ରାୟଗଡ଼ା: ରାୟଗଡ଼ା-ଗୁଣପୁର ବନାଞ୍ଚଳ ସୀମାରେ ବୁଲୁଛି ଦନ୍ତାହାତୀ। ହାତୀପଲରୁ ଅଲଗା ହୋଇ ଚାଲି ଆସିଥିବା ଦନ୍ତାକୁ ଠାବ କରିବାକୁ ବନ ବିଭାଗ କର୍ତ୍ତୃପକ୍ଷ ନାକେଦମ୍ ହୋଇ ପଡିଲେଣି। ବହୁ ଖୋଜାଖୋଜି ପରେ ମଧ୍ୟ ଦନ୍ତାର କୌଣସି ସନ୍ଧାନ ମିଳିପାରୁନି। ସେପଟେ ହାତୀର ପାଦ ଚିହ୍ନ ଦେଖି ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଦୁଇ ଦିନ ଧରି ଘୁରି ବୁଲୁଥିବା ଦନ୍ତାହାତୀ କୌଣସି କ୍ଷୟକ୍ଷତି ଘଟାଇ ନାହିଁ। ବାଡ଼ିଶୋଳା ପାହାଡ଼ରେ ଥିବା କିଛି କଦଳୀ ବୃକ୍ଷକୁ ନଷ୍ଟ କରିଥିବା ଲୋକେ ଦେଖିବା ପରେ ବନ ବିଭାଗକୁ ଅବଗତ କରିଛନ୍ତି। ଗତକାଲି ମୁକୁନ୍ଦପୁର ଅଞ୍ଚଳର ବାଡ଼ିଶୋଳା-ପୋଡାପାଇ ଜଙ୍ଗଲରେ ବଣୁଆ ହାତୀଟି ଘୁରି ବୁଲୁଥିଲା। ଆଜି ରାୟଗଡ଼ା-ଗୁଣପୁର ବନାଞ୍ଚଳ ସୀମା ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲରେ ବଣୁଆ ହାତୀଟି ଥିବା ଜଙ୍ଗଲ ବିଭାଗର କର୍ମଚାରୀ ଅନୁମାନ କରୁଛନ୍ତି। ଜରଡି ଗ୍ରାମ ନିକଟରେ ହାତୀର ପାଦଚିହ୍ନ ପଡିଥିବା ଦେଖିବା ପରେ ଦିନ ତମାମ ଜଙ୍ଗଲ ବିଭାଗର ଏକ ଟିମ ହାତୀକୁ ଠାବ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ବନ ବିଭାଗ ପକ୍ଷରୁ ଦୁଇଟି ଟିମ୍ ଗଠନ କରି ହାତୀକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ସଂଧ୍ୟା ସୁଦ୍ଧା ହାତୀର ଅବସ୍ଥିତି ସଂପର୍କରେ କୌଣସି ସୂଚନା ମିଳିନଥିବା ବନ ବିଭାଗ କର୍ତ୍ତୃପକ୍ଷ କହିଛନ୍ତି। ବନ ବିଭାଗ ପକ୍ଷରୁ ଗଠିତ ହୋଇଥିବା ଟିମରେ କୁମୁଟିପେଣ୍ଠ, ମୁକୁନ୍ଦପୁର, ରାମନାଗୁଡା, ଗୁଣପୁର ରେଞ୍ଜର ୮ଜଣ ଫରେଷ୍ଟରଙ୍କୁ ସାମିଲ୍ କରାଯାଇଛି। ରାୟଗଡ଼ା ରେଞ୍ଜର ଅଶୋକ ପ୍ରଧାନଙ୍କ ସୂଚନା ମୁତାବକ, ହାତୀଟି ବିଷମକଟକ ନିକଟସ୍ଥ ନିୟମଗିରି ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି। ହାତୀପଲ ଦୁର୍ଗୀ ଜଙ୍ଗଲ ଅଭିମୁଖେ ଯାଉଥିବା ବେଳେ ଦନ୍ତାହାତୀଟି ହାତୀପଲରୁ ଅଲଗା ହୋଇ ଏକାକି ରାମନାଗୁଡା-ମୁକୁନ୍ଦପୁର ଜଙ୍ଗଲ ମଧ୍ୟରେ ଘୁରି ବୁଲୁଛି।