କିଏ ହେବ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବନ୍ଦ ଲଫାଫାରେ ଅଧ୍ୟକ୍ଷାଙ୍କ ନାଁ

କୋରାପୁଟ: କୋରାପୁଟ ଜିଲ୍ଲାର ୨୯ଟି ଜିଲ୍ଲା ପରିଷଦ ଆସନରେ ବିଜେଡି ୧୬ଟି ଆସନ ଦଖଲ କରିଛି। ଅଧ୍ୟକ୍ଷା ପଦବୀ ପାଇଁ ୧୫ଟି ଆବଶ୍ୟକ ରହିଥିବାବେଳେ ୧୬ଟି ଦଖଲ କରିଛି କୋରାପୁଟ ବିଜେଡି। ତେଣୁ ଏହି ପଦବୀ ପାଇଁ ବିଜେଡିର ୪ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ତାଲିକାରେ ରହିଛନ୍ତି। ଆସନ୍ତାକାଲି ବନ୍ଦ ଲଫାଫା‌ ଖୋଲିବାକୁ ରହିଥିବାବେଳେ କାହା ମୁଣ୍ଡରେ ହାତୀ କଳସ ଢାଳିବ ତାହାକୁ ଆସନ୍ତାକାଲି ଜଣାପଡିବ। ଏଥିପାଇଁ କୁନ୍ଦୁରାର କନକଲତା ପେଣ୍ଟିଆ ଓ ବନ୍ଧୁଗାଁର ସସ୍ମିତା ମେଲେକା ଆଗୁଆ ରହିଥିବାବେଳେ ନନ୍ଦପୁର ନମୟନ୍ତି ଖୀଲ ଓ କୋଟପାଡର ଗୀତା ମାଝିଙ୍କ ନାମ ମଧ୍ୟ ରହିଛି। ତେବେ କନକଲତା ସରପଞ୍ଚ, ସମିତି ସଭ୍ୟ ସହ ଏବେ ଜିଲ୍ଲା ପରିଷଦ ସଦସ୍ୟ ହୋଇଛନ୍ତି। କନକଙ୍କ ନିକଟରେ ପ୍ରାୟ ୧୦ ବର୍ଷର ଅଭିଜ୍ଞତା ରହିଥିବାବେଳେ ଉଚ୍ଚଶିକ୍ଷିତା ସସ୍ମିତା ମେଲେକା ରାଜନୀତିରେ ନୂଆଁ। ହେଲେ ଉଚ୍ଚଶିକ୍ଷିତା ହେଉଛନ୍ତି ସସ୍ମିତା।

‌ବନ୍ଧୁଗାଁର କୁମ୍ଭକଟା ପରି ମାଓଉପଦ୍ରୁତ ଅଞ୍ଚଳରୁ ଆସି ସେ ପିଜି କରିଛନ୍ତି। ତେଣୁ ଉଚ୍ଚଶିକ୍ଷିତା ହୋଇଥିବାରୁ ତାଙ୍କୁ ବିଜେଡି ଅଧ୍ୟକ୍ଷା କରିବା ଆଶା କରାଯାଉଛି। ପୂର୍ବରୁ ବୋରିଗୁମ୍ମା ଓ କୋରାପୁଟରେ ଏହି ଅଧ୍ୟକ୍ଷା ପଦବୀ ସମିତ ରହିଥିବାବେଳେ ବନ୍ଧୁଗାଁ କିମ୍ବା କୁନ୍ଦୁରାକୁ ଯିବା ଆଶା କରାଯାଉଛି । ଯଦି ଠିକ୍‌ ପ୍ରାର୍ଥୀଙ୍କୁ ଅଧ୍ୟକ୍ଷ କରା ନ ଯାଏ ତେବେ ଦଳରେ ଘୋଡା ବେପାର ହେବା ଥୟ। ଏହି ଘୋଡା ବେପାରରୁ ନିଜ ପାଇଁ ସୁଯୋଗ ଖୋଜିବାକୁ ଚାହିଁବ କଂଗ୍ରେସ। କଂଗ୍ରେସ ୨୯ଟି କୋରାପୁଟ ଜିଲ୍ଲାରୁ ୧୨ଟି ଆସନ ନେଇଥିବାବେଳେ ପଟାଙ୍ଗୀ-୧ର ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ୍‌କୁ ନିଜ ଆଡକୁ କରି ଅଧ୍ୟକ୍ଷା ପଦବୀ ଦଖଲ କରିବାକୁ ଯୋଜନା କରୁଥିବା ଆଲୋଚନା ହେଉଛି। ଯଦି ବିଦ୍ରୋହୀ ପ୍ରାର୍ଥୀଙ୍କୁ କଂଗ୍ରେସ କରାୟତ କରେ ତେବେ ଅଧ୍ୟକ୍ଷା ଆସନ ଆଉ ବେଶୀ ଦୂର ନୁହେଁ ବୋଲି ଆଲୋଚନା ହେଉଛି। ଆସନ୍ତାକାଲି କୋରାପୁଟରେ ଅଧ୍ୟକ୍ଷା ଚୟନ ହେବାକୁ ରହିଥିବାବେଳେ କିଏ ହେବ ତାହାକୁ ନେଇ ଆଶା ଅଶଙ୍କା ରହିଛି।

ସମ୍ବନ୍ଧିତ ଖବର