ଉଠାଦୋକାନୀଙ୍କ ସମର୍ଥନ ପାଇଁ କସରତ; ପ୍ରତି ୱାର୍ଡରେ ହେବ ଭେଣ୍ଡିଂଜୋନ୍‌: ବିଜେଡି

ଉଠାଦୋକାନୀଙ୍କୁ ଥଇଥାନ କରିବୁ: ବିଜେପି

ଭୁବନେଶ୍ୱର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। ତା’ପୂର୍ବରୁ ଉଠାଦୋକାନୀଙ୍କ ଭୋଟ ହାତେଇବାକୁ ରାଜନୈତିକ ଦଳଗୁଡ଼ିକ ପ୍ରତିଶ୍ରୁତିର ପାହାଡ଼ ଗଦା କରୁଛନ୍ତି। ପ୍ରତି ୱାର୍ଡରେ ଉଠାଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍‌ କରିବାକୁ ବିଜେଡି ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେଇଛନ୍ତି। ସେପଟେ ବିଜେପି ପ୍ରାର୍ଥୀମାନେ ମଧ୍ୟ ଉଠାଦୋକାନୀଙ୍କ ଥଇଥାନ ତାଙ୍କ ପ୍ରସଙ୍ଗ ବୋଲି କହୁଛନ୍ତି। ଉଭୟ ବିଜେଡି ଓ ବିଜେପି ଦଳର ନେତାମାନେ ଏବେ ଉଠାଦୋକାନୀଙ୍କ ପାଇଁ ଯେମିତି ସହାନୁଭୂତି ଦେଖାଉଛନ୍ତି, ତାହା ଚର୍ଚ୍ଚା ବିଷୟ ପାଲଟିଛି। ପ୍ରାର୍ଥୀମାନେ ଯେଉଁଭଳି ଭାବେ ଆଶା ଦେଖାଇଛନ୍ତି, ତାହା ସ୍ବୟଂ ଉଠାଦୋକାନୀମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଛି।

ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘର ସଭାପତି ପ୍ରତାପ କୁମାର ସାହୁଙ୍କ ସଭାପତିତ୍ୱରେ ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଅନୁଷ୍ଠିତ ବୈଠକରେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ମେୟର ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଠାଦୋକାନୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ପ୍ରତି ୱାର୍ଡରେ ଭେଣ୍ଡିଂ ଜୋନ କରାଯାଇ ଉଠାଦୋକାନୀମାନଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି। ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ‘‘ନିର୍ବାଚନମଣ୍ଡଳୀରେ ଥିବା ଉଠାଦୋକାନୀ ବିଭିନ୍ନ ସମୟରେ ମୋ ପାଖକୁ ଆସିଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛି। ଆଗକୁ ନିର୍ବାଚନ ଥିବାରୁ ଆଚରଣ ବିଧିକୁ ଦୃଷ୍ଟିରେ ରଖି ବର୍ତ୍ତମାନ କୌଣସି ପ୍ରତିଶ୍ରୁତି ଦିଆଯିବ ନାହିଁ। ତେବେ ନିର୍ବାଚନ ସରିବା ପରେ ସମସ୍ତ ସମସ୍ୟାର ସମାଧାନ କରାଯିବ।’’ ସେହିପରି ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘର ଉପଦେଷ୍ଟା ତଥା ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ଆଗାମୀ ଦିନରେ ପର୍ଯ୍ୟାପ୍ତ ପରିମାଣର ଭେଣ୍ଡିଂ ଜୋନ ପ୍ରତିଷ୍ଠା କରାଯାଇ ଉଠାଦୋକାନୀଙ୍କୁ ଥଇଥାନ କରାଯିବ ବୋଲି କହିଥିଲେ। ଭୁବନେଶ୍ବର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ଉଠାଦୋକାନୀଙ୍କ ସହିତ ଆଲୋଚନା କରିଥିଲେ। ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା କଟକ ମେୟର ସୁବାସ ସିଂ ଉଠାଦୋକାନୀଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଯତ୍ନବାନ ଥିବା କହିଥିଲେ।

ଭୁବନେଶ୍ବରରେ ଉଠାଦୋକାନୀଙ୍କ ସଂଖ୍ୟା ଦୃଷ୍ଟିରୁ ତାଙ୍କୁ ‌ନିଜ ପକ୍ଷକୁ ନେବାକୁ ସବୁ ଦଳର ପ୍ରୟାସ ଥାଏ। ଗତ ୨ ତାରିଖରେ ଭୁବନେଶ୍ୱର ସାଂସଦ ତଥା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କଳିଙ୍ଗ ଷ୍ଟାଡିୟମ୍‌ ନିର୍ମାଣ ସମୟରେ ଉଚ୍ଛେଦ ହୋଇଥିବା ଉଠାଦୋକାନୀଙ୍କ ସହ ଆଲୋଚନା କରିଥିଲେ। ସେ କହିଥିଲେ, ଷ୍ଟାଡିୟମ୍‌ ନିର୍ମାଣ ସମୟରେ ପ୍ରାୟ ୬ ହଜାର ଉଠାଦୋକାନୀଙ୍କୁ ଉଚ୍ଛେଦ କରି ସେମାନଙ୍କ ଜୀବନଜୀବିକା ଦୁର୍ବିସହ କରାଯାଇଛି। ସେ ଦୋକାନୀମାନେ ଆଉ ବ୍ୟବସାୟ କରୁ ନାହାନ୍ତି। କିଏ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି ତ ଆଉ କିଏ ଅଟୋ ଚଲାଇ ପରିବାର ପ୍ରତିପୋଷଣ କରୁଛନ୍ତି। ଉଚ୍ଛେଦ ସମୟରେ ବହୁ ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ବେପାରୀମାନେ ଋଣଗ୍ରସ୍ତ ହୋଇ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଜେପି ସରକାର ଆସିଲେ ସେମାନଙ୍କ ଥଇଥାନକୁ ପ୍ରାଥମିକତା ଦିଆଯିବ। ସାଂସଦଙ୍କ ସହ ଭୁବନେଶ୍ବରର ତିନି ‌ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଉପସ୍ଥିତ ଥିଲେ। ସମସ୍ତେ ଉଠାଦୋକାନୀଙ୍କ ପ୍ରତି ପରୋକ୍ଷରେ ସହାନୁଭୂତି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର