ଯୁବତୀଙ୍କୁ ହତ୍ୟା କରି ଅଖାରେ ବାନ୍ଧି ଋଷିକୁଲ୍ୟାକୁ ଫିଙ୍ଗିଦେଲେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରସ୍ଥିତ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍ ନିକଟ ଋଷିକୁଲ୍ୟା ନଦୀରୁ ଶନିବାର ଦିନ ଅଖା ଭିତରେ ପଥର ସହ ବନ୍ଧା ହୋଇଥିବା ଅବସ୍ଥାରେ ଜଣେ ଯୁବତୀଙ୍କ ଗଳିତ ଶବ ମିଳିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ହେଲେ ମୃତକଙ୍କ ପରିଚୟ ଏଯାବତ୍‌ ମିଳିନି। ଆଜି ସକାଳେ ନଦୀରେ ଏକ ଜରିଅଖା ଭାସୁଥିବା ଦେଖି ସ୍ଥାନୀୟ ଲୋକେ ଗଞ୍ଜାମ ଥାନା ପୁଲିସକୁ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସ୍‌.ପି.ଠାକୁର ପ୍ରସାଦ ପାତ୍ରଙ୍କ ସମେତ ଗଞ୍ଜାମ , ଛତ୍ରପୁର, ଚମାଖଣ୍ଡି ଥାନାଧିକାରୀ ପ୍ରମୁଖ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲେ। ଶବଟି ସଂପୂର୍ଣ୍ଣ ଭାବେ ପଚି ଯାଇଥିବା ସହ ବେକରେ କଳାଦାଗ ମଧ୍ୟ ରହିଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିବା ପରେ ଗଞ୍ଜାମ ଥାନାରେ କେସ୍‌ ନମ୍ବର ୧୪୯ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ସହ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର