ଘାଟିକିଆ ବିଏମ୍‌ସି ବଜାର: ୨.୫ କୋଟି ବରବାଦ

ଖଣ୍ଡଗିରି: ଅଦୂରଦର୍ଶିତା ଯୋଗୁଁ କିଭଳି ଲକ୍ଷଲକ୍ଷ ଟଙ୍କା ବରବା‌ଦ ହୁଏ ସେଭଳି ଏକାଧିକ ପ୍ରମାଣ ବିଏମ୍‌ସି ପାଖରେ ରହିଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଘାଟିକିଆ ବିଏମ୍‌ସି ବଜାର। ୭ ମାସ ତଳେ ଉଦ୍‌ଘାଟିତ ୨୩ ନମ୍ବର ୱାର୍ଡରେ ଥିବା ଏହି ବିଏମ୍‌ସି ବଜାରରେ ପ୍ରାୟ ୨.୫କୋଟି ଖର୍ଚ୍ଚ ହୋଇଛି। କିନ୍ତୁ ଏଭଳି ଜାଗାରେ ଏହି ବଜାର ନିର୍ମାଣ ହୋଇଛି ଯେ, ଏଠାରେ ବେପାର ହେବ ନାହିଁ। ଏଭଳି ଆଶଙ୍କା କରି ଏଠାରେ ଦୋକାନ ପାଇଥିବା ୪୩ ବ୍ୟବସାୟୀ ଆସିଲେ ନାହିଁ। ଫଳରେ ବିଏମ୍‌ସି ଏହି ବ୍ୟବସାୟୀଙ୍କ ଆଲଟ୍‌ମେଣ୍ଟ ବାତିଲ କରିଛି। ୪୫ ବ୍ୟବସାୟୀଙ୍କ ମଧ୍ୟରୁ ଯେଉଁ ଦୁଇ ଜଣ ବ୍ୟବସାୟୀ ଏଠାକୁ ଆସିଛନ୍ତି ସେମାନଙ୍କ ମଧ୍ୟରୁ ଏବେ ଜଣେ ଦୋକାନ ଖୋଲିଛନ୍ତି। ବାକି ବ୍ୟବସାୟୀଙ୍କ ଆଲଟ୍‌ମେଣ୍ଟ ବାତିଲ ହୋଇଥିବାରୁ ଏହି ଦୋକାନ ବାଣ୍ଟିବା ପାଇଁ ବିଏମ୍‌ସି ନୂଆ ହିତାଧିକାରୀ ଚିହ୍ନଟ କରିବ। ଏଣୁ କେବେ ଚିହ୍ନଟ ହେବ ସେ ନେଇ ନିଶ୍ଚିତତା ନଥିବାରୁ ଏହି ବଜାର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

ସିଆର୍‌ପି ଛକରୁ ଭିଆଇପି କଲୋନି ଆଡ଼କୁ ଯିବାବେଳେ ବାମପଟେ ଥିବା ଉଠାଦୋକାନ ହଟାଯିବାକୁ ନିଷ୍ପତ୍ତି ହୋଇଥିଲା। ସର୍ଭେ ହେବା ପରେ ସେଠାରୁ ୪୫ ଦୋକାନୀଙ୍କୁ ଥଇଥାନ କରିବାକୁ ତାଲିକାଭୁକ୍ତ କରାଯାଇଥିଲା। ଏମାନଙ୍କୁ ଥଇଥାନ କରିବା ପାଇଁ ବିଏମ୍‌ସି ଘାଟିକିଆରେ ବଜାର ନିର୍ମାଣ କରିଥିଲା। ଯାହା ଏଠାରୁ ୧୦ କିମି ଦୂର ଥିଲା। ଏଣୁ ଏଠାକୁ ଆସିବା ପାଇଁ କେହି ରାଜି ହେଲେ ନାହିଁ। ବିଏମ୍‌ସି ମନଇଚ୍ଛା ଆଲଟ୍‌ କରିଦେଇଥିବାରୁ ଦୁଇଜଣ ଗ୍ରହଣ କଲେ ଓ ୪୩ ଜଣ ଏହି ନିଷ୍ପତ୍ତିକୁ ଗ୍ରହଣ କଲେ ନାହିଁ। ଏତେ ବାଟରେ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ବିଏମ୍‌ସିର ଇଞ୍ଜିନିୟରିଂ ସେକ୍ସନ ଜାଗା ଚିହ୍ନଟ କରିଥିବା ଜଣାପଡ଼ିଥିଲା। ଶେଷରେ ବ୍ୟବସାୟୀମାନେ ଆସିବାକୁ ଅମଙ୍ଗ ହେବାରୁ ୪୩ ଦୋକାନୀଙ୍କ ଆଲଟ୍‌ମେଣ୍ଟ ବାତିଲ ହୋଇଥିଲା। ସେମାନଙ୍କୁ ଥଇଥାନ କରିବାକୁ ବିଏମ୍‌ସି ସିଆରପି ପାଚେରି କଡ଼ରେ କ୍ୟାନୋପି ତିଆରି କରୁଛି। ଏଥିରେ ଲକ୍ଷାଧିକ ଖର୍ଚ୍ଚ ହେଉଛି। ଅଢ଼େଇ କୋଟି ବ୍ୟୟରେ ଘାଟିକିଆରେ ୨୨ ଦୋକାନ ଓ ୪୦ ପିଣ୍ଡି ତିଆରି ହୋଇଛି। କିନ୍ତୁ କେବେ ଖୋଲିବ ନିଶ୍ଚିତତା ନଥିବାରୁ ଘାଟିକିଆ ବାସିନ୍ଦା କେବେ ପାଖରେ ବଜାର ସୁବିଧା ପାଇବେ ସେ ନେଇ ପ୍ରଶ୍ନ ଉଠିଛି।

ଦୋକାନ ଖୋଲିଥିବା ବ୍ୟବସାୟୀ ଅଜୟ କୁମାରଙ୍କ କହିବା କଥା, ‌‌‌୫ ବର୍ଷ ହେଲା ମହାବୀର ଛକରେ ଦୋକାନ କରିଥିଲି। ସେଠାରେ ଦିନକୁ ୩.୫ହାଜରରୁ ଅଧିକ ଟଙ୍କା ରୋଜଗାର ହେଉଥିଲା। ହେଲେ ଏଠାରେ କେହି ଆସୁନାହାନ୍ତି। ଦିନକୁ ୫ଶହ ଟଙ୍କା ବେପାର କାଠିକର ପାଠ ହେଉଛି। ୮.୫ ହଜାର ଟଙ୍କା ଜମା ରଖିବା ପରେ ମା‌ସିକ ଭଡ଼ା ବାବଦକୁ ବିଏମ୍‌ସିକୁ ୭୦୦ ଟଙ୍କା ‌ଦେବାକୁ ପଡ଼ୁଛି। ବିଜୁଳି ଓ ପାଣି ବିଲ୍‌ ପୁଣି ଅଲଗା। ‌ବାକି ଦୋକାନ ଖୋଲିଲେ ହୁଏତ ବେପାର ହେବ। ଏଠାରେ ସୂଚାଇଦିଆଯାଇ ପାରେ, ଜନପଥରେ ସ୍ମାର୍ଟ ସିଟି ଲିମିଟେଡ୍‌ ସ୍ମାର୍ଟ କିଓସ୍କ ନିର୍ମାଣ କରିଥିଲା। ପୂର୍ବରୁ ଏହି ରାସ୍ତା କଡ଼ରେ ଥିବା ବ୍ୟବସାୟୀଙ୍କୁ ଏଠାରେ ‌କିଓସ୍କ ଆଲଟ୍‌ କରାଯାଇଥିଲା। କିନ୍ତୁ ଏଠାରେ ମଧ୍ୟ ଅନୁରୂପ ପରିସ୍ଥିତି ହୋଇଥିଲା। ରାଜମହଲରେ ଦୋକାନ କରିଥିବା ଲୋକକୁ ଶ୍ରୀୟା ଛକରେ ଓ ରମାଦେବୀ ବିଶ୍ବବିଦ୍ୟାଳୟ ପାଖ ବ୍ୟବସାୟୀକୁ ରାଜମହଲରେ ଦେବାରୁ କେତେକ ବ୍ୟବସାୟୀ ସେଠାକୁ ଯାଇନଥିଲେ। ମାମଲା କୋର୍ଟରେ ପଡ଼ିଥିବା ବେଳେ ଅନେକ ଦୋକାନ ଘର ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର