ଚତୁର୍ଥ ଲହର ଭୟ: ସଂକ୍ରମଣ ସ୍ଥିତି ଦେଖି ନିଷ୍ପତ୍ତି ନିଅ

ଜିଲ୍ଲାପାଳ, କମିସନର ଓ ସିଡିଏମ୍‌ଓଙ୍କୁ ବିଭାଗର ଚିଠି, ରାଜ୍ୟରେ ମାତ୍ର ୧୭% ଲୋକ ନେଇଛନ୍ତି ପ୍ରିକସନ୍ ଡୋଜ୍

ଭୁବନେଶ୍ବର: ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଚତୁର୍ଥ ଲହରର ଭୟ ଦେଖା ଦେଇଛି। ଯଦିଓ ଓଡ଼ିଶାରେ ସେଭଳି ସ୍ଥିତି ଉପୁଜିନାହିଁ, ତଥାପି ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ଆଗୁଆ ସତର୍କତା ଅବଲମ୍ବନ କରିଛି। ସଂକ୍ରମଣ ଉପରେ ନିୟମିତ ନଜର ରଖିବା ସହିତ କଟକଣା/କୋହଳ ଏଣିକି ପ୍ରମାଣ ଭିତ୍ତିକ ହେବା ଜରୁରୀ ବୋଲି ଆଜି ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମ୍‌ଓଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ କୌଣସି କ୍ଲଷ୍ଟରରେ ସଂକ୍ରମଣ ବଢ଼ିବା, ସଂକ୍ରମଣ ହାର, କେତେ ସଂଖ୍ୟକ ଲୋକ ସଂକ୍ରମିତ ହେଉଛନ୍ତି ଓ ସଂକ୍ରମଣର ଭୌଗଳିକ ସ୍ଥିତି ଉପରେ ନିୟମିତ ସମୀକ୍ଷା ଜରୁରୀ। ଆଇଏଲଆଇ/ଏସ୍‌ଏଆରଆଇ ନିରୀକ୍ଷଣ ଜାରି ରଖିବା ସହିତ ସଂକ୍ରମଣ ପ୍ରବଣ ଦେଶ/ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନିରୀକ୍ଷଣ ଆବଶ୍ୟକ। ଟେଷ୍ଟିଂ-ଟ୍ରାକିଂ-ଟ୍ରିଟମେଣ୍ଟ-ଟିକାକରଣ ସହିତ କୋଭିଡ ନିୟମ ପାଳନକୁ କଡ଼ାକଡ଼ି କରିବା ସହିତ ଆଇସିଏମ୍‌ଆର ଗାଇଡଲାଇନ୍ ଅନୁଯାୟୀ ଟେଷ୍ଟିଂ କରିବା ଲାଗି କୁହାଯାଇଛି। ଏହାସହ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କର ଜିନୋମ ସିକ୍ବେନ୍ସିଂ ଲାଗି ପଠାଇବା, ଅଣ କୋଭିଡ ହସ୍ପିଟାଲଗୁଡ଼ିକ ଯେପରି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଓ ଯଦି କୌଣସି ପରିସ୍ଥିତିରେ ହଠାତ୍ ସଂକ୍ରମଣ ବୃଦ୍ଧି ପାଏ ତାହାଲେ କଣ୍ଟିଜେନ୍ସି ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ରଖିବା ଜରୁରୀ। ଏହାସହ ଭିଡ଼କୁ ଗଲେ ମାସ୍କ ପରିଧାନ, ସର୍ବସାଧାରଣ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖିବା, ଛେପ ନ ପକାଇବା ଓ ନିୟମିତ ହାତ ଧୋଇବାକୁ ଗୋଷ୍ଠୀସ୍ତରରେ ଜାରି ରଖିବା ଲାଗି ବିଭାଗ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ଗୋଟିଏ ପଟେ ଚତୁର୍ଥ ଲହରର ଭୟ ସୃଷ୍ଟି ହୋଇଥିବା ବେଳେ ଲୋକମାନେ କିନ୍ତୁ ପ୍ରିକସନ୍ ଡୋଜ୍ ପାଇଁ ଆଗ୍ରହ ଦେଖାଉ ନ ଥିବା ଜଣାପଡ଼ିଛି। ରାଜ୍ୟ କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ। ଡା.ପାଣିଗ୍ରାହୀ କହିଛନ୍ତି, ସଂକ୍ରମଣ କମ୍ ଥିବାରୁ ଲୋକମାନେ ଢିଲା ହୋଇ ଯାଇଛନ୍ତି। ଦିଲ୍ଲୀ ଓ ଅନ୍ୟ ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଲୋକମାନେ ନିଜର ପ୍ରିକସନ୍ ଡୋଜ୍ ନେବା ଜରୁରୀ। ରାଜ୍ୟରେ ୫୯ଲକ୍ଷ ୪୨ହଜାର ୭୯୬ଜଣଙ୍କୁ ପ୍ରିକସନ୍ ଡୋଜ୍ ଦେବାକୁ ଲକ୍ଷ୍ୟ ରଖା ଯାଇଥିବା ବେଳେ ବର୍ତମାନ ସୁଦ୍ଧା ୧୦ଲକ୍ଷ ୧୯ହଜାର ୮୮୧ଜଣ ପ୍ରିକସନ୍ ଡୋଜ୍ ନେଇଛନ୍ତି। ଯାହାକି ମୋଟ ଧାର୍ଯ୍ୟ ଜନସଂଖ୍ୟାର ୧୭ ପ୍ରତିଶତ। ଘରୋଇ ହସ୍ପିଟାଲରେ ୧୮ବର୍ଷରୁ ଅଧିକ ୬୭୨୭ଜଣ ପ୍ରିକସନ୍ ଡୋଜ୍ ନେଇଥିବା ସୂଚନା ରହିଛି। ରାଜ୍ୟରେ ବର୍ତମାନ ସୁଦ୍ଧା ୬କୋଟି ୪୮ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଗଲାଣି। ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୬ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୭ହଜାର ୯୫୧କୁ ବୃଦ୍ଧି ପାଇଛି। ମାତ୍ର କୌଣସି ନୂଆ ମୃତ୍ୟୁ ଘୋଷଣା ହୋଇନାହିଁ। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦୩ ରହିଛି। ୧୩ଟି ଜିଲ୍ଲା ଏବେ କରୋନାମୁକ୍ତ ରହିଛନ୍ତି।

ସମ୍ବନ୍ଧିତ ଖବର