ଚଳିତ ବର୍ଷ ଖାଦ୍ୟଶସ୍ୟ ଉତ୍ପାଦନରେ ହେବ ସର୍ବକାଳୀନ ରେକର୍ଡ: ତୋମର

ଜାତୀୟ କୃଷି ସମ୍ମିଳନୀକୁ ଉଦ୍‌ଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଆଜି ଦିଲ୍ଲୀ ଏନ୍ଏଏସ୍‌ସି ପରିସରରେ ଖରିଫ୍ ଅଭିଯାନ ୨୦୨୨-୨୩ ନିମନ୍ତେ ଜାତୀୟ କୃଷି ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ ଦ୍ୱିତୀୟ ଅଗ୍ରୀମ ଅନୁମାନ (୨୦୨୧-୨୨) ଅନୁସାରେ ଦେଶରେ ସମୁଦାୟ ଖାଦ୍ୟଶସ୍ୟର ଉତ୍ପାଦନ ୩୧୬୦ ଲକ୍ଷ ଟନ୍ ହେବ ବୋଲି ଅନୁମାନ ଲଗାଯାଇଛି। ଯାହା କି ଏକ ସର୍ବକାଳୀନ ରେକର୍ଡ ହେବ । ଡାଲି ଏବଂ ତୈଳବୀଜର ଉତ୍ପାଦନ ଯଥାକ୍ରମେ ୨୬୯.୫ ଏବଂ ୩୭୧.୫ ଲକ୍ଷ ଟନ୍ ହେବ ।

ତୃତୀୟ ଅଗ୍ରୀମ ଅନୁମାନ ଅନୁସାରେ ୨୦୨୦ -୨୧ରେ ଉଦ୍ୟାନ କୃଷି ଉତ୍ପାଦନ ୩୩୧୦. ୫ ଲକ୍ଷ ଟନ୍ ରହିଛି। ଭାରତୀୟ ଉଦ୍ୟାନ କୃଷି ନିମନ୍ତେ ଆଜି ପର୍ଯ୍ୟନ୍ତ ଏହା ସର୍ବାଧିକ। କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷକମାନଙ୍କ ନିମନ୍ତେ ଖର୍ଚ୍ଚ କମ କରିବା ପାଇଁ କୀଟନାଶକ ଏବଂ ମଞ୍ଜିର ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବେ। ୟୁରିଆକୁ ନାନୋ-ୟୁରିଆରେ ପରିବର୍ତ୍ତନ କରିବା ଉଚିତ୍। ପୂର୍ବ ଭଳି ସରକାର ପ୍ରାକୃତିକ ଏବଂ ଜୈବିକ କୃଷି ଉପରେ ଗୁରୁତ୍ୱ ଦେବା ଜାରି ରଖିବେ। କୃଷି ରପ୍ତାନିରେ ଅଭିବୃଦ୍ଧି ଘଟିଛି। ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ଉପରେ ଧ୍ୟାନ ଦେବା ଉଚିତ୍‌। ଫଳରେ ତାହା ଅନ୍ତର୍ଜାତୀୟ ବଜାରମାନଙ୍କରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ଏହା ଦ୍ବାରା ରପ୍ତାନିକାରୀ ଓ କୃଷକ ଉଭୟଙ୍କର ଲାଭ ହେବା ଉଚିତ୍ ବୋଲି ମନ୍ତ୍ରୀ ଶ୍ରୀ ତୋମର କହିଥିଲେ।

ସମ୍ମିଳନୀରେ କୃଷି ଏବଂ କୃଷକ କଲ୍ୟାଣ ସଚିବ ମନୋଜ ଆହୁଜା କହିଲେ ଯେ ୨୦୧୫ -୧୬ରୁ ଦେଶରେ ଖାଦ୍ୟ ଶସ୍ୟ ଉତ୍ପାଦନରେ କ୍ରମାଗତ ଭାବେ ବୃଦ୍ଧି ଘଟିଛି । ଗତ ୬ ବର୍ଷରେ ମୋଟ ଖାଦ୍ୟଶସ୍ୟ ଉତ୍ପାଦନ ୨୫% ବୃଦ୍ଧି ପାଇ ୨୫୧.୫୪ରୁ ୩୧୬.୦୧ ମିଲିୟନ ଟନ୍ ହୋଇଛି । ତୈଳବୀଜ ସମାନ ଧାରାକୁ ଅନୁସରଣ କରିଛି ଏବଂ ୨୦୧୫- ୧୬ରେ ୨୫.୨୫ ନିୟୁତ ଟନ୍‌ରୁ ୨୦୨୧-୨୨ରେ ୩୭.୧୫ ନିୟୁତ ଟନ୍‌ ଅର୍ଥାତ ୪୨% ଅଭିବୃଦ୍ଧି ହୋଇଛି । ୨୦୨୧- ୨୨ ମସିହାରେ ଭାରତର କୃଷିଜାତ ଦ୍ରବ୍ୟ ରପ୍ତାନି ୧୯.୯୨% ବୃଦ୍ଧି ପାଇ ୫୦.୨୧ ବିଲିୟନ୍ ଡଲାର (୩୭୬୫୭୫ କୋଟି ଟଙ୍କା) ଛୁଇଁଛି । ଗହମ, ଅନ୍ୟାନ୍ୟ ଶସ୍ୟ, ଚାଉଳ (ବାସମତି ବ୍ୟତୀତ), ସୋୟା ମିଲ୍, ତାଜା ପନିପରିବା ଏବଂ ପ୍ରକ୍ରିୟାକୃତ ପନିପରିବା ଇତ୍ୟାଦି ଅଧିକାଂଶ ସକାରାତ୍ମକ ଅଭିବୃଦ୍ଧି ପଞ୍ଜିକୃତ କରିଛି।

ଖରିଫ୍ ଋତୁରେ ଫସଲ ପରିଚାଳନା ପାଇଁ ରଣନୀତି ଉପରେ ବିସ୍ତୃତ ଉପସ୍ଥାପନା କରି ଏହି ଅବସରରେ କୃଷି କମିସନର ଏକେ ସିଂହ କହିଲେ, ସରକାରଙ୍କ ସମୟୋପଯୋଗୀ ହସ୍ତକ୍ଷେପ ଯୋଗୁ ଦେଶରେ ସର୍ବକାଳୀନ ରେକର୍ଡ ପରିମାଣର ଖାଦ୍ୟଶସ୍ୟ, ତୈଳବୀଜ ଏବଂ ଉଦ୍ୟାନ କୃଷି ଉତ୍ପାଦନ କରାଯାଇ ପାରିଛି। ବର୍ତ୍ତମାନ ତୈଳବୀଜ, ଡାଲି ଏବଂ ପୁଷ୍ଟିକର ଶସ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ସରକାରୀ ନୀତି ଅନୁସରଣରେ ଡାଲି ଏବଂ ତୈଳବୀଜ ଚାଷ ବୃଦ୍ଧି ସହିତ ଧାନ ଚାଷ ହେଉଥିବା ଅଂଚଳର ପରିମାଣ ହ୍ରାସ ପାଇଛି। ସଚିବ (ସାର), ଅତିରିକ୍ତ ସଚିବ (କୃଷି) ଏବଂ ଡିଏ ଆଣ୍ଡ ଏଫ୍‌ଡବ୍ଲ୍ୟୁ, ଆଇସିଏଆର୍‌ର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ରାଜ୍ୟର ସରକାରୀ ଅଧିକାରୀମାନେ ଏହି ସମ୍ମିଳନୀରେ ଭାଗ ନେଇଥିଲେ।

ପୂର୍ବବର୍ତ୍ତୀ ଫସଲ ଋତୁ ସମୟରେ ଫସଲର ପ୍ରଦର୍ଶନର ସମୀକ୍ଷା ଏବଂ ମୂଲ୍ୟାଙ୍କନ କରିବା, ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଖରିଫ୍ ଋତୁ ନିମନ୍ତେ ଫସଲର ଲକ୍ଷ୍ୟ ନିର୍ଦ୍ଧାରିତ କରିବା, ମହତ୍ୱପୂର୍ଣ୍ଣ ଇନ୍‌ପୁଟର ଯୋଗାଣକୁ ସୁନିଶ୍ଚିତ କରିବା, ଉତ୍ପାଦନ ବୃଦ୍ଧି ଓ ଫସଲର ଉତ୍ପାଦକତା ବଢ଼ାଇବା ଦୃଷ୍ଟିରୁ ନୂତନ ଟେକ୍ନୋଲୋଜିକୁ ବ୍ୟବହାର କରିବା ପାଇଁ ସୁବିଧା ପ୍ରଦାନ କରିବା ଏହି ସମ୍ମିଳନୀର ଉଦ୍ଦେଶ୍ୟ। କୃଷି-ପରିବେଶ ଭିତ୍ତିକ ଫସଲ ଯୋଜନା ପାଇଁ ସରକାର ପ୍ରାଥମିକତା ହେଉଛନ୍ତି। ସରକାର ଡାଲି ଏବଂ ତୈଳବୀଜ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଏବଂ ପାମ୍ ତେଲର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରି ଫସଲର ବିବିଧକରଣ ଉପରେ ପ୍ରାଥମିକତା ଦେଉଛନ୍ତି ।

ଦେଶରେ ଫସଲର ବିବିଧକରଣର କାର୍ଯ୍ୟକ୍ରମ ନିମନ୍ତେ ଏକ ଜାତୀୟ ନୀତିର ରୂପରେଖକୁ ଅନ୍ତିମ ରୂପ ଦେବା ନିମନ୍ତେ ପ୍ରମୁଖ ରାଜ୍ୟ ସମୂହ, ଗବେଷକ, ଶିଳ୍ପ ଏବଂ ନୀତି ନିର୍ମାତାମାନଙ୍କ ଭଳି ସମସ୍ତ ଅଂଶଧାରକମାନଙ୍କ ସହିତ ବିଚାରବିମର୍ଶ କରାଯାଇଛି । କୃଷିକୁ ସ୍ଥାୟୀ, ଲାଭଦାୟକ ଏବଂ ନିଅଣ୍ଟ ଦ୍ରବ୍ୟରେ ଆତ୍ମନିର୍ଭର କରାଇବା ନିମନ୍ତେ ସମସ୍ତ ରାଜ୍ୟମାନଙ୍କୁ ଫସଲ ବିବିଧକରଣ ଦିଗରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର