ଲାହୋର: ଭାରତ-ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ ବେଳେ ବିବାଦୀୟ ମନ୍ତବ୍ୟ ଦେଇଥିବା ପାକିସ୍ତାନର କିବଂଦନ୍ତି ଦ୍ରୁତ ବୋଲର ୱାକର ୟୁନିସ୍ ନିଜ କଲାକର୍ମ ପାଇଁ କ୍ଷମା ମାଗି ନେଇଛନ୍ତି। ଏକ ଟେଲିଭିଜନ୍ ଚ୍ୟାନେଲର କ୍ରୀଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ ୟୁନିସ୍ ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ମତ ରଖିବା ସହ ମହମ୍ମଦ ରିଜୱାନ ମୃଦୁ ପାନୀୟ ବିରତି ବେଳେ ନମାଜ ପାଠ କରିବା ତାଙ୍କୁ ସର୍ବାଧିକ ଆତ୍ମତୃପ୍ତି ଦେଇଛି ବୋଲି କହିଥିଲେ। ସେ ମଧ୍ୟ ଏହି ଅବସରରେ ହିନ୍ଦୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ୟୁନିସ୍ କହିଥିଲେ ଯେ ରିଜୱାନ୍ ଯାହା କଲେ ତାକୁ ମୁଁ ସବୁଠାରୁ ଅଧିକ ପସନ୍ଦ କରେ। ସେ ପଡ଼ିଆ ମଝିରେ ଏବଂ ହିନ୍ଦୁଙ୍କ ସାମ୍ନାରେ ଛିଡ଼ା ହୋଇ ନମାଜ ପାଠ କଲେ। ଏହା ମୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର।
Sambad is now on WhatsApp
Join and get latest news updates delivered to you via WhatsApp
ଏହା ପରେ ପୂର୍ବତନ ଭାରତୀୟ କ୍ରିକେଟର୍ ଭେଙ୍କଟେଶ ପ୍ରସାଦଙ୍କ ସହ ବହୁ ପୂର୍ବତନ କ୍ରିକେଟର୍ ତାଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ। ଏପରିକି ପାକିସ୍ତାନରେ ମଧ୍ୟ ସେ ତୀବ୍ର ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ସାମାଜିକ ଗଣମାଧ୍ୟମରେ ତାଙ୍କୁ ‘ଜିହାଦୀ ଚିନ୍ତାଧାରୀ’ର ଆଖ୍ୟା ଦେଇଥିଲେ କ୍ଷୁବ୍ଧ ଭାରତୀୟ କ୍ରିକେଟ୍ପ୍ରେମୀ। ପ୍ରସାଦ ଟ୍ବିଟ୍ କରିଥିଲେ ଯେ ୟୁନିସ୍ ଜିହାଦୀ ଭାବନାକୁ ଭିନ୍ନ ସ୍ତରକୁ ନେଇଛନ୍ତି। ସେ ଜଣେ ଲଜ୍ଜାହୀନ ମାନବ। ବିବାଦ ଓ ସମାଲୋଚନା ବଢ଼ୁଥିବାର ଦେଖି ୟୁନିସ୍ ବୁଧବାର ପ୍ରେସ୍ ବିବୃତ୍ତି ଜାରି କରି କ୍ଷମା ମାଗିଥିଲେ। ‘‘ଏକ ଉତ୍ତେଜନାପୂର୍ଣ୍ଣ ମୁହୂର୍ତରେ ମୁଁ ଏଭଳି କିଛି କହିଦେଇଥିଲି, ଯାହାକୁ ମୁଁ ବିଶ୍ବାସ କରେନାହିଁ। ଏହା କରି ଅନେକ ଲୋକଙ୍କୁ ମୁଁ ଦୁଃଖ ଦେଇଛି। ଏଥିଲାଗି ମୁଁ କ୍ଷମା ମାଗୁଛି। ମୋର ଏଭଳି କୌଣସି ଉଦ୍ଦେଶ୍ୟ ନଥିଲା’’ ବୋଲି କହିଥିଲେ ସେ। ସଂପୃକ୍ତ ଚ୍ୟାନେଲର କାର୍ଯ୍ୟକ୍ରମରେ ଯୋଗଦେଇ ସେ ପୁଣି କହିଥିଲେ ଯେ ମୁଁ ସବୁ ଧର୍ମକୁ ସମ୍ମାନ କରେ। ପାକିସ୍ତାନ ଓ ଭାରତ ଅଥବା ଅନ୍ୟଦେଶରେ ଥିବା ହିନ୍ଦୁଙ୍କ ଭାବନାକୁ କ୍ଷୁଣ୍ଣ କରିବା ମୋର ଲକ୍ଷ୍ୟ ନଥିଲା। ୟୁନିସଙ୍କୁ ପ୍ରତିଷ୍ଠିତ ଭାଷ୍ୟକାର ହର୍ଷ ଭୋଗ୍ଲେ ମଧ୍ୟ କଡ଼ା ସମାଲୋଚନା କରିଥିଲେ।