ସେପ୍ଟେମ୍ବରରୁ କାର୍ଯ୍ୟକ୍ଷମ ହେବ ବଡ଼ମ୍ବା ଜେଲ

କଟକ: ବଡ଼ମ୍ବା ଜେଲ ଉଠିଯିବା ନେଇ ଲାଗିରହିଥିବା ଆଶଙ୍କା ଉପରେ ଯବନିକା ପଡିଛି। ବଡ଼ମ୍ବା ଓକିଲ ସଂଘ ନାଗରିକ କମିଟିର ମିଳିତ ପ୍ରତିନିଧି ମଣ୍ଡଳୀ ୬ ମାସ ତଳେ ଏ ସଂପର୍କରେ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସହିତ ଯାଇ ସ୍ବରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ଡିଜି ପୁଲିସ (ଜେଲ) ସନ୍ତୋଷ ଉପାଧ୍ୟାୟ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ଏହାକୁ ବନ୍ଦ ନ କରିବାକୁ ଅନୁରୋଧ କରିଥିଲେ। ଏହାକୁ ଉଠାଇବାର ପ୍ରକ୍ରିୟା ବନ୍ଦ କରି କାର୍ଯ୍ୟକ୍ଷମ ହେବ ବୋଲି ନୀତିଗତ ନିଷ୍ପତ୍ତି ସରକାର ଏହି ଆଲୋଚନା ପରେ ନିଷ୍ପତ୍ତି ନେଇଛନ୍ତି। ସେତେବେଳେ ଏହି ଆଲୋଚନାରେ ଓକିଲ ସଂଘ ତରଫରୁ ସନ୍ତୋଷ ପଟ୍ଟନାୟକ, ମାୟାଧର ମଲ୍ଲିକ, ପରେଶ ମହାନ୍ତି, ତତ୍କାଳୀନ ଓକିଲ ସଂଘର ସଭାପତି କୈଳାଶ ଜେନା, ସମ୍ପାଦକ ଦିଲ୍ଲୀପ ସାମନ୍ତ, ସର୍ବଦଳୀୟ ନାଗରିକ କମିଟି ପକ୍ଷରୁ ଅମୀୟ ପଟ୍ଟନାୟକ, ରବୀନ୍ଦ୍ର ସାହୁ, ସଦାନନ୍ଦ ସ୍ୱାଇଁ, ଅମରେଶ ରଥ ପ୍ରମୁଖ ଭାଗ ନେଇଥିଲେ। କିନ୍ତୁ କୋଭିଡ ସଂକ୍ରମଣ ଯୋଗୁଁ ଏହାକୁ କାର୍ଯ୍ୟକ୍ଷମ କରିବା ବିଳମ୍ବିତ ହୋଇଛି।

ଆଜି ବଡ଼ମ୍ବା ଓକିଲ ସଂଘର ନୂତନ ସଭାପତି ସନ୍ତୋଷ ବେହେରା, ସମ୍ପାଦକ ପ୍ରମୋଦ ପୁହାଣ ଓ ଓକିଲ ସଂଘର ପ୍ରତିନିଧି ମଣ୍ଡଳୀରେ ପରେଶ ମହାନ୍ତି, ମନୋଜ ପଣ୍ଡା, ଅମୂଲ୍ୟ ପାଣିଗ୍ରାହୀ ପ୍ରମୁଖ ବିଧାୟକଙ୍କ ଉପସ୍ଥିତିରେ ପୁଲିସ ମହାନିର୍ଦ୍ଦେଶକ (କାରାଗାର) ଶ୍ରୀ ଉପାଧ୍ୟାୟଙ୍କୁ ଭେଟି ସଂକ୍ରମଣ କମିଥିବାରୁ ନୀତିଗତ ନିଷ୍ପତ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ। ସେପ୍ଟେମ୍ବର ମାସରେ ନିଶ୍ଚିତଭାବେ ଏହା କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦେବା ସହ ଏହାର ପ୍ରକ୍ରିୟା ଜାରି ରହିଥିବା ସମ୍ପର୍କରେ ଡିଜି ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର