ବେଙ୍ଗାଲୁରୁରେ ଖେଳାଳି ହାଟ: ଚହର ସବୁଠାରୁ ଦାମୀ ଭାରତୀୟ ବୋଲର, ଧାୱନ ପ୍ରଥମେ ନିଲାମ

ବେହୋସ ହେଲେ ନିଲାମକାରୀ, ଆକର୍ଷଣରେ ସୁହାନା, କାବ୍ୟା, ଆର୍ଯ୍ୟନ୍

ବେଙ୍ଗାଲୁରୁ: ଦୀପକ ଚହର ଆଇପିଏଲ୍ ଇତିହାସର ସବୁଠାରୁ ଦାମୀ ଭାରତୀୟ ବୋଲର ହୋଇଛନ୍ତି। ଶନିବାର ବହୁ ପ୍ରତୀକ୍ଷିତ ନିଲାମରେ ତାଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ୧୪ କୋଟି ଟଙ୍କାରେ କିଣି ନେଇଛି। ଦୁଇ ଦିନିଆ ନିଲାମରେ ଆଜି ଏକାଧିକ କୀର୍ତ୍ତିମାନ ବି ସ୍ଥାପିତ ହୋଇଛି। ନିଲାମରେ ୮ ପୁରୁଣା ଦଳ ସହ ନବଗଠିତ ଗୁଜରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ପଦାର୍ପଣ କରିଛନ୍ତି।

ଧାୱନ ପ୍ରଥମେ ନିଲାମ
ଆଇପିଏଲ୍ ମୁଖ୍ୟ ବ୍ରିଜେଶ ପଟେଲ ପ୍ରଥମ ନମ୍ବର ବାହାର କରିବା ସହ ନିଲମକାରୀ ହ୍ୟୁଗ୍ ଏଡମେଡ୍ସ ଶନିବାରର ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ। ଭାରତୀୟ ପ୍ରାରମ୍ଭିକ ବ୍ୟାଟର୍‌ ଶିଖର ଧାୱନ ପ୍ରଥମ ଖେଳାଳି ଭାବେ ବିକ୍ରି ହୋଇଥିଲେ। ତାଙ୍କୁ ନେବା ଲାଗି ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଧାୱନଙ୍କୁ ନେବା ଦୌଡ଼ରେ ବିଳମ୍ବରେ ସାମିଲ ହୋଇ କିଙ୍ଗ୍ସ ଏକାଦଶ ପଞ୍ଜାବ ଶେଷରେ ବାଜି ମାରି ନେଇଥିଲା। ସେ ୮.୨୫ କୋଟି ଟଙ୍କାରେ ବିକ୍ରି ହୋଇଥିଲେ। ଏହା ପରେ ସ୍ପିନର ଆର ଅଶ୍ବିନଙ୍କୁ ୫ କୋଟିରେ ରାଜସ୍ଥାନ ରୟାଲ୍ସ, ପ୍ୟାଟ୍ କମିନ୍ସଙ୍କୁ ୭.୨୫ କୋଟିରେ କୋଲକାତା ନାଇଟ୍ ରାଇଡର୍ସ, ଟ୍ରେଣ୍ଟ ବୋଲ୍ଟଙ୍କୁ ରାଜସ୍ଥାନ ରୟାଲ୍ସ ୮ କୋଟି, ନବାଗତ ଦଳ ଗୁଜରାଟ ଟାଇଟନ୍ସ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ୬.୨୫ କୋଟିରେ କିଣିଥିଲା ବେଳେ ଗତଥର ମାତ୍ର ୨ କୋଟି ଟଙ୍କାରେ ଚେନ୍ନାଇ ସୁପରକିଙ୍ଗ୍ସ କିଣିଥିବା ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍ ଡୁ’ ପ୍ଲେସିସ୍ ଏଥର ତା’ଠାରୁ ପାଖାପାଖି ସାଢ଼େ ତିନି ଗୁଣ ଅଧିକ ଦରରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଯାଇଥିଲେ। ସନରାଇଜର୍ସ ହାଇଦ୍ରାବାଦର ପୂର୍ବତନ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କୁ ୬.୨୫ କୋଟି ଟଙ୍କା ଦେଇ ଦିଲ୍ଲୀ କ୍ୟାପିଟାଲ୍ସ ନିଜ ଦଳକୁ ନେଇଥିଲା। ଯୁବ ଦ୍ରୁତ ବୋଲର ହର୍ଷଲ ପଟେଲଙ୍କୁ ୧୦ କୋଟି ଟଙ୍କାରେ ସନରାଇଜର୍ସ ହାଇଦ୍ରାବାଦ କିଣିବା ସମସ୍ତଙ୍କୁ ଚକିତ କରି ଦେଇଥିଲା। ଇଣ୍ଡିଜ୍ ଶୃଙ୍ଖଳାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଦୀପକ ହୁଦାଙ୍କୁ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍ସ ୫.୭୫ କୋଟି ଟଙ୍କାରେ କିଣିଥିଲା।

ବେହୋସ ହେଲେ ନିଲାମକାରୀ
ଶନିବାରର ଆଇପିଏଲ୍ ନିଲାମ ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ନିଲାମକାରୀ ହ୍ୟୁଗ୍ ଏଡମେଡ୍ସ ନିଲାମ ମଝିରେ ହଠାତ୍ ବେହୋସ ହୋଇ ତଳେ ପଡ଼ିଯାଇଥିଲେ। ଶ୍ରୀଲଙ୍କା ଅଲରାଉଣ୍ଡର ୱା‌ନିନ୍ଦୁ ହସରଙ୍ଗାଙ୍କୁ ନେଇ ଡାକ ଚାଲିଥିଲା ବେଳେ ଏହି ଅଘଟଣ ଘଟିଥିଲା। ନିଲାମସ୍ଥଳୀ ଆଇଟିସି ଗାର୍ଡେନିଆରେ ହିଁ ତାଙ୍କର ଚକିତ୍ସା କରାଯାଇଥିଲା। ସଂପ୍ରତି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏଡମେଡ୍ସଙ୍କ ରକ୍ତ ଚାପ ହଠାତ୍ କମିଯିବାରୁ ସେ ଚେତା ହରାଇଥିଲେ ବୋଲି ହୋଟେଲ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ଏହି କାରଣରୁ ନିଲାମ ପ୍ରକ୍ରିୟା ଢେର କିଛି ସମୟ ବନ୍ଦ ରହିଥିଲା। ଅପରାହ୍ନ ୩ଟା ୪୫ରେ ନିଲାମ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଥିଲା। ତେବେ ଏଡମେଡ୍ସଙ୍କ ସ୍ଥାନରେ ଚାରୁ ଶର୍ମା ନିଲାମ କାର୍ଯ୍ୟ ସଂପାଦନ କରିଥିଲେ। ୬୦ ବର୍ଷୀୟ ଏଡମେଡ୍ସ ନିଲାମ ଜଗତରେ ଏକ ପରିଚିତ ନାଁ ହୋଇଥିଲା ବେଳେ ଏପର୍ଯ୍ୟନ୍ତ ସାରା ବିଶ୍ବରେ ୨୭୦୦ ନିଲାମ ପରିଚାଳନା କରିସାରିଛନ୍ତି।

ଆକର୍ଷଣରେ ସୁହାନା, କାବ୍ୟା, ଆର୍ଯ୍ୟନ୍
ଶନିବାର ନିଲାମରେ ପରବର୍ତ୍ତୀ ପିଢ଼ି ପ୍ରମୁଖ ଆକର୍ଷଣ ପାଲଟିଥିଲେ। କୋଲକାତା ନାଇଟ୍ ରାଇଡର୍ସର ନିଲାମ ଡାକିବା ଦଳରେ ସୁପରଷ୍ଟାର୍ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍ ଖାନ୍, ଝିଅ ସୁହାନାଙ୍କ ସହ ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲାଙ୍କ ଝିଅ ଜାହ୍ନବୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ଟେବୁଲରେ ନୀତି ଓ ମୁକେଶ ଅମ୍ବାନିଙ୍କ ବଡ଼ ପୁଅ ଆକାଶ ନିଲାମ ଡାକିଥିଲେ। ତେବେ ସନରାଇଜର୍ସ ହାଇଦ୍ରାବାଦ ଦଳର ମାଲିକ କଲାନିଥି ମାରାନଙ୍କ ଝିଅ କାବ୍ୟା ମାରାନ ସମସ୍ଥଙ୍କ ହୃଦୟ ଜିତି ନେଇଥିଲେ। ସାମାଜିକ ଗଣମାଧ୍ୟମରେ ସେ ଶନିବାର ଦିନସାରା ଟ୍ରେଣ୍ଡ ହୋଇଥିଲେ। ଅନଲାଇନ୍‌ରେ ତାଙ୍କୁ ସର୍ଚ୍ଚ କରୁଥିବା ଲୋକଙ୍କ ସଂଖ୍ୟା ହଠାତ୍ କେତେ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା।

ସମ୍ବନ୍ଧିତ ଖବର