ମହୋଦଧି କୂଳରୁ

ପ୍ରଫେସର ଗଣେଶୀ ଲାଲ

ପୁରୀ ସମୁଦ୍ର କୂଳରେ ଯେଉଁଠୁ ସମୁଦ୍ରକୁ ଦେଖୁଛି; ତାହା ସ˚ପର୍କରେ ଲର୍ଡ ମାଉଣ୍ଟବାଟେନ୍‌ ମନ୍ତବ୍ୟ ଦେଇଥିଲେ- Puri sea beach is the best beach, I have ever visited and the Puri Government House is the finest. ସେହି ଗଭର୍ଣ୍ଣମେଣ୍ଟ ହାଉସ୍‌ ହେଉଛି ଏବର ରାଜଭବନ। ଗତ ଫନି ବାତ୍ୟାରେ ଏହା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିଲା। ଫନି ପରେ ପରେ ମୁଁ ଯେତେବେଳେ ରାଜଭବନକୁ ଦେଖିଲି, ଭାବିପାରିନଥିଲି କି ଭଳି ଏଭଳି ଐତିହ୍ୟ କୋଠାର ନବକଳେବର ହେବ। ସୁଖର କଥା, ମୂଳ ଢା˚ଚାକୁ ଅକ୍ଷୁଣ୍ଣ ରଖି ଏହା ପୁଣି ସୁନ୍ଦର ଭାବରେ ଉଠିପାରିଛି। ସରକାର, ଇ˚ଜିନିଅର, ଶ୍ରମିକ ତଥା ସ˚ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଉଛି।
୧୯୧୨ ମସିହାରେ ବ˚ଗରୁ ବାହାରି ବିହାର ଓ ଓଡ଼ିଶା ପ୍ରଦେଶ ଗଠନ ହେଲା। ଏହାର ରାଜଧାନୀ ରାଞ୍ଚି ଓ ପରେ ପାଟନାରେ ହେଲା। ଗ୍ରୀଷ୍ମ କାଳରେ ଲେଫ୍‌ଟନାଣ୍ଟ ଗଭର୍ଣ୍ଣରଙ୍କ ପାଇଁ ଏକ ନିବାସ ନିର୍ମାଣ ନିମନ୍ତେ ପୁରୀକୁ ଚିହ୍ନଟ କରାଗଲା। ଭାରତ ସରକାର ଏଥିନିମନ୍ତେ ୫୦,୫୭୮ ଟଙ୍କା ବ୍ୟୟ ମ˚ଜୁର କରିଥିଲେ। ୩୦.୨୨୬ ଏକର ଜମିରେ ନିର୍ମାଣ କାର୍ଯ୍ୟ ୧୯୧୪ରେ ସ˚ପୂର୍ଣ୍ଣ ହେଲା। ଏବ˚ ତଥ୍ୟ ଅନୁସାରେ ମୁଖ୍ୟ କୋଠା ନିର୍ମାଣରେ ୬୪, ୩୫୯ ଟଙ୍କା ଖର୍ଚ୍ଚ ହୋଇଥିଲା। ମୂଳ ୩୦.୨୨୬ ଏକରରୁ ୧୯୮୩ରେ ହୋଟେଲ ନୀଳାଚଳ ଅଶୋକକୁ ୮.୯୨୬ ଏକର ପ୍ରଦାନ କରାଯାଇଛି। ରାଜଭବନ ପରିସରରେ ଆଗରୁ ସେଣ୍ଟ୍‌ ଥମାସ୍‌ ଚର୍ଚ୍ଚ ଥିଲା ଯାହାର ନିର୍ମାଣ ସମୟ ଆନୁମାନିକ ୧୮୭୪-୭୫ ବୋଲି କୁହାଯାଉଛି, ଯାହା ଆଉ ଏବେ ନାହିଁ। ପୂର୍ବରୁ ଥିବା ଏକ ପୁରୁଣା ଡାକବ˚ଗଳାକୁ ରୋଷଘରରେ ପରିଣତ କରାଗଲା। ରାଜଭବନ ପରିସରରେ ଏକ ଡାକ୍ତରଖାନା ଓ ପୋଷ୍ଟ ଅଫିସ୍‌ ମଧ୍ୟ କାର୍ଯ୍ୟ କରୁଥିଲା।

୧୯୧୪ରୁ ୧୯୩୬ ମସିହା ମଧ୍ୟରେ ଦଶ ଜଣ ଉପରାଜ୍ୟପାଳ ଓ ରାଜ୍ୟପାଳ ଏହାକୁ ଗ୍ରୀଷ୍ମ ନିବାସ ଭାବରେ ବ୍ୟବହାର କରିଛନ୍ତି। ୧୯୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା। କଟକ ହେଲା ରାଜଧାନୀ। ସାର ଜନ୍‌ ଅଷ୍ଟିନ୍‌ ହବାକ୍‌ ହେଲେ ପ୍ରଥମ ରାଜ୍ୟପାଳ। ସେ ମାତ୍ର ଛ’ଦିନ କଟକ ସର୍କିଟ୍‌ ହାଉସ୍‌ରେ ରହି ପୁରୀକୁ ଚାଲିଆସିଲେ। ଅଳ୍ପ କିଛି ମାସ ଅସ୍ଥାୟୀ ଭାବରେ ପୁରୀରେ ସଚିବାଳୟ ଚାଲିବା ପରେ ପୁଣି କଟକକୁ ସ୍ଥାନାନ୍ତରିତ ହୋଇଥିଲା। କିନ୍ତୁ ପ୍ରଥମ ରାଜ୍ୟପାଳ ଏଇଠୁ କାର୍ଯ୍ୟ ଜାରି ରଖିଲେ। ଗଭର୍ଣ୍ଣମେଣ୍ଟ ହାଉସ୍‌ ପାଇଁ କିଛି ଆସବାବପତ୍ର ଇ˚ଲଣ୍ଡରୁ ମଧ୍ୟ ଅଣାଯାଇଥିଲା ବୋଲି ସୂଚନା ମିଳୁଛି।

ଏହି ରାଜଭବନରେ ନୂତନ ପ୍ରଦେଶର ଶାସନଗତ ପରିଚାଳନା ନିମନ୍ତେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟପାଳଙ୍କୁ ଶାସନ କାର୍ଯ୍ୟରେ ସହାୟତା ନିମନ୍ତେ ଗଠିତ ୨୦ ଜଣିଆ ଆଡ୍‌ଭାଇଜରି କାଉନ୍‌ସିଲ୍‌ର ପ୍ରଥମ ବୈଠକ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ୮ ମେ ୧୯୩୬ରେ ପୁରୀ ମ୍ୟୁନିସିପାଲ କାଉନ୍‌ସିଲ ହଲ୍‌ରେ ଅନୁଷ୍ଠିତ ହୋଇଥିଲା। ୧୯୩୭ରେ ହୋଇଥିବା ପ୍ରଥମ ନିର୍ବାଚନ ମଧ୍ୟ ରାଜ୍ୟପାଳ ଏଇଠୁ ପରିଚାଳନା କରିଥିଲେ। ୧୯୪୧ ମାର୍ଚ୍ଚ ୩୧ରେ ହବାକ୍‌ ଓଡ଼ିଶାରୁ ବିଦାୟ ନେଲେ ଏବ˚ ନୂଆ ରାଜ୍ୟପାଳ ରୂପେ ଦାୟିତ୍ବ ଗ୍ରହଣ କଲେ ସାର ହଥର୍ଣ୍ଣ ଲୁଇସ୍‌। ସେ ଏଠି ପ୍ରାୟ ଏକ ବର୍ଷ ରହିଲେ। ତାଙ୍କୁ ବିଭିନ୍ନ ସମୟରେ ପ୍ରାଶାସନିକ କାର୍ଯ୍ୟ ପାଇଁ କଟକ ଯାଇ କ୍ୟାମ୍ପ୍ କରି ରହିବାକୁ ପଡ଼ୁଥିଲା। ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ଗୁଡ଼ିକର ଅନୁମୋଦନ ନିମନ୍ତେ ଅଧିକାରୀମାନଙ୍କୁ ପୁରୀ ଆସିବାକୁ ପଡ଼ୁଥିଲା। ଏହିସବୁ ଅସୁବିଧାଗୁଡ଼ିକ ପାଇଁ ରାଜ୍ୟପାଳ କଟକରେ ଅବସ୍ଥାନ କରିବାକୁ ନିଷ୍ପତ୍ତି ନେଲେ ଓ ସେଠି ରହିଲେ। ତା’ ପରଠୁ ପୁରୀ ଗଭର୍ଣ୍ଣମେଣ୍ଟ୍ ହାଉସ୍‌ ବା ରାଜଭବନ ଯେଉଁ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିଲା, ଗ୍ରୀଷ୍ମ ନିବାସ, ସେହି ଉଦ୍ଦେଶ୍ୟରେ ହିଁ ବ୍ୟବହୃତ ହୋଇଆସୁଛି। ଅନେକ ବିଶିଷ୍ଟ ବ୍ୟକ୍ତି ରାଜଭବନରେ ରହିଛନ୍ତି ଏବ˚ ରହଣି ଜନିତ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଠି ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଚିତାଭସ୍ମ ରଖାଯାଇଥିଲା। ତତ୍‌କାଳୀନ ରାଜ୍ୟପାଳ କୈଳାସନାଥ କାଟ୍‌ଜୁଙ୍କ ନେତୃତ୍ବରେ ମହୋଦଧିରେ ମହାତ୍ମା ଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନ କରାଯାଇଥିଲା, ଯେଉଁ ସ୍ଥାନକୁ ଏବେ ଗାନ୍ଧୀ ଘାଟ କୁହାଯାଉଛି। ଶ୍ରୀ କାଟ୍‌ଜୁ କିଛି ଚିତାଭସ୍ମ ପ୍ରସ୍ତାବିତ ଗାନ୍ଧୀ ସ୍ମାରକୀ ପାଇଁ ରଖିଥିଲେ ଏବ˚ ଏହା ଚର୍ଚ୍ଚରେ ୧୨ ଫେବ୍ରୁଆରି ୧୯୪୮ରୁ ୨୭ ଜୁନ୍‌ ୧୯୪୮ ପର୍ଯ୍ୟନ୍ତ ରହିଥିବାର ସୂଚନା ରହିଛି। ପୁରୀ ରାଜଭବନ ୧୯୧୪ରୁ ଓଡ଼ିଶାର ପ୍ରଗତିର ମୂକସାକ୍ଷୀ ହୋଇ ରହିଛି। ସେ କଥା କହିପାରୁଥିଲେ ବହୁତ କଥା କହିପାରନ୍ତା ା ହୁଏ’ତ ସେ କହୁଛି ଏବ˚ ବୁଝିବାକୁ ଆମେ ଅସମର୍ଥ। ଏଭଳି ଏକ ଐତିହ୍ୟ ସୌଧରୁ ସମୁଦ୍ରର ବିଶାଳତାକୁ ଦେଖିବା, ଅନୁଭବ ବିନା; ସତରେ ଏକ ଅଲୌକିକ ଉପଲବ୍‌ଧି।

ସାମ୍‌ନାରେ ସମୁଦ୍ର। ସ୍ବର୍ଣ୍ଣାଭ ବେଳାଭୂମି। ମାଉଣ୍ଟବାଟେନଙ୍କ ଭାଷାରେ ଏହାର ବିକଳ୍ପ ନାହିଁ, ସବୁଠୁ ସୁନ୍ଦର। ଏଠି ସମୁଦ୍ର କେବଳ ସମୁଦ୍ର ନୁହେଁ; ଜୀବନ୍ତ ଠାକୁର ସରିତାପତି, ତୀର୍ଥରାଜ ମହୋଦଧି। ସେ ସମସ୍ତ ପ୍ରାଣୀମାନଙ୍କର ପ୍ରାଣ। ଚେତନାର ନିତ୍ୟ ଉତ୍ତରଣ। ତୀର୍ଥରାଜ ଜଳେ ସ୍ନାତ୍ବା ପଶ୍ୟ˚ତି ପୁରୁଷୋତ୍ତମମ୍‌- ତୀର୍ଥରାଜ ମହୋଦଧିରେ ସ୍ନାନ କରି ପୁରୁଷୋତ୍ତମଙ୍କୁ ଦର୍ଶନ କରିବାର ବିଧି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଏଠି ସ୍ନାନ କଲେ ସମସ୍ତ ତୀର୍ଥର ଫଳ ମିଳିଥାଏ, କାରଣ ସେ ତୀର୍ଥରାଜ। ଶ୍ରୀ ମହାବିଷ୍ଣୁଙ୍କର ଆଳୟ ହେଉଛନ୍ତି ମହୋଦଧି। ଲୋକମୁଖରେ ମହୋଦଧି ହେଉଛନ୍ତି ମହାଲକ୍ଷ୍ମୀଙ୍କର ପିତୃ ଆଳୟ। ଏହାକୁ ନେଇ କେତେ କାହାଣୀ ଓ କିମ୍ବଦନ୍ତି। ଭଗବାନ ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି, ସରସାମସ୍ମି ସାଗରଃ- ମୁଁ ଜଳାଶୟମାନଙ୍କ ମଧ୍ୟରେ ସମୁଦ୍ର। ବ୍ରହ୍ମ ପୁରାଣ, ସ୍କନ୍ଦ ପୁରାଣ, ବାମଦେବ ସ˚ହିତା, କପିଳ ସ˚ହିତା ଆଦି ଗ୍ରନ୍ଥରେ ମହୋଦଧିର ମାହାତ୍ମ୍ୟ ଉଲ୍ଲେଖ ଅଛି। ମହାପ୍ରଭୁଙ୍କ ପ୍ରତିନିଧି ଭାବେ ଉଆଁସ ତିଥିରେ ଶ୍ରୀନାରାୟଣ ମହୋଦଧିକୁ ଆସନ୍ତି ଯାହାକୁ ସାଗରବିଜେ ନୀତି ବୋଲି କୁହାଯାଏ। ଏହା ଶ୍ରୀଜଗନ୍ନାଥ ଦର୍ଶନ ଓ ତତ୍ତ୍ବ ସହ ମହୋଦଧିର ସ˚ପର୍କର ବ୍ୟାଖ୍ୟାନ କରେ। ଏହି ମହୋଦଧି କୂଳରେ ସ୍ବର୍ଗଦ୍ବାର। କେହି କେହି କୁହନ୍ତି ଜନ୍ମଦ୍ବାର। ମୃତ୍ୟୁର ସକାରାତ୍ମକ ଭାବର ପ୍ରତୀକ ହେଉଛି ସ୍ବର୍ଗଦ୍ବାର ଏବ˚ ଏପରି ଏକ କଳ୍ପନା କରିଥିବା ଜାତି ସତରେ ଧନ୍ୟ। ପାଖକୁ ସାତ ଲହଡ଼ି ମଠ। ରାଜ୍ୟରୁ ବିତାଡ଼ିତ ଭକ୍ତଙ୍କୁ ମହୋଦଧି ଦେଇଛନ୍ତି ସାତଟି ଲହଡ଼ି ପରିମିତି ଭୂମି। ନିଜେ ଘୁଞ୍ଚି ଯାଇ ଭକ୍ତଙ୍କୁ ଅର୍ପଣ କରିଛନ୍ତି ସ୍ଥାନ। ଜଗତ୍‌ଗୁରୁ ଶ˚କରାଚାର୍ଯ୍ୟଙ୍କ କୃପାରୁ ମୁଁ ଦୁଇଥର ମହୋଦଧି ଆଳତିରେ ଭାଗ ନେଇ ନିଜକୁ ଧନ୍ୟ ମନେ କରିଛି। ନିତ୍ୟଭାବ ଆଳତି କରିଚାଲିଛି।

ବେଳାଭୂମି ଓ ମହୋଦଧିର ପ୍ରଶ˚ସା ଯେତିକି ପର୍ଯ୍ୟଟକଙ୍କ ଆଖିରେ; ତା’ଠୁ କାହିଁ କେତେ ଗୁଣ ଶ୍ରଦ୍ଧାଳୁ ଭକ୍ତଙ୍କ ଦୃଷ୍ଟିରେ। କେତେ ମୁନିଋଷୀ ତପସ୍ବୀ ୟେ ବାଲିରେ ଚାଲିଛନ୍ତି। ଚୈତନ୍ୟ ତ ଏକାତ୍ମ ହୋଇଯାଇଛନ୍ତି। ସେ ଅମୃତ କ୍ଷଣ ସର୍ବଦା ବର୍ତ୍ତମାନ। ସେ ମୁହୂର୍ତ୍ତ ଚିର ଜୀବନ୍ତ। କେବଳ ଭାବ ନୟନରେ ଦେଖିପାରିଲେ ହେଲା।

କିଂବଦନ୍ତି କୁହେ; ଜାରା ଶବରର ଶରାଘାତରେ ଶ୍ରୀକୃଷ୍ଣ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କ ଦେହକୁ ଭସ୍ମୀଭୂତ କରାଗଲା। ମାତ୍ର ନାଭିମ˚ଡ଼ଳ ପୋଡ଼ିଲାନାହିଁ। ତାକୁ ସମୁଦ୍ରରେ ଭସେଇ ଦିଆଗଲା। ତାହା ଦାରୁ ରୂପରେ ପଶ୍ଚିମ ସମୁଦ୍ରରୁ ଭାସି ଭାସି ପୂର୍ବ ଉପକୂଳରେ ଲାଗିଲା। ମହାରାଜା ଇନ୍ଦ୍ରଦ୍ୟୁମ୍ନ ସ୍ବପ୍ନାଦେଶ ପାଇ ବାଙ୍କୀ ମୁହାଣରୁ ଦିବ୍ୟ ଦାରୁକୁ ଆଣି ବିଗ୍ରହ ନିର୍ମାଣ କରାଇଥିଲେ। ମୁଁ ଯେବେ ବି ଦିଗନ୍ତ ଆଡ଼କୁ ଚାହେଁ, କାହିଁ କେତେ ଯୁଗ ତଳେ ଭାସି ଆସୁଥିବା ଦାରୁ ମୋ ଭାବ ସମୁଦ୍ରରେ ପ୍ରକଟିତ ହୁଏ। ମୁଁ ବାରବାର ଜଳ ଓ ଆକାଶର ପ୍ରତୀଭାତ ମିଳନ ରେଖାକୁ ପ୍ରଣିପାତ କରେ।

ପୁରୀ ବେଳାଭୂମିର ବାଲୁକା କଳା ବିଶ୍ବ ପ୍ରସିଦ୍ଧ। କେବେ କେବେ ଅଜଣା ଅଶୁଣା ସୌଖୀନ ଶିଳ୍ପୀଙ୍କ ବାଲୁକା କଳା କୀର୍ତ୍ତିରେ ବିମୋହିତ ହୋଇଛିି। ମତେ ଲାଗେ ବାଲିସାରା କଳା ଅଦୃଶ୍ୟ ଭାବରେ ବିଛେଇ ହେଇ ରହିଛି। ଅପେକ୍ଷା କେବଳ କେତୋଟି ଆ˚ଗୁଠିକୁ। ପ୍ରକଟିତ ଓ ପୁଣି ଅନ୍ତର୍ହିତ; ଯେମିତି ଆମର ଜୀବନ। ମନେ ପଡ଼େ, ଏମିତି ଦିନେ ରଥରୁ ଗାଳିମନ୍ଦ ଖାଇ ଭକ୍ତ ବଳରାମ ଦାସ ଏଇଠି ବାଲିରଥ ଗଢ଼ି ଅପେକ୍ଷା କରିଥିବେ। କି ସ୍ପର୍ଦ୍ଧା କି ଅଭିମାନ। କି ଟାଣପଣ, କି ଆତ୍ମ ବିଶ୍ବାସ। ମହାପ୍ରଭୁ ନନ୍ଦିଘୋଷରୁ ଓହ୍ଲେଇ ବାଲିରଥରେ ବିଜେ କରୁଛନ୍ତି। କେତେ ଦିବ୍ୟଲୀଳା ସ˚ଘଟିତ ନ ହୋଇଥିବ ଏହି ବେଳାଭୂମିରେ! ସବୁ କ’ଣ ଆମକୁ ଗୋଚର! ଅଗୋଚର ଅଜସ୍ର ଦିବ୍ୟ ମୁହୂର୍ତ୍ତ। ଏ ବାଲି କେବଳ ବାଲି ନୁହେଁ; ସର୍ଜନାର ବୀଜମନ୍ତ୍ର। କରୁଣାର ଅମୃତ କଣିକା।

ପୁରୀ ମହୋଦଧିର ସ୍ବତନ୍ତ୍ର ସୌନ୍ଦର୍ଯ୍ୟ, ସ˚ହତି ଓ ସ˚ଗୀତ ରହିଛି। ଲହରୀର ଲୟ ଓ ତାଳର ମାଧୁର୍ଯ୍ୟ ରହିଛି ଯାହା ଅନ୍ୟ କୋଉଠି ଦେଖାଯାଏ ନାହିଁ। ଯଦି ଜଣେ କେବଳ ନିବିଷ୍ଟ ଚିତ୍ତରେ ଲହରୀର ନୃତ୍ୟ ଦେଖିବ ଓ ଧ୍ବନି ଶୁଣିବ, ସେ ଅକ୍ଳେଶରେ ଅନୁଭବ କରିପାରିବ। ମୁଁ ତ ଅନେକ ସମୟରେ ତଲ୍ଲୀନ ହେଇଯାଇଛି, ସମୁଦ୍ରକୁ ଅନୁଭବ କରୁ କରୁ ନିଜେ ସମୁଦ୍ର ହେଇ ଯାଇଛି। ମୁଁ ଦୃଢ଼ ଭାବରେ କହିପାରିବି; ସାଧନା ଓ ଶାସ୍ତ୍ରର ଆବଶ୍ୟକତା ନାହିଁ, ଯଦି ଜଣେ ପୁରୀ ମହୋଦଧି କୂଳରେ ସମୁଦ୍ର ସହ ଆତ୍ମସ୍ଥ ହେଇପାରିବ, ତାକୁ ସହଜରେ ସିଦ୍ଧି ମିଳିଯିବ।

ଖୁସିର କଥା, ପୁରୀ ବେଳାଭୂମି ଓ ଶ୍ରୀକ୍ଷେତ୍ରର ବିକାଶ ପାଇଁ ବିଶେଷ କାର୍ଯ୍ୟକ୍ରମ ଚାଲିଛି। ଯାହା ବି ବିକାଶ ହେଉ; ସ୍ବାଗତଯୋଗ୍ୟ। ତେବେ ସକଳ ବିକାଶର ଆଧାର ହେଉ ଆଧୢାତ୍ମିକତା, ଯାହା ଶ୍ରୀକ୍ଷେତ୍ରର ଆତ୍ମା। ଶେଷରେ ତୀର୍ଥରାଜଙ୍କୁ ମୋର କୋଟି କୋଟି ଦଣ୍ତବତ। ପୁଷ୍କରାଦୀନି ତୀର୍ଥାନି ପ୍ରିୟଚ୍ଛନ୍ତି ସ୍ବକ˚ ଫଳମ୍‌, ତୀର୍ଥରାଜଃ ସମୁଦ୍ରସ୍ତୁ ସର୍ବତୀର୍ଥଫଳପ୍ରଦଃ।

ରାଜ୍ୟପାଳ, ଓଡ଼ିଶା

ସମ୍ବନ୍ଧିତ ଖବର