ଭୁବନେଶ୍ବର : ବିଜେପି ନେତାଙ୍କୁ ମାଡ଼ ମାରି ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜେଲ୍ ନଯିବା ପାଇଁ ମିଛ ବାହନା କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। କୋର୍ଟରେ ଜାମିନ୍ ନାମଞ୍ଜୁର ହେବା ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କର କ’ଣ ରୋଗ ହୋଇଛି, କାହିଁକି ସେ ଏତେ ଦିନ ହେଲା ହସ୍ପିଟାଲରେ ଅଛନ୍ତି ବୋଲି ସୋମବାର ବିଜେପି ପ୍ରତିନିଧି ଦଳ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କୁ ପଚାରିଥିଲେ। ଯଦି ପ୍ରଶାନ୍ତଙ୍କୁ ଏହିଭଳି ଅନୁକମ୍ପା ଦେଖାଇ ଶାସକ ଦଳ ଇସାରାରେ ହସ୍ପିଟାଲରେ ରଖାଯିବ ତେବେ ବିଜେପି ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ଅଧ୍ୟକ୍ଷ ବିଭୁ ତରାଇ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ବିଧାୟକ ଶ୍ରୀ ଜଗଦ୍ଦେବଙ୍କର ହୃଦ୍ରୋଗ ଜନିତ ସମସ୍ୟା ଅଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି। ଦିନେ ଦୁଇଦିନ ମଧ୍ୟରେ ବିଧାୟକଙ୍କର ଆଞ୍ଜିଓଗ୍ରାମ ହେବ। ଏହାପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସଂପୂର୍ଣ୍ଣ ରିପୋର୍ଟ ଆସିବ। େସହିପରି ବିଧାୟକଙ୍କୁ ଯିଏ ଦେଖା କରିବାକୁ ଆସୁଛନ୍ତି ତାଙ୍କର ରେକର୍ଡ ସୁରକ୍ଷା କର୍ମୀ ରଖୁଛନ୍ତି। ହସ୍ପିଟାଲରୁ କୌଣସି କର୍ମଚାରୀ ତାଙ୍କୁ ଦେଖା କରୁନାହାନ୍ତି। ଯଦି କିଏ କରୁଥିବେ ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।