ଭୁବନେଶ୍ୱର: ଫଟୋଗ୍ରାଫର ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ନେଇ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି | ଶର୍ମିଷ୍ଠାଙ୍କୁ ଧରିବା ସହ ତଦନ୍ତକୁ ଅଗ୍ରଗତି କରାଇବାକୁ କ୍ରାଇମବ୍ରାଞ୍ଚ ପୁଲିସକୁ ସହଯୋଗ କରିବ | ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ଯେ ଏହି ଘଟଣା ଉପରୁ ପରଦା ଉଠାଇବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି | ଆଜି ପୁଲିସ ଡିଜି ସୁନୀଲ ବଂଶଲ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି | ସୂଚନାଯୋଗ୍ୟ, ଚାନ୍ଦବାଲି ଥାନାରେ ମାନସଙ୍କ ନିଖୋଜ ନେଇ ୨୦୨୨, ଫେବ୍ରୁଆରି ୧୪ରେ ପରିବାର ତରଫରୁ ଏତଲା ଦିଆଯିବାପରେ ପୁଲିସ ଆଇପିସିର ଦଫା ୩୬୩ ଓ ୩୪ରେ ମାମଲା ରୁଜୁ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଶର୍ମିଷ୍ଠାଙ୍କ ୱେବ୍ ପୋର୍ଟାଲରେ କ୍ୟାମେରାମ୍ୟାନ ଭାବେ କାମ କରୁଥିବା ନୟାଗଡ଼ ଜିଲ୍ଲା ରଣପୁର ଥାନା ନୂଆପଲ୍ଲୀ ଗୋଡ଼ିପୋଖରୀ ଗ୍ରାମର ମାନସ ସ୍ବାଇଁ ଫେବ୍ରୁଆରି ୬ ତାରିଖ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁରେ ଏକ ବିବାହ ଉତ୍ସବରେ ଫଟୋଚିତ୍ର ଓ ଭିଡିଓ ଉତ୍ତୋଳନ କରିବାକୁ ଆସିଥିଲେ। ୭ ତାରିଖ ସକାଳେ ମାନସ ଭୁବନେଶ୍ବର ଫେରିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶର୍ମିଷ୍ଠା ଓ ତାଙ୍କର ସହଯୋଗୀ ଝୁନୁଲତା ଭୋଇ, ଖଣ୍ଡଗିରି ଥାନା ବରମୁଣ୍ଡା ଡାଏରି ଫାର୍ମ ବସ୍ତିର ଭାଗ୍ୟଧର ନାୟକ, ନୟାଗଡ଼ ଜିଲ୍ଲା ରଣପୁର ଥାନା ଧାମଡ଼ା ଗାଁର ବିବେକ ନାୟକ, ଭୁବନେଶ୍ବର ଶ୍ରୀଲିଙ୍ଗରାଜ ଥାନା ମଙ୍ଗଳାସାହିର କୃଷ୍ଣଚନ୍ଦ୍ର ନାୟକ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣିବନ୍ଧ ଗାଁର ରଞ୍ଜନ ନାୟକ ଏକ ଗାଡ଼ିରେ ଆସି ମାନସଙ୍କୁ ପଳାଶପୁର ଛକରୁ ଉଠାଇ ନେଇଥିଲେ।
ମାନସଙ୍କୁ ଏହି ୫ ଜଣ ଅପହରଣ କରି ଭୁବନେଶ୍ବର ନେବା ବେଳେ ବାଟରେ ମାରଧର କରିବା ସହ ସେହି ଚିପ୍ସ କୋଉଠି ରଖିଛୁ ବୋଲି ପଚାରିଥିଲେ ଶର୍ମିଷ୍ଠା। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ମାନସଙ୍କ ମୋବାଇଲ ଛଡ଼ାଇ ନେଇ ଫିଙ୍ଗି ଦିଆଯାଇଥିଲା। ୭ ତାରିଖରେ ତାଙ୍କୁ ଅପହରଣ କରାଯିବା ପରେ ଏୟାରଫିଲ୍ଡ ଥାନା ସୁନ୍ଦରପଦା-ଜଟଣୀ ରାସ୍ତାର କଣ୍ଟିଲୋ ‘ଦୟାଲ’ ବୃଦ୍ଧାଶ୍ରମକୁ ଅଣା ଯାଇଥିଲା। ସେଠାରେ ହିଁ ରାତିରେ ତାଙ୍କୁ ନିରଞ୍ଜନ, ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତମାନେ ମିଳି ମିଶି ହତ୍ୟା କରିଥିଲେ। ୮ ତାରିଖ ସକାଳେ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧିପାଟଣା ନିକଟରେ ମୃତଦେହକୁ ପୋତି ଦେଇଥିଲେ। ଚଣ୍ଡିଖୋଲ ଛକରେ ପଡ଼ିଥିବା ମୋବାଇଲକୁ ସେଠାରେ ଜଣେ ଦୋକାନୀ ପାଇବା ପରେ ପୁଲିସକୁ ଦେଇଥିଲେ। ମୋବାଇଲ କଲ୍ ଡିଟେଲ୍ ଆଧାରରେ ତଦନ୍ତ ଆଗକୁ ବଢ଼ିବା ସହ ପୁଲିସ ହାତରେ ଲାଗିଥିଲା ଅନେକ ଗୁରୁତ୍ବପୂର୍ଣ୍ଣ ସୁରାକ। ସେହିଠାରୁ ତଦନ୍ତ ଆଗକୁ ବଢ଼ିଥିଲା