ବରମୁଣ୍ଡା ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ

ଖଣ୍ଡଗିରି : ଖଣ୍ଡଗିରି ଥାନା ଅଧୀନରେ ଥିବା ୨ଟି ସ୍ଥାନରେ ସୋମବାର ପୂର୍ବାହ୍ନରେ ଜବରଦଖଲ ଉଚ୍ଛେଦ କରାଯାଇଛି। ୩ ହଜାର ବର୍ଗଫୁଟ୍ ସରକାରୀ ଜାଗା ଉପରେ ଥିବା ଜମିରୁ ଜବରଦଖଲ ଉଚ୍ଛେଦ ହୋଇଛି। ଜିଏ ବିଭ‌ାଗର ଅନୁରୋଧକ୍ରମେ କମିସନରେଟ୍ ପୁଲିସ ଓ ବିଏମ୍‌ସି ସହଯୋଗରେ ବିଡିଏର ଏନ୍‌ଫୋର୍ସମେଣ୍ଟ ଟିମ୍ ବରମୁଣ୍ଡା ମହିମା ମିଶ୍ର ଲେନ୍ ଅଞ୍ଚଳରେ ବେଆଇନ୍‌ ନିର୍ମାଣକୁ ଉଚ୍ଛଦ କରିଛି। ବିଡିଏର ଗୋଟିଏ ଓ ବିଏମ୍‌ସିର ଗୋଟିଏ ଟିମ୍‌ ୨ଟି ଜେସିବି ସହାୟତାରେ ୩ଟି ଟିଣ ଆଜବେଷ୍ଟସ୍ ଘର, ୧୧ଟି ଗାଧୁଆଘର ସମେତ ବରମୁଣ୍ଡା ଦୁର୍ଗା ପୂଜା ମଣ୍ଡପ ସମ୍ମୁଖରେ ନିର୍ମାଣାଧୀନ ପକ୍କା ଘରକୁ ଉଚ୍ଛେଦ କରିଥିଲା।

ସେହିପରି ଆଇଗିଣିଆ ମଶାଣି ପ୍ଲଟ ନମ୍ବର ୨୪୮, ଖାତା ନମ୍ବର ୨୭୭ରେ ଥିବା ଜବରଦଖଲକୁ ‌ଉଚ୍ଛେଦ କରିବା ସମୟରେ ସ୍ଥାନରେ ଥିବା ପରିବା ଗୋଦାମଗୁଡିକ ଭୁଲରେ ସରକାରୀ ଜମିରେ ମିଶି ଯାଇଥିବା ନେଇ ଦ୍ଵନ୍ଦ୍ବ ସୃଷ୍ଟି ହୋଇଥିଲା। ଏହାକୁ ଭଙ୍ଗା ନଯିବା ନେଇ କୋର୍ଟରେ ମାମଲା ରହିଥିବାରୁ ଅଧିକାରୀମାନେ ଏହାକୁ ଉଚ୍ଛେଦ ନକରି ଫେରି ଯାଇଥିଲେ। ଉଚ୍ଛେଦ ସମୟରେ ବିଡିଏ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ କୁମାର ପାତ୍ର, ଲିଆସନ ଅଧିକାରୀ ଶୁଭ୍ରାଂଶୁ ଶେଖର ମହାନ୍ତି, ଜିଏ ଏବଂ ପିଜି ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ଡାଇରେକ୍ଟର ଅମିୟ ଦାସ, ଜୋନ୍ ଏସିପି ରଜତ କୁମାର ରାୟ, ଖଣ୍ଡଗିରି ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ଏବଂ ବିଏମସିର ସାଉଥ ୱେଷ୍ଟ ସ୍କ୍ବାଡ୍ ସମେତ ଗୋଟିଏ ପ୍ଲାଟୁନ ମହିଳା ପୁଲିସ ଓ ଗୋଟିଏ ପ୍ଲାଟୁନ ରିଜର୍ଭ ପୁଲିସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର