ମୁକ ପାଲଟିଗଲେ କପିଳ: ୧୯୮୩ ଦଳ ସ୍ତବ୍‌ଧ

ବିସିସିଆଇର ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ସଫଳ କ୍ରିକେଟର୍‌ ତଥା ୧୯୮୩ ବିଶ୍ବକପ୍‌ ବିଜୟୀ ଦଳର ପ୍ରମୁଖ ସଦସ୍ୟ ୟଶପାଲ୍‌ ଶର୍ମାଙ୍କ ବି‌‌‌ୟୋଗରେ ଭାରତୀୟ କ୍ରିକେଟ୍‌ ଦୁନିଆ ସ୍ତବ୍‌ଧ ହୋଇଯାଇଛି। ତାଙ୍କ ଦଳୀୟ ସାଥୀ, ବର୍ତମାନର କ୍ରିକେଟର୍‌, କ୍ରିକେଟ୍‌ ପ୍ରଶାସକ, ରାଜନେତା ଏବଂ ଯୁବ‌ ଖେଳାଳିମା‌ନେ ମଧ୍ୟ ୟଶପାଲ୍‌ଙ୍କ ପାଇଁ ଶୋକ ପ୍ରକଟ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସବୁଠାରୁ ଅଧିକ ଦୁଃଖ ପାଇଛନ୍ତି ୧୯୮୩ ବିଶ୍ବକପ୍‌ ବିଜୟୀ ଦଳର ଅଧିନାୟକ କପିଳ ଦେବ। କପିଳ ଦେବଙ୍କୁ ଏହି ଖବର ମିଳିବା ମାତ୍ରେ ସେ ହତବାକ୍‌ ହୋଇଯାଇଥିଲେ। ‘ମୁଁ କିଛି କହିବା ସ୍ଥିତିରେ ନାହିଁ’ କହି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଦିଲ୍ଳୀପ ଭେଙ୍ଗସରକାର, କୀର୍ତ୍ତି ଆଜାଦ, ବଲବିନ୍ଦର ସିଂହ ସାନ୍ଧୁ, ଅନିଲ କୁମ୍ବଲେ, ସଚିନ ତେନ୍ଦୁଲକର, ଭିଭିଏସ୍ ଲକ୍ଷ୍ମଣ ପ୍ରମୁଖ ମଧ୍ୟ ଶୋକ ପ୍ରକାଶ କରିଥିଲେ।

‘ମୁଁ ମୋ ଜୀବନର ସବୁଠୁ ଖରାପ ଖବର ପାଇଲି, ୧୯୮୩ ମସିହା ବିଶ୍ବକପ୍‌ ବିଜୟୀ ଦଳର ସଦସ୍ୟ ଏକ ପରିବାର ଭଳି। ଏହି ପରିବାରର ଜଣେ ସଦସ୍ୟ ଆଉ ନାହାନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ’ ବୋଲି ସାନ୍ଧୁ ପ୍ରକାଶ କରିଥିଲେ। ଆମେ ତିନିଟି ଗସ୍ତରେ ଏକାଠି ଯାଇଥିଲୁ, କିନ୍ତୁ ସ୍ମୃତି ସବୁ ଏବେ ମନେ ପକାଇବା ପାଇଁ ମୋ ନିକଟରେ ଭାଷା ନାହିଁ। ୟଶପାଲଙ୍କ ଦେହାନ୍ତ ଖବର ଦୁଃଖ ଦେଇଛି। ତାଙ୍କ ଆତ୍ମାକୁ ଶାନ୍ତି ଓ ସଦ୍‌ଗତି ମିଳୁ’ ବୋଲି ସାନ୍ଧୁ ଲେଖିଥିଲେ। ପଡିଆରେ ତାଙ୍କ ଫିଲଡିଂ ଓ ଫୂର୍ତ୍ତିପଣିଆ ଢ଼େର ମନେ ପଡିବ‌ ବୋଲି କହିଥିଲେ କୀର୍ତ୍ତି ଆଜାଦ। ସେତେବେଳେ ସେ ଏବର ରବୀନ୍ଦ୍ର ଜାଦେଜାଙ୍କ ଭଳି ଭୂମିକାରେ ଥିଲେ। ଦଳର ସଦସ୍ୟଙ୍କ ପାଇଁ ମଧ୍ୟ ଘରୋଇ ଖାଦ୍ୟ ପ୍ରସ୍ତୁତ କରି ଦେଉଥିଲେ। ସେ ଜଣେ ସାକାହାରୀ ଥିବାରୁ ପ୍ରତିଟି ଗସ୍ତରେ ଘରୋଇ ଖାଦ୍ୟ ପ୍ରସ୍ତୁତ କରୁଥିଲେ। ଡାଲି ଭାତ, ଛୋଲେ ରାଜମା ଆଦି ସମସ୍ତଙ୍କ ପାଇଁ ପ୍ରସ୍ତୁତ କରି ଦେଉଥିଲେ। ଫିଟନେସ୍‌ ଓ ଖାଦ୍ୟକୁ ନେଇ ସେ ଭାରି ନିଷ୍ଠାବାନ ଥିଲେ ବୋଲି ଆଜାଦ ପ୍ରକାଶ କରିଛନ୍ତି।

ୟଶପାଲଙ୍କ ଅକାଳ ବି‌‌‌‌‌ୟୋଗ ଖବର ଦେଶର କ୍ରିକେଟ୍ ଦୁନିଆକୁ ମଙ୍ଗଳବାର ସମ୍ପୂଣ୍ଣ ସ୍ତବ୍‌ଧ କରି ଦେଇଥିଲା। ୧୯୮୩ ବିଶ୍ବକପ୍‌ ବିଜୟୀ ଦଳର ଅଧିକାଂଶ ସଦସ୍ୟ ଏହି ଦୁଃଖଦ ଖବର ପାଇବା ପରେ ସ୍ତବ୍‌ଧ ପାଲଟିଯାଇଥିଲେ। ଦୁଃଖ ଓ ଶୋକରେ ଏଭଳି ବୁଡିଯାଇଥିଲେ ଯେ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଭାଷା ପାଇନଥିଲେ। ମୁଁ ଜଣେ ଭଲ ବଂଧୁଙ୍କୁ ହରାଇଲି ବୋଲି ଟ୍ବିଟ୍‌ କରିଥିଲେ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ। ‘୧୯୮୩ ବିଶ୍ବକପ୍‌ ବିଜୟରେ ସେ ଥିଲେ ଅନ୍ୟତମ ନାୟକ, ତାଙ୍କ ସହ ଖେଳିବାର ଅନେକ ସ୍ମୃତି ରହିଛି। ତାଙ୍କ ପରଲୋକ ଖବର ଗଭୀର ଦୁଃଖ ଦେଇଛି’ ବୋଲି ଉଲ୍ଲେଖ କରିଥିଲେ ଶ୍ରୀକାନ୍ତ।

୧୯୮୩ ମସିହା ବିଶ୍ବକପ୍‌ ସମୟରେ ମୁଁ ତାଙ୍କ ବ୍ୟାଟିଂ ଦେଖି ପ୍ରେରିତ ହୋଇଥିଲି। ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କ ଅବଦାନକୁ ଭୁଲି ହେବ ନାହିଁ ବୋଲି ନିଜ ଶ୍ରଦ୍ଧାଞ୍ଜଳି ବାର୍ତ୍ତାରେ ଲେଖିଛନ୍ତି ସଚିବ ତେନ୍ଦୁଲକର। ୟଶପାଲଙ୍କ ପରଲୋକ ମୋତେ ଯନ୍ତ୍ରଣା ଦେଇଛି, ତାଙ୍କ ପରିବାର ଓ ପରିଜନଙ୍କୁ ଈଶ୍ବର ଶକ୍ତି ଦିଅନ୍ତୁ ବୋଲି କହିଥିଲେ ଅନିଲ କୁମ୍ବଲେ। ବୀରେନ୍ଦ୍ର ସେହବାଗ, ଯୁବରାଜ ସିଂହ, ଈର୍ଫାନ ପଠାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ବିସିସିଆଇର ଶ୍ରଦ୍ଧାଞ୍ଜଳି
ୟାଶପାଲ୍‌ ଶର୍ମାଙ୍କ ପରଲୋକ ଖବର ଜାଣିବା ପରେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ମଧ୍ୟ ଏହି ମହାନ କ୍ରିକେଟରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି। ଭାରତର ପ୍ରଥମ ବିଶ୍ବକପ୍‌ ବିଜୟୀ ଦଳ ସଦସ୍ୟ ୟଶପାଲଙ୍କ ଦେହାନ୍ତ ଖବର ଗଭୀର ଯନ୍ତ୍ରଣା ଦେଇଛି, ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ସେ କରିଥିବା ୮୯ ରନ୍‌ ଚିରସ୍ମରଣୀୟ ରହିବ। ଏହା ହିଁ ଭାରତକୁ ବିଶ୍ବକପ୍‌ ବିଜେତା କରାଇବାରେ ଆତ୍ମବିଶ୍ବାସ ଦେଇଥିଲା’ ବୋଲି ଉଲ୍ଲେଖ କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା। ୟଶପାଲ୍‌ ହିଁ ଭାରତୀୟ ଯୁବ ଖେଳାଳିଙ୍କୁ ଟ୍ରଫି ଜିତି ପାରିବାର ସ୍ବପ୍ନ ଦେଖାଇଥିଲେ ବୋଲି କହିଥିଲେ ବିସିସିଆଇ ସଭାପତି ତଥା ପୂର୍ବତନ ଅଧିନାୟକ‌ ସୌରଭ ଗାଙ୍ଗୁଲି। ପୂର୍ବତନ ସଭାପତି ଏନ୍ ଶ୍ରୀନିବାସନ ଶୋକ ପ୍ରକାଶ କରିଛନ୍ତି। କ୍ରୀଡ଼ାମନ୍ତ୍ରୀ ତଥା ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁର ମଧ୍ୟ ସୋସିଆଲ୍ ମିଡିଆରେ ୟଶପାଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭାରତ ପାଇଁ ୟଶପାଲ୍‌ ୩୭ ଟେଷ୍ଟ ଏବଂ ୪୨ ଦିନିକିଆ ଖେଳିଥିଲେ।

ସମ୍ବନ୍ଧିତ ଖବର