଚୂଡ଼ାନ୍ତ ମାର୍କ ନିରୂପଣ କରାଯିବ। ଏହା ଯୁକ୍ତିଯୁକ୍ତ ମନେ ହେଉ ନାହିଁ। କରୋନା ଯୋଗୁଁ ଗତ ବର୍ଷ ପାଠପଢ଼ା ପୂର୍ଣ୍ଣ ରୂପରେ ବ୍ୟାହତ ହୋଇଛି। ନବମ ଏବ˚ ଏକାଦଶ ଶ୍ରେଣୀରୁ ପିଲାଙ୍କୁ ବିନା ବାଛ ବିଚାରରେ ଦଶମ ଏବ˚ ଦ୍ବାଦଶକୁ ଉନ୍ନୀତ କରାଯାଇଛି। ସେହି ପିଲା ଏବେ ଦଶମ ଏବ˚ ଦ୍ବାଦଶରେ। ଅର୍ଥାତ୍ ଦଶମର ପିଲାଏ ଉଭୟ ନବମ ଏବ˚ ଦଶମ ଏବ˚ ଦ୍ବାଦଶର ପିଲାଏ ଉଭୟ ଏକାଦଶ ଏବ˚ ଦ୍ବାଦଶ ପରୀକ୍ଷା କାମଚଳା ଅବସ୍ଥାରେ େଦଇଥିଲେ। ଅର୍ଥାତ୍ ଉଭୟ ଦଶମ ଏବ˚ ଦ୍ବାଦଶ ପିଲାଙ୍କ ସବୁ ପରୀକ୍ଷା ମାରା ଗଲା; ସେମାନେ ଆଦୌ ପ୍ରଦର୍ଶନ ନ କରି ମାର୍କ ପାଇଲେ; ପାସ୍ କଲେ। ଏହା କିଛି ପିଲାଙ୍କୁ ହୁଏ’ତ ସୁହାଇଥିବ, ମାତ୍ର ଦୀର୍ଘକାଳୀନ ସୂତ୍ରରେ ଏହା କ୍ଷତିର କାରଣ ହେବ। ଅନେକ ପିଲା ଏଭଳି ପ୍ରତିକୂଳ ପରିସ୍ଥିତିରେ ସୁଦ୍ଧା ନିଜ ପ୍ରୟାସରେ ବୋର୍ଡ ପରୀକ୍ଷା ଦେଇ ଦକ୍ଷତା ପ୍ରଦର୍ଶନ କରିବେ ବୋଲି ଆଶା ରଖିଥିଲେ। ସେମାନେ ଏହି ବ୍ୟବସ୍ଥା ଯୋଗୁଁ କୌଣସି ଲାଭ ପାଇପାରିଲେ ନାହିଁ; ନିଜ ଶୈକ୍ଷିକ ସାମର୍ଥ୍ୟର ପ୍ରଦର୍ଶନ ପାଇଁ ସେମାନଙ୍କୁ ଅବସର ମିଳିଲା ନାହିଁ।
କେନ୍ଦ୍ରୀୟ ଶିକ୍ଷା ବୋର୍ଡ ତୁଳନାରେ ଓଡ଼ିଶା ବୋର୍ଡ୍ର ସ୍ଥିତି ତୁଳନୀୟ ନୁହେଁ। ଏଠି ମାଟ୍ରିକ୍ ପାସ୍ କଲା ପରେ ପିଲା ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ଏକ ନୂଆ ଅନୁଷ୍ଠାନକୁ ଯାଇଥାଏ; କାରଣ ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ଦ୍ବାଦଶ ବା ଯୁକ୍ତ ଦୁଇ ପାଠର ବ୍ୟବସ୍ଥା ନ ଥାଏ। ତେଣୁ ଏବେ ଅଧିକା˚ଶ ପିଲା ସ୍କୁଲ୍ରୁ ମିଳିଥିବା ମାର୍କ ନେଇ ନିଜ ଈପ୍ସିତ ବିଷୟ ଏବ˚ ସ˚ସ୍ଥାନରେ ପ୍ରବେଶ ପାଇବାରେ ଅସୁବିଧାର ସମ୍ମୁଖୀନ ହେବେ। ସେହି ସ୍ଥିତିରେ ‘ଭଲ’ ପରିଗଣିତ ହେଉଥିବା ଶିକ୍ଷାନୁଷ୍ଠାନ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ କରିପାରିବାର ସମ୍ଭାବନା କମ୍, କାରଣ ମହାମାରୀର ଭୟ ଏବେ ବି ପୂର୍ବବତ୍ ରହିଛି। ଦ୍ବାଦଶ ପାସ୍ କରିଥିବା ପିଲାଙ୍କର ଯୁକ୍ତ ତିନିରେ ନାମ ଲେଖା ବେଳେ ସେହି ଏକା ସମସ୍ୟା। କହିବା ବାହୁଲ୍ୟ ଯେ ଭଲ କଲେଜ ଏବ˚ ନିଜ ପସନ୍ଦର ବିଷୟରେ ନାମ ଲେଖାଇବା ପାଇଁ ସମସ୍ୟା ଅଧିକ ଗୁରୁତର ହେବ।
ଦ୍ବାଦଶ ଶ୍ରେଣୀ ପାଇଁ ଓଡ଼ିଶା କର୍ତ୍ତୃପକ୍ଷଙ୍କ ମୂଲ୍ୟାୟନ ପଦ୍ଧତି ସିବିଏସ୍ଇ ତୁଳନାରେ ମଧୢ ଅଧିକ ତ୍ରୁଟିପୂର୍ଣ୍ଣ ବୋଲି ମନେହୁଏ। ଅନ୍ୟ ବିକଳ୍ପର ଅଭାବରେ ଏଥିରେ ଦଶମ ଶ୍ରେଣୀର ମାର୍କକୁ ଆଧାର କରି ଦ୍ବାଦଶର ମାର୍କ ନିର୍ଦ୍ଧାରଣ କରାଯିବ। ଓଡ଼ିଶାରେ ଯୁକ୍ତ ଦୁଇର ପ୍ରଥମ ବର୍ଷରେ ସାଧାରଣତଃ କୌଣସି ପରୀକ୍ଷା ହୋଇନଥାଏ। ଶ୍ରେଣୀରେ ପିଲା ସ˚ଖ୍ୟା ଏତେ ଅଧିକ ଯେ ଶିକ୍ଷକଙ୍କ ପାଇଁ ପ୍ରତି କ୍ଲାସ୍ରେ ଉପସ୍ଥାନ ନେବା ବି ସମୟସାପେକ୍ଷ। ଗତ ବର୍ଷ କରୋନା କାରଣରୁ ପିଲାଙ୍କୁ ଉପର ଶ୍ରେଣୀକୁ ଉନ୍ନୀତ କରାଯାଇଥିଲା। ପୁଣି, ସେହି କରୋନା ଯୋଗୁଁ ଦ୍ବାଦଶ ଶ୍ରେଣୀରେ ପାଖାପାଖି ପ୍ରି-ବୋର୍ଡ ପରୀକ୍ଷା ମଧୢ ଅନୁଷ୍ଠିତ ହୋଇନାହିଁ। ଅଧିକନ୍ତୁ, ଯାହା ସାଧାରଣତଃ ଦେଖାଯାଇଥାଏ, ତାହା ହେଲା ଉଭୟ ସିବିଏସ୍ଇ ଦ୍ବାଦଶ ଏବ˚ ଓଡ଼ିଶାର ଯୁକ୍ତ ଦୁଇରେ ପଢୁଥିବା ପିଲା ଫାଇନାଲ୍ ପରୀକ୍ଷାକୁ ଗୁରୁତ୍ବ ଦେଇ ପ୍ରାକ୍-ବାର୍ଡ ପରୀକ୍ଷାଗୁଡ଼ିକୁ ହେଳା କରିଥାନ୍ତି; କାରଣ ସେହି ସମୟରେ ସେମାନଙ୍କୁ ବିଭିନ୍ନ ପ୍ରବେଶିକା ପରୀକ୍ଷା (ଜେଇଇ ଭଳି) ପାଇଁ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ତେଣୁ ଏବର ନିୟମରେ ପ୍ରି-ବୋର୍ଡ ପରୀକ୍ଷାର ମାର୍କ ଯଦି ବୋର୍ଡ ପରୀକ୍ଷା ପାଇଁ ବ୍ୟବହୃତ ହୁଏ, ତେବେ ମେଧାବୀ ପିଲାଏ ଠକି ଗଲା ଭଳି ଅନୁଭବ କରିବେ।
ଦଶମର ମାର୍କକୁ ଦ୍ବାଦଶର ମାର୍କ ଭାବରେ ବ୍ୟବହାର କରିବାରେ ଆହୁରି ଅନେକ ସମସ୍ୟା ରହିଛି। ପ୍ରଥମ, ଏହା ଏକ ଅବଧାରଣା ସୃଷ୍ଟି କରିବ ଯେ ଦଶମ ଶ୍ରେଣୀ ପରେ ପିଲାର ଶୈକ୍ଷିକ ଅଭିବୃଦ୍ଧି ଘଟିନାହିଁ, ଯଦିଓ କଥା ହେଲା ଉନ୍ନୀତ କୈଶୋରାବସ୍ଥାରେ (ଷୋହଳ ସତର ବର୍ଷ ବୟସରେ) ପିଲା ନିଜ ସାମର୍ଥ୍ୟକୁ ଚିହ୍ନି ସ୍ବ-ଭବିଷ୍ୟତ୍ ଗଢ଼ିବା ପାଇଁ ପାଠରେ ମନୋନିବେଶ କରିବାର ଅସୁମାରି ଉଦାହରଣ ରହିଛି। ପୁଣି ଅନେକ ପିଲା ସେହି ସମୟରେ ବିଗିଡ଼ି ଯିବାର ମଧୢ ଉଦାହରଣ ଦେଖିବାକୁ ମିଳେ। ଦ୍ବିତୀୟତଃ ଦଶମ ଓ ଯୁକ୍ତ ଦୁଇର ବିଷୟ ଭିନ୍ନ। ଦଶମରେ ଯାହା ବିଜ୍ଞାନ, ଯୁକ୍ତ ଦୁଇ ସ୍ତରରେ ତାହା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବ˚ ଜୀବ ବିଜ୍ଞାନ ହୁଏ; ସାମାଜିକ ବିଜ୍ଞାନ ନାମକ ବିଷୟ ମଧୢ ଇତିହାସ, ଭୂଗୋଳ, ଗଣିତ ଏବ˚ ରାଜନୀତି ବିଜ୍ଞାନ ହୁଏ। ଯୁକ୍ତ ଦୁଇ ବେଳକୁ ପୁଣି ଅନେକ ନୂଆ ବିଷୟ ସାମିଲ ହୁଏ। ବାଣିଜ୍ୟ ଭଳି ବିଷୟ ଏହି ଅବଧିରେ ପ୍ରଥମ କରି ଆରମ୍ଭ ହୁଏ। ମାଟ୍ରିକ୍ର ପରୀକ୍ଷାରେ ସର୍ବାତ୍କୃଷ୍ଣ ମାର୍କ ଥିବା ତିନିଟି ବିଷୟର ମାର୍କକୁ ଉପରୋକ୍ତ ନୂତନ ବିଷୟର ମାର୍କ ରୂପେ ପ୍ରଦାନ କରିବା ଆଦୌ ଯୁକ୍ତିଯୁକ୍ତ ମନେ ହୁଏ ନାହିଁ। ଏହାର ଅର୍ଥ ହେଲା ଯୁକ୍ତ ଦୁଇରେ ପିଲାଟି ସେ ପଢ଼ିଥିବା ବିଷୟରେ ମାର୍କ ପାଇଲା ନାହିଁ। ତାକୁ ଇଚ୍ଛାଧୀନ ବିଷୟ ପଢ଼ିବାକୁ ଅବସର ଦେଇ ତହିଁରେ ପରୀକ୍ଷା ନ କରିବା ଏବ˚ ତା’ସ୍ଥାନରେ ମାଟ୍ରିକ୍ର ମାର୍କକୁ ପ୍ରଦାନ କରାଯିବା ଆଦୌ ଗ୍ରହଣୀୟ ମନେହୁଏ ନାହିଁ।
ଏହି ପଦ୍ଧତିର ପରୀକ୍ଷା ଫଳରେ ସନ୍ତୁଷ୍ଟ ନ ଥିବା ପିଲାଏ ପରୀକ୍ଷା ପାଇଁ ଆବେଦନ କରିପାରିବେ ବୋଲି ପ୍ରାବଧାନ କରାଯାଇଛି। ମାତ୍ର ଏହି ପ୍ରାବଧାନ କେବଳ ଏକ ପ୍ରବୋଧନା ଭଳି ସିଦ୍ଧ ହେବ ବୋଲି ଆଶଙ୍କା ଜାତ ହୁଏ। ପରୀକ୍ଷା ପାଇଁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆବେଦନ କରିବେ, ସେମାନଙ୍କ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇ ଫଳାଫଳ ଘୋଷଣା ହେଲା ବେଳକୁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଅନ୍ୟ ସହପାଠୀ ଯୁକ୍ତ ତିନି ଶ୍ରେଣୀରେ ଦାଖିଲା ନେଇ ସାରଥିବେ। ଫଳରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ଗୋଟିଏ ଶିକ୍ଷା ବର୍ଷ ହରାଇବାକୁ ବାଧୢ ହେବାର ଆଶଙ୍କା ରହିଛି। ପୁଣି କଥା ହେଲା, ପରୀକ୍ଷା ବାତିଲ ହେବା ଏବ˚ ତଜ୍ଜନିତ ‘ଅଭିନବ’ ମୂଲ୍ୟାୟନ ବ୍ୟବସ୍ଥାରେ ସରକାରୀ ସ୍କୁଲ୍ ପିଲା ଏବ˚ ଗ୍ରାମାଞ୍ଚଳର ପିଲାଏ, ବିଶେଷ କରି ଝିଅ ପିଲା କ୍ଷତିର ଶିକାର ହେବେ। ସେମାନଙ୍କ ପାଇଁ ପାଠ ଛାଡ଼ିବା ଏହା ପରେ ହୁଏ’ତ ସ୍ବାଭାବିକ ହୋଇପଡ଼ିବ। ଅନ୍ଲାଇନ୍ ପାଠପଢ଼ା ଶିକ୍ଷାର୍ଥୀଙ୍କ ମଧୢରେ ଯେଉଁ ‘ଡିଜିଟାଲ୍ ଡିଭାଇଡ୍’ ବା ‘ଡିଜିଟାଲ୍ ବୈଷମ୍ୟ’ ସୃଷ୍ଟି କରିଥିଲା, ତାହା ସରକାରଙ୍କ ପରୀକ୍ଷା ବାତିଲ ନିଷ୍ପତ୍ତି ଯୋଗୁଁ ବୃଦ୍ଧି ପାଇବ ବୋଲି ମନେହୁଏ।
ମହାମାରୀର ସ˚କ୍ରମଣର ଆଶଙ୍କା ଯୋଗୁଁ ଉଭୟ ପରୀକ୍ଷା ବାତିଲ ହେଲା। କିନ୍ତୁ ବାସ୍ତବତା ହେଲା ଯେ ଡାକ୍ତରୀ, ଆଇଆଇଟି ଭଳି ପ୍ରବେଶିକା ପରୀକ୍ଷାଗୁଡ଼ିକୁ ଗତ ବର୍ଷ ଭଳି ଏ ବର୍ଷ ମଧୢ ବାତିଲ କରାଯାଇନାହିଁ। ଉଚ୍ଚଶିକ୍ଷା ପାଇଁ ଯଦି କର୍ତ୍ତୃପକ୍ଷ ପ୍ରବେଶିକା ପରୀକ୍ଷା କରନ୍ତି, ତେବେ ପିଲାମାନେ ସ˚କ୍ରମଣର ଶିକାର ହେବାର ଭୟ ବୃଦ୍ଧି ପାଇବ ନାହିଁ କି? ଏବେ ସ˚କ୍ରମଣର ମାତ୍ରା ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଉଛି ଏବ˚ କରୋନାର ତୃତୀୟ ଲହଡ଼ି ଆସିବା ପୂର୍ବରୁ ତାହା ଆହୁରି ନିମ୍ନଗାମୀ ହେବ ବୋଲି ବିଶେଷଜ୍ଞମାନେ ଆଶା ପ୍ରକାଶ କରିଛନ୍ତି। ଏବେ ଦେଶର କେତେକ ସ୍ଥାନରେ ଦୋକାନ, ବଜାର, ହୋଟେଲ ବି ସତର୍କତାର ସହିତ ଖୋଲା ଗଲାଣି। ଯଦିଓ ଏହାର ଅର୍ଥ ନୁହେଁ, ମହାମାରୀର ଭୟ ଶୂନ୍ୟ ପ୍ରାୟ। ମାତ୍ର କଥା ହେଲା, ପରୀକ୍ଷାକୁ ବାତିଲ ନ କରି କିଛି କାଳ ସ୍ଥଗିତ ରଖାଯାଇଥିଲେ ହୁଏ’ତ ସମସ୍ତ ସାବଧାନତା ଅବଲମ୍ବନ କରି ବର୍ତ୍ତମାନ ପରୀକ୍ଷା ପରିଚାଳନା କରାଯିବା କଥା ଚିନ୍ତା କରାଯାଉଥାଆନ୍ତା। ପରୀକ୍ଷାକୁ ସଂପୂର୍ଣ୍ଣ ବାତିଲ କରିବା ଛାତ୍ର ସମାଜ ପାଇଁ ଉତ୍ସାହ ପ୍ରଦାନକାରୀ ବିକଳ୍ପ ହୋଇ ନ ପାରେ।
ଅନେକ କହିପାରନ୍ତି ଯେ ସାଧାରଣ ସମୟ ହୋଇଥିଲେ ପରୀକ୍ଷା ବାତିିଲ କରାଯିବାର ପ୍ରଶ୍ନ ହିଁ ନ ଥିଲା। କିନ୍ତୁ ଏବେ ମହାମାରୀ ସମୟରେ ଏହା ଏକ ବାଧ୍ୟବାଧକତା ହୋଇପଡ଼ିଛି। କିନ୍ତୁ ମନେ ରଖିବାକୁ ହେବ ଯେ ଯଦି ପରୀକ୍ଷାର ଫଳ ବାହାରୁ ନ ଥାଆନ୍ତା ଏବଂ ସେହି ଫଳ ଦ୍ବାରା କୌଣସି ଛାତ୍ର ବା ଛାତ୍ରୀର ଭବିଷ୍ୟତ୍ କ୍ଷତିଗ୍ରସ୍ତ ହେଉ ନ ଥାଆନ୍ତା, ତେେବ ପରୀକ୍ଷା ବାତିଲ କରାଯିବା ନେଇ ମଧ୍ୟ କୌଣସି ଆପତ୍ତି ନ ଥିଲା। କିନ୍ତୁ ପରୀକ୍ଷା କେବଳ ଏକ ନିଷ୍ଫଳ କସରତ ନୁହେଁ। ଏହା କୌଣସି ବିଦ୍ୟାର୍ଥୀର ସାମର୍ଥ୍ୟର ପ୍ରମାଣ ଦେବା ଲାଗି ଏକ ବ୍ୟବସ୍ଥା। ପରୀକ୍ଷା ବାତିଲ କରାଯାଇଥିଲେ ସୁଦ୍ଧା ଯଦି କୌଣସି ଉପାୟରେ ଏକ ଯଥାର୍ଥ ମୂଳ୍ୟାୟନ ସମ୍ଭବ ହୁଅନ୍ତା, ତେବେ ହୁଏ’ତ କିଛି କଥା ନ ଥିଲା। ଏହି ମହାମାରୀ କେେତ ଦିନ ରହିବ ତାହା କହିହେବ ନାହିଁ। ତା’ ଅର୍ଥ ପରୀକ୍ଷାକୁ ବାତିଲ କରାଯିବା କ’ଣ ଏକ ଧାରାରେ ପରିଣତ ହେବ? ଅନ୍ତତଃ ସେଭଳି ନ ହେଉ। ପରୀକ୍ଷା କରାଯିବା ନେଇ ବିକଳ୍ପ ଚିନ୍ତନ ହେଉ। କାରଣ ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କଦାପି ବିବାଦ ବର୍ଜିତ ହେବ ନାହିଁ।
[email protected]