ବାମରା: ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ରଙ୍ଗିଆଟିକିରା ପଞ୍ଚାୟତରେ ହୋଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଗ୍ରହଣ ଶେଷ ହୋଇଛି। ସରପଞ୍ଚ ଚମ୍ପାବତୀ ମିଞ୍ଜ ହାରି ଯାଇଥିବା ସୂଚନା ମିଳିଛି। ଅନାସ୍ଥା ସପକ୍ଷରେ ୧୦ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ମାତ୍ର ଗୋଟିଏ ଭୋଟ୍।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁସାରେ ଗତ ପ୍ରାୟ ୨/୩ ବର୍ଷ ହେବ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ସହ ନିୟମ ଅନୁସାରେ ଗ୍ରାମସଭା, ପଲ୍ଲୀ ସଭା, ମାସିକ ବୈଠକ, ସ୍ୱତନ୍ତ୍ର ବୈଠକ କରାଯାଉ ନାହିଁ। ସେହିପରି ୱାର୍ଡ ମେମ୍ବରମାନଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଅନେକ ବେଆଇନ କାମରେ ସରପଞ୍ଚ ଲିପ୍ତ ରହୁଥିବା ବାରମ୍ବାର ଅଭିଯୋଗ ହେଉଥିଲା।
ଏ ନେଇ ୱାର୍ଡ ମେମ୍ବରମାନେ ବିଡିଓଙ୍କଠାରୁ ଆରମ୍ଭ କରି ତହସିଲଦାର, କୁଚିଣ୍ଡା ଉପଜିଲ୍ଲାପାଳ, ସମ୍ବଲପୁର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି କୁଚିଣ୍ଡା ଉପଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମାସ ୨୭ ତାରିଖରେ ଅନାସ୍ଥା ପ୍ରସ୍ତାବ ଭୋଟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ଏହି କ୍ରମରେ ମଙ୍ଗଳବାର ପୂର୍ବାହ୍ନ ୧୧ଟା ପରେ ବାମରା ଏବିଡିଓ ସୁଶାନ୍ତ ପଣ୍ଡା ରିଟର୍ଣ୍ଣିଂ ଅଫିସର ଦାୟିତ୍ବରେ ଥାଇ ଭୋଟ ପ୍ରକ୍ରିୟା ସଂପାଦନ କରିଥିଲେ।
ମ୍ୟାଜିଷ୍ଟ୍ରେଟ ଦାୟିତ୍ବରେ ବାମରା ତହସିଲଦାର ଅନିଲ କୁଲୁ ତଥା ଶାନ୍ତି ଶୃଙ୍ଖଳା ଦାୟିତ୍ବରେ ଗୋବିନ୍ଦପୁର ଥାନାଧିକାରୀ ଅଜୟ ଜେନା ଓ ମହୁଲପାଲି ଥାନାଧିକାରୀ ଯାଜ୍ଞସେନୀ ନାଏକ ସ୍ୱତନ୍ତ୍ର ଫୋର୍ସ ସହ ମୁତୟନ ଥିଲେ। ପଞ୍ଚାୟତର ମୋଟ ୧୨ଟି ୱାର୍ଡ ମଧ୍ୟରୁ ୨ଟି କୌଣସି କାରଣରୁ ଖାଲି ପଡ଼ିଥିବା ବେଳେ ୧୦ ଜଣ ୱାର୍ଡ ମେମ୍ବର ଓ ସରପଞ୍ଚଙ୍କ ସହ ମୋଟ ୧୧ ଜଣ ଉପସ୍ଥିତ ରହି ଅନାସ୍ଥା ପ୍ରସ୍ତାବରେ ଭୋଟ ଦେଇଥିଲେ। ସେଥିରୁ ଗୋଟିଏ ଭୋଟ୍ ସରପଞ୍ଚଙ୍କ ସପକ୍ଷରେ ଯାଇଥିଲା ବେଳେ ୧୦ଟି ବିପକ୍ଷରେ ଥିଲା।
ଭୋଟ୍ ଦେଇଥିବା ସଭ୍ୟମାନେ ହେଲେ ସରପଞ୍ଚ ଚମ୍ପାବତୀ ମିଞ୍ଜ, ନାଏବ ସରପଞ୍ଚ ପ୍ରଫୁଲ୍ଲ ସୋରେଙ୍ଗ, ୱାର୍ଡ ସଭ୍ୟ ନୃପମଣି ବାଘ, ସୁଷମା ମିଞ୍ଜ, ନାମାନି ବାର୍ଲା, କରୁଣା ଧନୱାର, ଡୋଜି ନାୟକ, ଘନଶ୍ୟାମ କମାର, ସୌଦାମିନୀ କମାର, କିଶୋର ଖାଲଖୋ ଓ ରବୀନ୍ଦ୍ର ନାଏକ। ସବ ଡିଭିଜନାଲ ପଞ୍ଚାୟତ ଅଫିସର ଟିକେଶ୍ୱର କିଷାନ ଓ ବ୍ଲକ ଡବ୍ଲୁଇଓ ରଞ୍ଜନ ରାମ ନିର୍ବାଚନ ପରିଚାଳନା କରିଥିଲେ। ସରପଞ୍ଚ ଅନାସ୍ଥା ଭୋଟରେ ପରାଜିତ ହୋଇଥିବା ଡବ୍ଲୁଇଓ ସୂଚନା ଦେଇଛନ୍ତି। ଆସନ୍ତ ୩୦ ତାରିଖ ଦିନ ବାମରା ବ୍ଲକ ମହୁକୁମା ଗୋବିନ୍ଦପୁର ପଞ୍ଚାୟତରେ ମଧ୍ୟ ସରପଞ୍ଚ ମୀନାକ୍ଷୀ ମାଝୀଙ୍କ ବିରୋଧ ଆସିଥିବା ଅନାସ୍ଥା ପ୍ରସ୍ତାବ ଭୋଟ ଗ୍ରହଣ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣାପଡ଼ିଛି।