ସିକନ୍ଦରଙ୍କ ଶେଷ କ୍ଷଣ

କଥାଟିଏ-ଯାଯାବର

ଦିଗ୍‌ବିଜୟ ପରେ ନିଜ ଦେଶକୁ ଫେରୁଥବା ସିକନ୍ଦର ଗୁରୁତର ରୋଗରେ ପୀଡ଼ିତ ହେଲେ। ଚିକିତ୍ସକମାନେ ଚିକିତ୍ସାରେ ଲାଗିଗଲେ, କିନ୍ତୁ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଲା। ତେଣୁ, ଚିକିତ୍ସକମାନେ ଆଶା ଛାଡ଼ି ଦେଲେ।
କାହାଣୀରେ ଅଛି କୁଆଡ଼େ ସିକନ୍ଦର ଏହା ଜାଣି ଭାରି କରୁଣ ଦିଶିଲେ। ସେ ମିନତି ହୋଇ କହିଲେ- ସବୁ ରାଜ୍ୟ ଦେଇ ଦେବି। ମୋତେ ବଞ୍ଚାଇ ଦିଅ।
ଚିକିତ୍ସକମାନେ ଦୀର୍ଘଶ୍ବାସ ପକାଇ କହିଲେ- ଆଉ ସମ୍ଭବ ନୁହେଁ।
ସିକନ୍ଦର କହିଲେ- କୌଣସି ପ୍ରକାରେ ଚବିଶ ଘଣ୍ଟା ବଞ୍ଚେଇ ରଖ। ମୁଁ ମୋ ମା’ଙ୍କୁ ଦେଖା କରିବାକୁ ଚାହେଁ।
ଚିକିତ୍ସକମାନେ କହିଲେ- ମଣିମା, ଆପଣ ଓ ଆମେ ଯେତେ ଯାହା କଲେ ବି ତାହା ସମ୍ଭବ ନୁହେଁ। ଆପଣଙ୍କ ବଳକା ରହିଥିବା ପ୍ରଶ୍ବାସରୁ ଆଉ ଗୋଟିଏ ବି ପ୍ରଶ୍ବାସ ଅଧିକ ନୁହେଁ।
ସିକନ୍ଦରଙ୍କ ଆଖିରୁ ଲୁହ ଝରି ଆସିଲା। ସେ ସ୍ବଗତୋକ୍ତି କଲେ- ହାୟ, ମୁଁ କ’ଣ କଲି! ମୋର ସବୁ ରାଜ୍ୟ ଦେଇ ବି ମୁଁ ଗୋଟିଏ ଅଧିକ ପ୍ରଶ୍ବାସ ଅର୍ଜନ କରିପାରିଲି ନାହିଁ। ଅଥଚ ଜୀବନର ସବୁ ଯାକ ପ୍ରଶ୍ବାସ ରାଜ୍ୟ ଜୟରେ ବ୍ୟୟ କରିଦେଲି!
କୁହାଯାଏ ଯେ ମୃତ୍ୟୁ ବେଳେ ସିକନ୍ଦରଙ୍କ ଯେଉଁଭଳି ଚୈତନ୍ୟ ଉଦୟ ହୋଇଥିଲା, ସେଭଳି ଆଉ କାହା ଠାରେ କ୍ବଚିତ ଘଟିଥିବ ଅବା! ସେ କହିଲେ- ମୁଁ ମଲା ପରେ ମୋ ଦୁଇ ହାତକୁ ଖୋଲା କରି ଝୁଲାଇ ଦେବ। ତାହା ହେଲେ ଲୋକେ ଦେଖି ବୁଝିବେ ଯେ ବିଶ୍ବବିଜୟୀ ସିକନ୍ଦର ଯେମିତି ଖାଲି ହାତରେ ଆସିଥିଲା, ସେମିତି ଖାଲି ହାତରେ ବାହୁଡ଼ି ଗଲା।

ସମ୍ବନ୍ଧିତ ଖବର