ଆଇଏନ୍‌ଆଇ-ସିଇଟିରେ ୩୯ତମ ସ୍ଥାନ ହାସଲ କଲେ ସ୍ବୀକୃତି

ରାଉରକେଲା: ଡାକ୍ତରମାନଙ୍କ ପାଇଁ କଠିନତମ ପରୀକ୍ଷା ଭିତରୁ ଗୋଟିଏ ଭାବେ ଗଣା ଯାଉଥିବା ଆଇଏନ୍‌ଆଇ-ସିଇଟି (ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ନ୍ୟାସନାଲ ଇମ୍ପୋଟାନ୍ସ କମ୍ବାଇନ୍ଡ଼ ଏନ୍‌ଟ୍ରାନ୍‌ସ ଟେଷ୍ଟ)ରେ ରାଉରକେଲାର ଝିଅ ସ୍ବୀକୃତି ଦାଶ ସର୍ବଭାରତୀୟ ସ୍ତରରେ ୩୯ତମ ସ୍ଥାନ ଅଧିକାର କରିଛନ୍ତି। ଗତକାଲି ସନ୍ଧ୍ୟାରେ ଏହି ଫଳ ପ୍ରକାଶ ପାଇବା ପରେ ତାଙ୍କର ଏହି ସଫଳତାକୁ ନେଇ ଇସ୍ପାତ ସହରବାସୀ ବହୁ ଆନନ୍ଦ ପ୍ରକାଶ କରିଛନ୍ତି।

ଉଲ୍ଲେଖନୀୟ ଯେ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଏମ୍‌ବିବିଏସ୍‌ ଡିଗ୍ରିଧାରୀ ଛାତ୍ରଛାତ୍ରୀ ଏଆଇଆଇଏମ୍ଏସ୍, ଜେଆଇପିଏମ୍‌ଇଆର୍, ପିଜିଆଇଏମ୍‌ଇଆର୍ ଓ ଏନ୍‌ଆଇଏମ୍‌ଏଚ୍‌ଏଏନ୍‌ଏସ୍‌ ଭଳି ସୁନାମଧନ୍ୟ ଓ ବଡ଼ ଜାତୀୟ ଅନୁଷ୍ଠାନରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ହୁଅନ୍ତି। ସ୍ବୀକୃତି କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରୁ ଗତବର୍ଷ ଏମ୍‌ବିବିଏସ୍‌ ପାସ୍‌ କରିଛନ୍ତି। ସ୍ବୀକୃତି ହେଉଛନ୍ତି ରାଉରକେଲା ଇସ୍ପାତ କାରଖାନା ବ୍ଲାଷ୍ଟ ଫର୍ନେସ ବିଭାଗର ଡିଜିଏମ୍‌ ସରୋଜ କୁମାର ଦାଶ ଓ ସୁରଞ୍ଜିତା ଦାଶଙ୍କର ଝିଅ। ସେ ୨୦୧୨ ମସିହାରେ ରାଉରକେଲାର ସେଣ୍ଟ ଜୋସେଫ କନ୍‌ଭେଣ୍ଟରୁ ଦଶମ ପାସ୍ କରିଥିଲେ। ସେହି ବର୍ଷ ସେ ଥିଲେ ଓଡ଼ିଶା ଆଇସିଏସ୍‌ଇ ଟପର୍‌। ତା’ପରେ ସେ ଏଠାକାର ଦିଲ୍ଲୀ ପବ୍ଲିକ ସ୍କୁଲରୁ ଯୁକ୍ତଦୁଇ ଉତ୍ତୀର୍ଣ୍ଣ ହୋଇଥିଲେ।

ନିଜ ସଫଳତା ସଂପର୍କରେ ସ୍ବୀକୃତି କହନ୍ତି, ‘‘ଏଥିରେ ସ୍ବାଭାବିକ ଭାବେ ମୁଁ ବହୁତ ଖୁସି। ମୁଁ ପାଇବି ବୋଲି ତ ବିଶ୍ବାସ ନିଶ୍ଚୟ ଥିଲା, କିନ୍ତୁ ଏତେ ଉପର ରୢାଙ୍କ୍‌ ରହିବ ବୋଲି ସତରେ ମୋ’ର ଆଶା ନଥିଲା। ଇଣ୍ଟରନେଟ୍‌ରେ ଫଳ ଦେଖି ପ୍ରଥମେ ମୁଁ ବିଶ୍ବାସ କରି ପାରି ନଥିଲି, ତେଣୁ ବାପାଙ୍କୁ ଦେଖିବାଲାଗି କହିଥିଲି।’’ ନିଜ ସଫଳତାର ଶ୍ରେୟ ସେ ବାପା ମାଆଙ୍କ ସମେତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ନିଜ ସାଙ୍ଗ ଓ ସିନିୟର୍‌ମାନଙ୍କୁ ଦିଅନ୍ତି। ସ୍ବୀକୃତି ରେଡିଓଲୋଜି ପିଜିରେ ନାମ ଲେଖାଇବାକୁ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର