ଅଳିଆରେ ବୁଡ଼ିବ ଗାଁ: ଉପକଣ୍ଠକୁ କାଳବୈଶାଖୀ ଡର

ଖଣ୍ଡଗିରି: ଉପକଣ୍ଠରେ ଆବର୍ଜନା ପରିଚାଳନା ବ୍ୟବସ୍ଥା ନାହିଁ। ଆବର୍ଜନା ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ବ୍ୟବସ୍ଥା ହୋଇଛି, ତାହା ହେଉଛି ପଞ୍ଚାୟତ ପିଛା ୩ଟି ଅଳିଆ ଉଠା ଠେଲା ଗାଡ଼ି ଓ ଗାଁ ମୁଣ୍ଡରେ ଗୋଟିଏ ଜୈବ ବିଘଟନ ଆବର୍ଜନା କୁଣ୍ଡ। ଅଳିଆ ଗାଡ଼ି ଦିନେ ହେଲେ ଗାଁକୁ ଆସୁନଥିବା ବେଳେ ଗାଁ ମୁଣ୍ଡ ଜୈବ ବିଘଟନ କୁଣ୍ଡ ଭର୍ତ୍ତି ହୋଇଗଲାଣି। ଫଳରେ ସମଗ୍ର ଗାଁ ଆବର୍ଜନାମୟ ହୋଇ ପଡ଼ିଲାଣି। ରାସ୍ତା କଡ଼ରେ ପଡ଼ିଥିବା ଜରି, ପ୍ଲାଷ୍ଟିକ୍‌, କାଗଜ, ଘରର ଅନାବଶ୍ୟକ ସାମଗ୍ରୀ, ବୈଦ୍ୟୁତିକ ସାମଗ୍ରୀ, ଥର୍ମୋକୁଲ୍‌, ‌ଔଷଧ ଖୋଳ, ସାନିଟାରି ନାପ୍‌କିନ୍‌ ପ୍ରଭୃତି ରାସ୍ତା ଉପରକୁ ମାଡ଼ି ଆସିଲାଣି। ଏଭଳି ସ୍ଥିତିରେ ଏବେ ଉପକଣ୍ଠକୁ କାଳବୈଶାଖୀ ଡରାଇଲାଣି। କାଳବୈଶାଖୀ ପବନ ଏହି ଆବର୍ଜନା ସବୁ ଉଡ଼ି ଗାଁକୁ ବୁଡ଼ାଇବ ବୋଲି ଲୋକେ ଭୟ କଲେଣି।

ବିଏମ୍‌ସିର ୨୩ ନଂ ୱାର୍ଡକୁ ଲାଗି ରହିଥିବା ପ୍ରମୁଖ ପଞ୍ଚାୟତ ହେଉଛି ତମାଣ୍ଡୋ। ଏଥିରେ ନାରଗୋଦା, ସିଜୁପୁଟ, ସହଜପୁର, ବିଜିପୁର, ତମାଣ୍ଡୋ, ଦଶବାଟିଆ, ବାଲିପଡ଼ା, କାଶିପୁର, ବେଗୁନିଆବରାହୀ ଏଭଳି ୯ଟି ରାଜସ୍ବ ଗ୍ରାମ ରହିଛି। ଏଠାରେ ଜନସଂଖ୍ୟା ୨୦ ହଜାରରୁ ଊର୍ଦ୍ଧ୍ବ। ସ୍ବଚ୍ଛ ଭାରତ ମିସନ ଯୋଜନାରେ ପଞ୍ଚାୟତକୁ ୩ଟି ଅଳିଆ ବୁହା ଠେଲାଗାଡ଼ି ଦିଆଯାଇଥିଲା। ଏଥିରେ ଓଦା ଓ ଶୁଖିଲା ଆବର୍ଜନା ପାଇଁ ୨ଟି ଡାଲା ରହିଥିଲା। ଘରୁ ଘରୁ ପୃଥକ୍‌ ଭାବେ ଆବର୍ଜନା ସଂଗ୍ରହ ଯୋଜନା ରହିଥିଲା। ଯୋଜନାକୁ ୨ ବର୍ଷ ପୂରିଥିଲେ ମଧ୍ୟ ଅଳିଆ ବୁହା ଠେଲା ଗାଡ଼ି ପଞ୍ଚାୟତ ଅଫିସ୍‌ରେ ପଡ଼ି ରହିଛି। ୩ଟି ଗାଡ଼ି ୯ ରାଜସ୍ବ ଗ୍ରାମ କିଭଳି ବା ବୁଲିଥା’ନ୍ତା! ବିଜନ କୁମାର ମହାନ୍ତିଙ୍କ କହିବାକଥା, ଗାଁରେ ଗୋଟିଏ ଗାଡ଼ି ଯଥେଷ୍ଟ ହେଉନି। ଏଣେ ଦିନକୁ ୧୦ ଟଙ୍କା ହିସାବରେ ସେମାନେ ମାସକୁ ୩୦୦ ଟଙ୍କା ମାଗୁଛନ୍ତି। ଲୋକ ଦେଉନଥିବାରୁ ଗ‌ାଡ଼ି ଆବର୍ଜନା ଆଣିବାକୁ ଯାଉନି। ସରକାରୀ ଗାଡ଼ି ସହ ଆଉ ଏକ ଘରୋଇ ଗାଡ଼ି ମଧ୍ୟ ଆବର୍ଜନା ଉଠାଉଛି। କିନ୍ତୁ ଆବର୍ଜନା ଖତ ହେବା ପାଇଁ କୁଣ୍ଡ ନ ଥିବାରୁ ସଂଗ୍ରହ ହେଉଥିବା ଆବର୍ଜନା ମଧ୍ୟ ସେମାନେ ଏଣେତେଣେ ଫିଙ୍ଗି ଦେଉଛନ୍ତି। ଏ‌ ନେଇ ସରପଞ୍ଚ ସନ୍ଧ୍ୟା ଜେନାଙ୍କ କହିବାକଥା, ୩ଟି ଗାଡ଼ି ପଞ୍ଚାୟତରେ ଥୁଆ ହୋଇଛି। ଯଦି ସରକାର ଏହାକୁ ପରିଚାଳନା ପାଇଁ ସହଯୋଗ କରନ୍ତେ ତେବେ ଅଞ୍ଚଳରୁ ଅଳିଆ ସଫା ହୋଇ ପାରନ୍ତା।

ଅନ୍ୟତମ ପ୍ରମୁଖ ପଞ୍ଚାୟତ ଦାରୁଠେଙ୍ଗରେ ଭାଲୁଙ୍କ, ଚୂଡ଼ଙ୍ଗ, କୃଷ୍ଣନଗର, ଯୁଝଗଡ଼, ଭୁଆସୁଣି, ଦାରୁଠେଙ୍ଗ, ଶ୍ୟାମସୁନ୍ଦରପୁର ଓ ତୁଳସୀଦେଈପୁର ଭଳି ୮ଟି ରାଜସ୍ବ ଗ୍ରାମରେ ପାଖାପାଖି ୧୫ ହଜାର ଲୋକ ରହୁଛନ୍ତି। ଏହି ପଞ୍ଚାୟତର ଭୁଆସୁଣୀରେ ସହରର ବର୍ଷ ବର୍ଷର ଆବର୍ଜନା ପାହାଡ଼ ଭଳି ଗଦା ହୋଇଛି। ଏଣେ ଗାଁ ଗହଳିରୁ ଆବର୍ଜନା ଉଠୁନାହିଁ। ଏ ନେଇ ସରପଞ୍ଚ ତପନ ଚକ୍ରବର୍ତ୍ତୀ କହିଛନ୍ତି, ଆବର୍ଜନା ସଂଗ୍ରହ ପାଇଁ ୩ଟି ଠେଲାଗାଡ଼ି ରହିଛି। ସଫେଇ ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦେବା ଯୋଜନା ରହିଛି। ଅଳିଆଗାଡ଼ି ବୋହୁଥିବା‌ କର୍ମଚାରୀଙ୍କୁ ଘର ପିଛା ୫ ଟଙ୍କା ପ୍ରଦାନ କରିବାକୁ ସରକାରୀ ବ୍ୟବସ୍ଥା ରହିଛି। କିନ୍ତୁ ଏହି ପରିମାଣ ସ୍ବଳ୍ପ ହେଉଥିବାରୁ କେହି ଠେଲାଗାଡ଼ି ନେଇ ଅଳିଆ ସଂଗ୍ରହ କରିବାକୁ ରାଜି ହେଉନାହାନ୍ତି। ଏଣୁ ଯୋଜନା କାର୍ଯ୍ୟକାରୀ ହୋଇ ପାରୁନି।
ରଣସିଂହପୁର ପଞ୍ଚାୟତରେ ସୁଆଙ୍ଗ, ସିଜୁଆ, ଛୋଟରାୟପୁର, ସରକନ୍ତରା, ବାହାଦଲପୁର, ହାଟସାହି, ଦାମୋଦରପୁର, ରଣସିଂହପୁର ଓ ଶ୍ରୀନିବାସପୁର ପ୍ରଭୃତି ୯ଟି ରାଜସ୍ବ ଗ୍ରାମ ରହିଛି। ଏଠାରେ ଜନସଂଖ୍ୟା ୧୮ ହଜାରରୁ ଊର୍ଦ୍ଧ୍ବ ହେବ। ଗାଁ ମୁଣ୍ଡରେ ଆବର୍ଜନା କୁଣ୍ଡ ଅଛି। ଠେଲାଗାଡ଼ି ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଇଛି। କିନ୍ତୁ ଠେଲାଗାଡ଼ି କେବେ ବି ଗାଁକୁ ଆସୁନାହିଁ। ଏଣୁ ଆବର୍ଜନା ଉଠୁ ନାହିଁ। ଗାଁ ମୁଣ୍ଡରେ ଥିବା କୁଣ୍ଡରେ କାହାର କେତେବେଳେ ମନ ହେଲେ ପକାଉଛି ନ ହେଲେ ନାହିଁ। ଏଣୁ ଗାଁ ଦାଣ୍ଡରେ ଆବର୍ଜନା ପଡ଼ି ରହିଛି।

ସମ୍ବନ୍ଧିତ ଖବର