ଗୁଟଖା ଆଣିବାକୁ ଚାଲିଗଲେ ପ୍ରିଜାଇଡିଂ ଅଫିସର, ବିଳମ୍ବରେ ହେଲା ମତଦାନ

ଲଖନଉ: ସୁରୁଖୁରୁରେ ନିର୍ବାଚନ ପରିଚାଳନା ପାଇଁ ଦିଆଯାଇଥିଲା ଦାୟିତ୍ୱ | ହେଲେ ମତଦାନବେଳେ ଗୁଟଖା ଆଣିବାକୁ ଅଧାରୁ ଚାଲିଗଲେ ପ୍ରିଜାଇଡିଂ ଅଫିସର | ମତଦାନ ୨୦ ମିନିଟ ବିଳମ୍ବ ହେବା ପରେ ଲୋକ ତାତିଥିଲେ | ଏହା ପରେ ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ବୁଝାଇବା ପରେ ମତଦାନ ହୋଇଛି | ଉତ୍ତରପ୍ରଦେଶର ଗଜରୋଲରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି | ମିଳିଥିବା ସୂଚନା ମୁତାବକ ମଣ୍ଡି ଧନୋରା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଟିଗ୍ରିର ଜୁନିଅର ହାଇସ୍କୁଲରେ ମତଦାନ କେନ୍ଦ୍ର କରାଯାଇଥିଲା |

ବହୁସଂଖ୍ୟାରେ ଭୋଟର ଉତ୍ସାହର ସହ ଆସି ଭୋଟ ଦେଉଥିବାବେଳେ ହଠାତ୍ ପ୍ରିଜାଇଡିଂ ଅଫିସର ଗାଏବ ହୋଇଯାଇଥିଲେ | ଯେତେବେଳେ ଭୋଟରଙ୍କ ଧାଡି ଦୀର୍ଘ ସମୟ ପର୍ଯ୍ୟନ୍ତ ଆଗକୁ ବଢିନଥିଲା, ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା | ଲୋକମାନେ ଯେତେବେଳେ ଜାଣିବାକୁ ପାଇଲେ ଯେ ପ୍ରିଜାଇଡିଂ ଅଫିସର ତାଙ୍କ ସିଟରେ ନାହାଁନ୍ତି ସେତେବେଳେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା ​​|

ଏବାବଦରେ ସୂଚନା ପାଇବା ପରେ ଏସଡିଏମ(ଅତିରିକ୍ତ ଜିଲ୍ଲାପାଳ) ଅରୁଣ କୁମାର ଘଟଣାସ୍ଥଳରେ ପହଞ୍ଚିଥିଲେ | ତା’ପରେ ପ୍ରିଜାଇଡିଂ ଅଫିସର ମଧ୍ୟ ଗୁଟଖା ନେଇ ଆସିଥିଲେ | ଏସଡିଏମ ତାଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମବାସୀ କହିଛନ୍ତି ଯେ ପ୍ରିଜାଇଡିଂ ଅଫିସର ମତଦାନ କେନ୍ଦ୍ର ଛାଡି ୨୦ ମିନିଟ୍ ପାଇଁ ଗୁଟଖା ଆଣିବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର