ନୀଳାଚଳ ଇସ୍ପାତ ନିଗମରେ ଶ୍ରମିକଙ୍କ ମୃତ୍ୟୁ

କଳିଙ୍ଗନଗର ଶିଳ୍ପାଞ୍ଚଳରେ ଉତ୍ତେଜନା
କ୍ଷତିପୂରଣ ଦାବିରେ ମୃତଦେହ ୬ ଘଣ୍ଟା ଅଟକିଲା

ଦାନଗଦୀ : କଳିଙ୍ଗନଗରରେ ଜଣେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଶିଳ୍ପାଞ୍ଚଳର ଏକମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ ନିଗମରେ କାମ କରୁଥିବା ସମୟରେ ଏକ ଲୁହା ପ୍ଲେଟ୍‌ ଖସି ପଡ଼ିବାରୁ ଏହି ଶ୍ରମିକଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଓ ଅନ୍ୟ ଶ୍ରମିକମାନେ କ୍ଷତିପୂରଣ ଦାବିରେ ୬ ଘଣ୍ଟା ଧରି ମୃତଦେହକୁ ଅଟକାଇଥିଲେ। କାରଖାନା କର୍ତ୍ତୃପକ୍ଷ ସହାୟତା ଘୋଷଣା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ମୃତ ଶ୍ରମିକ ହେଲେ, ସୁକିନ୍ଦା ଅନ୍ତର୍ଗତ ସାମନ୍ତରାପୁର ଘାଗିଆ ଗ୍ରାମର ସ୍ୱର୍ଗତଃ ହୃଷୀକେଶ ମହାନ୍ତଙ୍କ ପୁଅ ନବଘନ (୨୩)। ନବଘନ ଏନ୍‌.ଆର୍‌.ଡବ୍ଲ୍ୟୁ ନାମକ ଏକ ଠିକାସଂସ୍ଥା ଅଧୀନରେ କାମ କରୁଥିଲେ। ଗତକାଲି ରାତିରେ ସେ ବି.ଏଫ. ସାଇଡ୍‌ରେ ବ୍ଲାଷ୍ଟ ଫର୍ଣ୍ଣେସର କ୍ୟାପିଟାଲ ରିପ୍ୟାରିଂ କାର୍ଯ୍ୟରେ ନିୟୋଜିତ ଥିଲେ। ରାତି ପ୍ରାୟ ୧୨ଟା ସମୟରେ ହଠାତ୍‌ ଏକ ଲୁହା ପ୍ଲେଟ୍‌ ତାଙ୍କ ଉପରେ ଖସି ପଡ଼ିଲା। ଫଳରେ, ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଲା। ଚିକିତ୍ସା ପାଇଁ ତାଙ୍କୁ ସଙ୍ଗେସଙ୍ଗେ ଡୁବୁରୀସ୍ଥିତ ଟାଟା ମେଡିକାକୁ ନିଆଯାଇଥିଲା। ମାତ୍ର, ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।

ରାତିରେ ଏହିଭଳି ଏକ ଦୁର୍ଘଟଣା ଘଟିଥିବାବେଳେ ଅନ୍ୟ ଶ୍ରମିକମାନେ ଜାଣିନଥିଲେ। ସକାଳ ପ୍ରାୟ ୬ଟା ବେଳକୁ ଘଟଣା ଜଣାପଡ଼ିବା ପରେ ସେମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେତେବେଳେକୁ ମୃତକଙ୍କ ପରିବାର ଲୋକ ଓ ଗ୍ରାମବାସୀମାନେ ବି ପହଞ୍ଚ ଯାଇଥିଲେ। କ୍ଷତିପୂରଣ ଦାବିରେ ସେମାନେ ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମୃତଦେହକୁ ଅଟକ ରଖିଥିଲେ ଏବଂ ମୃତଦେହକୁ ନେବା ପାଇଁ ପ୍ରସ୍ତୁତ ଥିବା ଆମ୍ବୁଲାନ୍ସକୁ ବି ଛାଡ଼ିନଥିଲେ। ପାଖାପାଖି ୬ ଘଣ୍ଟା ଧରି ମୃତଦେହ ପଡ଼ି ରହିଥିଲା।

ଏ ସମ୍ପର୍କରେ ଖବର ପାଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଘଟଣାସ୍ଥଳରେ ପହଞ୍ଚ ଶ୍ରମିକ, ପରିବାର ଲୋକ ଏବଂ କାରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ପରେ କାରଖାନା ପକ୍ଷରୁ ମାନବ ସମ୍ବଳ ବିଭାଗର ସିନିୟର ମ୍ୟାନେଜର ମାନସ ରଞ୍ଜନ ଖଟାଇ ଓ ଏ.ଜି.ଏମ୍‌. ମାନବ ସମ୍ବଳ ସନ୍ତୋଷ କୁମାର ମଲ୍ଲିକ୍‌ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୮ ଲକ୍ଷ ଟଙ୍କା, ଶବଦାହ ପାଇଁ ୫୦ ହଜାର ଟଙ୍କା, ମୃତକଙ୍କ ସ୍ତ୍ରୀଙ୍କୁ ଏସ୍‌.ଏମ୍‌.ଏସ୍‌. ସାଇଡ୍‌ରେ ନିଯୁକ୍ତି ଓ ତାଙ୍କ ଭାଇଙ୍କୁ ଠିକାଦାର ଅଧୀନରେ ନିଯୁକ୍ତିି ପାଇଁ ପ୍ରତିଶ୍ରୁତି ମିଳିବାପରେ ଉତ୍ତେଜନା ପ୍ରଶମିତ ହୋଇଥିଲା। ଆଲୋଚନା ସମୟରେ, ମଦନମୋହନ ନାୟକ, ଦାନଗଦୀ ବ୍ଲକ୍‌ ଉପାଧ୍ୟକ୍ଷ ସୁଧାଂଶୁ ଶେଖର ଭଂଜ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଦୁର୍ଘଟଣା ସଂପର୍କରେ ତଦନ୍ତ କରିବା ପାଇଁ କାରଖାନା ପକ୍ଷରୁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଥିବା ଜଣାଯାଇଛି । ମୃତ ନବଘନଙ୍କର ୬ ମାସର ପୁଅଟିଏ ଅଛି। ଶବ ବ୍ୟବଚ୍ଛେଦ ପରେ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ସମ୍ବନ୍ଧିତ ଖବର