ଆଜି ପୁନିତଙ୍କ ଶେଷ ସଂସ୍କାର, ଚକ୍ଷୁ ଦାନ କରାଗଲା

ବେଙ୍ଗାଲୁରୁ : ଆସନ୍ତାକାଲି କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ଶେଷ ସଂସ୍କାର ସମ୍ପନ୍ନ ହେବ। ଶନିବାର ପୁନିତଙ୍କ ଶେଷ ସଂସ୍କାର ସମ୍ପନ୍ନ ହେବାର ଥିଲା କିନ୍ତୁ ଆମେରିକାରେ ରହୁଥିବା ତାଙ୍କ ଝିଅ ବିଳମ୍ବରେ ପହଞ୍ଚିଥିବାରୁ ଏବଂ ଅଧିକ ସଂଖ୍ୟାରେ ପ୍ରଶଂସକଙ୍କୁ ପୁନିତଙ୍କ ଶେଷ ଦର୍ଶନ ପାଇଁ ସୁଯୋଗ ଦେବାକୁ ଆସନ୍ତାକାଲିକୁ ସଂସ୍କାର କାର୍ଯ୍ୟ ଘୁଞ୍ଚାଯାଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଆଜି ଏହି ସୂଚନା ଦେଇଛନ୍ତି। ବୋମାଇ କହିଛନ୍ତି, ପୁନିତଙ୍କ ଝିଅ ସନ୍ଧ୍ୟା ୭ଟାରେ ବେଙ୍ଗାଲୁରୁ ପହଞ୍ଚିଛନ୍ତି। ଆମ ପରମ୍ପରା ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ସଂସ୍କାର କାର୍ଯ୍ୟ ସମ୍ପନ୍ନ ହୁଏନାହିଁ। ତେଣୁ ଆସନ୍ତାକାଲି ପୁନିତଙ୍କ ଶେଷ ସଂସ୍କାର ସମ୍ପନ୍ନ ହେବ। ଏହାଦ୍ବାରା ପୁନିତଙ୍କୁ ଶେଷ ସମ୍ମାନ ପ୍ରଦାନ କରିପାରିନଥିବା ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ସୁଯୋଗ ପାଇପାରିବେ।

ପୁନିତଙ୍କୁ ଶେଷ ଦର୍ଶନ ପାଇଁ ଆଜି କାନ୍ତିରଭା ଷ୍ଟାଡିୟମରେ ତାଙ୍କ ମରଶରୀର ରଖାଯାଇଛି। ପୁନିତଙ୍କୁ ଶେଷ ଥର ପାଇଁ ଦେଖିବାକୁ ଷ୍ଟାଡିୟମ୍‌ରେ ହଜାର ହଜାର ଲୋକଙ୍କ ସମାଗମ ହୋଇଛି। ପୁନିତଙ୍କ ବାପାଙ୍କ ସ୍ମାରକ ନିକଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷ ସଂସ୍କାର ସମ୍ପନ୍ନ ହେବ। ଗତକାଲି ସନ୍ଧ୍ୟାରୁ ପୁନିତଙ୍କ ମର ଶରୀରକୁ କାନ୍ତିରଭା ଷ୍ଟାଡିୟମ୍‌ରେ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ୬ ହଜାରରୁ ଅଧିକ ପୁଲିସ କର୍ମୀ ଏବଂ ୪୦ କେଏସ୍ଆରପି ପ୍ଲାଟୁନ୍‌ ମୁତୟନ ହୋଇଛନ୍ତି। ଆଜି ସକାଳେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ପୁନିତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଚକ୍ଷୁ ଦାନ କରାଗଲା
ବେଙ୍ଗାଲୁରୁ: ପାୱାର ଷ୍ଟାର୍‌ ପୁନିତ ରାଜକୁମାରଙ୍କ ଚକ୍ଷୁ ଦାନ କରାଯାଇଛି। ପୁନିତଙ୍କ ବାପା ଡକ୍ଟର ରାଜକୁମାର ୨୦୦୬ ମସିହାରେ ଏବଂ ମା’ ପାର୍ବତମ୍ମା ୨୦୧୭ରେ ଚକ୍ଷୁ ଦାନ କରିଥିଲେ। ପରିବାରର ତୃତୀୟ ସଦସ୍ୟ ଭାବେ ପୁନିତ ତାଙ୍କ ଚକ୍ଷୁ ଦାନ କରିଛନ୍ତି। ଡାକ୍ତର ଭୁଜାଙ୍ଗ ସେଟ୍ଟି ଆଜି ପୁନିତ ରାଜକୁମାରଙ୍କ ଚକ୍ଷୁ ଦାନ ପାଇଁ ତାଙ୍କ ଭାଇଙ୍କଠାରୁ ଫୋନ୍‌ ପାଇଥିଲେ। ଡ. ସେଟ୍ଟି ମଧ୍ୟ ପୁନିତଙ୍କ ବାପା- ମା’ଙ୍କ ଚକ୍ଷୁ ବାହାର କରିଥିଲେ। ବେଙ୍ଗାଲୁରୁର ରାଜାଜିନଗର ସ୍ଥିତ ଡକ୍ଟର ରାଜକୁମାର ଆଇ ବ୍ୟାଙ୍କ୍‌କୁ ପୁନିତଙ୍କ ଚକ୍ଷୁ ଦାନ କରାଯାଇଛି।

ସମ୍ବନ୍ଧିତ ଖବର