ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ଦେଶକୁ ମିଳିଛି ନୂଆ ରେଳମନ୍ତ୍ରୀ । ଆଉ ମନ୍ତ୍ରାଳୟର ଦାୟିତ୍ୱ ନେବା ପରଠାରୁ ନିଜ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ ଅଛନ୍ତି ଅଶ୍ୱିନୀ ବୈଷ୍ଣବ । ଦାୟିତ୍ୱ ନେବା ପରେ, ଅଫିସରେ କାମ କରିବାର ସମୟ ପରିବର୍ତ୍ତନ କରିଦେଲେ ରେଳମନ୍ତ୍ରୀ । ଆଉ ଏବେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ରେଳ ବିଭାଗର ଜଣେ ଇଂଜିନିୟରଙ୍କୁ ‘ବସ୍’ ଡାକିବା ପାଇଁ କହୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭିଡିଓରେ ବେସ ହାଲୁକା ଢଙ୍ଗରେ ନଜର ଆସୁଛନ୍ତି ମନ୍ତ୍ରୀ ।
Sambad is now on WhatsApp
Join and get latest news updates delivered to you via WhatsApp
ତେଣୁ ଆପଣଙ୍କ ମନରେ ପ୍ରଶ୍ନ ଆସିବ, ହଠାତ ଜଣେ ବିଭାଗୀୟ କର୍ମଚାରୀଙ୍କୁ କାହିଁକି ବସ୍ କହିବା ପାଇଁ କହିଲେ ମନ୍ତ୍ରୀ ? କଥାହେଲା ଶୁକ୍ରବାର ରେଳବାଇ ସିଗ୍ନାଲ ବିଭାଗର ଜଣେ ଇଂଜିନିୟରଙ୍କ ସହ ମନ୍ତ୍ରୀଙ୍କ ପରିଚୟ କରାଇ ଦେଇଥିଲେ ବିଭାଗୀୟ ଉଚ୍ଚ ଅଧିକାରୀ । ପରିଚୟ ଦେଲାବେଳେ କହିଥିଲେ ଯେ, ଇଂଜିନିୟର ଜଣକ ସେହି କଲେଜରେ ପାଠ ପଢୁଥିଲେ ଯେଉଁଠାରେ ପଢିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାପରେ ତାଙ୍କୁ କୁଣ୍ଢାଇ ପକାଇଥିଲେ ମନ୍ତ୍ରୀ ।
ସେହିପରି ତାଙ୍କୁ ‘ସାର ନ ଡାକି ବସ୍’ ବୋଲି ସମ୍ବୋଧନ କରିବାକୁ କହିଥିଲେ । କାରଣ ସେ ଯେଉଁ କଲେଜରେ ପାଠ ପଢୁଥିଲେ ସେଠାରେ ଜୁନିଅରମାନେ ସିନିୟରଙ୍କୁ ବସ୍ ବୋଲି ସମ୍ବୋଧନ କରୁଥିଲେ । ଅର୍ଥାତ ଅତି ହାଲୁକା ଭାବେ ଏହି କଥା କହି ପରିବେଶକୁ ବେଶ ସ୍ୱାଭାବିକ କରି ଦେଇଥିଲେ ମନ୍ତ୍ରୀ । ନୂଆ ରେଳମନ୍ତ୍ରୀଙ୍କ ଏହି ସ୍ୱଭାବକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଛି । ସୋସିଆଲ ମିଡିଆରେ ମଧ୍ୟ ଭିଡିଓଟି ଭାଇରାଲ ହେବାରେ ଲାଗିଛି ।