ଇପିଏଫ୍‌ ପ୍ରାପ୍ୟ ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ସହରରେ ପଡ଼ିଛି କୁଢ଼ କୁଢ଼ ଆବର୍ଜନା

ତୁଷୁରା: ତୁଷୁରା ଏନ୍‌ଏସିରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀଙ୍କ ୧୦ ମାସର ଇପିଏଫ୍‌ ପ୍ରାପ୍ୟ ମିଳି ନଥିବାରୁ ସେମାନେ ଆନ୍ଦୋଳନ କରିଛନ୍ତି। ଶନିବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଯ୍ୟବନ୍ଦ ଆନ୍ଦୋଳନ କରିଥିବାରୁ ଏନ୍‌ଏସିର ସବୁ ୱାର୍ଡରେ କୁଢ଼ କୁଢ଼ ଆବର୍ଜନା ପଡ଼ିରହିଛି। ସଫେଇ କର୍ମଚାରୀମାନଙ୍କ ଅଭିଯୋଗ ଅନୁସାରେ, ଇପିଏଫ ବାବଦରେ ଦରମାର ୧୨ ପ୍ରତିଶତ ପ୍ରାୟ ୧୧ ଶହ ଟଙ୍କା ପ୍ରତିମାସ ନିୟୋଜିତ ଠିକାଦାର କାଟୁଛନ୍ତି। ଏହାବାଦ ଏନ୍‌ଏସି କାର୍ଯ୍ୟାଳୟ ପକ୍ଷରୁ ୧୩ ପ୍ରତିଶତ ଦେବାର କଥା। କିନ୍ତୁ ସଫେଇ କାର୍ଯ୍ୟରେ ନିୟୋଜିତ କଟକର ଚନ୍ଦନ ଏଜେନ୍ସି ଆଜି ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ଠାରୁ କାଟିଥିବା ୧୨ ପ୍ରତିଶତ  ଇପିଏଫ୍‌ ଟଙ୍କା ଆଜିଯାଏ ଜମା କରି ନାହାନ୍ତି।

ଏ ନେଇ ବିଭିନ୍ନ ସମୟରେ ତୁଷୁରା ସମଲେଶ୍ବରୀ ସଫେଇ କର୍ମଚାରୀ ସଂଘ ପକ୍ଷରୁ ତୁଷୁରା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କୁ ଦାବିପତ୍ର ଦେବା ସହ କାର୍ଯ୍ୟବନ୍ଦ ମଧ୍ୟ କରିଥିଲେ। ତେବେ ସବୁ ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ କିଛି ପ୍ରତିଶ୍ରୁତି ଦେଇ ବନ୍ଦ କାର୍ଯ୍ୟକୁ ରଫାଦଫା କରିଥିଲେ। କିନ୍ତୁ ଏହାପରେ ମଧ୍ୟ କର୍ମଚାରୀଙ୍କ ଦାବି ପୂରଣ ନହେବାରୁ ବାଧ୍ୟ ହୋଇ ସମସ୍ତ ୬୪ ଜଣ କର୍ମଚାରୀ ଆଜିଠାରୁ ସମସ୍ତ ୧୧ଟି ୱାର୍ଡ଼ରେ କାର୍ଯ୍ୟବନ୍ଦ କରିବା ସହ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସମସ୍ତ ଇପିଏଫ ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା ନହେବା ଯାଏ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କର୍ମଚାରୀ ସଂଘର ସଭାପତି ମନୋଜ ଜୈନ ଓ ସଂପାଦିକା ଅନିତା ସୁନା ପ୍ରକାଶ କରିଛନ୍ତି। ଏ ନେଇ ନିର୍ବାହୀ ଅଧିକାରୀଙ୍କ କହିବା ହେଲା, ଠିକା ସଂସ୍ଥା ୧୦ ମାସର ଇପିଏଫ୍ ଟଙ୍କା ଦେଇ ନଥିବାରୁ ଏନ୍‌ଏସି ୧୩ ପ୍ରତିଶତ ଦେଇ ନାହିଁ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଉକ୍ତ ସଂସ୍ଥା ସମସ୍ତ ଇପିଏଫ ଟଙ୍କା ନଦେଲେ ତୁଷୁରା ଥାନାରେ ଏତଲା ଦିଆଯିବ ବୋଲି ସେ କହିଥିଲେ। ଏହା ସହିତ କାର୍ଯ୍ୟ ବନ୍ଦ ନକରି ସଫେଇ କାର୍ଯ୍ୟ ଚାଲି ରଖିବାକୁ ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଆଗରୁ ମଧ୍ୟ ସଫେଇ କାର୍ଯ୍ୟରେ ନିୟୋଜିତ ସଂସ୍ଥା ୫ ବର୍ଷର ଇପିଏଫ୍‌ ଟଙ୍କା ହେରଫେର କରିଥିବାରୁ ଲିଖିତ ଭାବେ ନଦେଲେ ବିଶ୍ବାସ କରି‌ ପାରିବେ ନାହିଁ ବୋଲି ସଫେଇ କର୍ମଚାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର