ମୋତିହାରୀ(ବିହାର): ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଜେଲଦଣ୍ଡ ଭୋଗୁଥିଲା ସ୍ବାମୀ। ହେଲେ ପରେ ସାମ୍ନାକୁ ଆସିଲା ପ୍ରକୃତ ସତ। ପୁଲିସ ଯାହାକୁ ମୃତ ବୋଲି ଭାବୁଥିଲା, ସେ ପ୍ରକୃତରେ ନିଜ ପ୍ରେମିକ ସହ ପଞ୍ଜାବରେ ରହୁଥିବା ଜଣାପଡ଼ିଥିଲା। ଏହି ଘଟଣା ବିହାରର ମୋତିହାରୀ ଅଞ୍ଚଳରେ ଘଟିଥିବା ବେଳେ ଘଟଣାଟି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଭୁଲ ନକରି ବି ସ୍ବାମୀକୁ ଦଣ୍ଡ ମିଳିଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ, ଶାନ୍ତି ଦେବୀ ନାମକ ମହିଳା ଲକ୍ଷ୍ମୀପୁରର ବାସିନ୍ଦା ଦିନେଶ ରାମଙ୍କୁ ଜୁନ୍ ୧୪, ୨୦୧୬ରେ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ଶାନ୍ତି ତାଙ୍କ ସ୍ୱାମୀଙ୍କ ଘରୁ ପଳାଇଯିବା ସହ ପଞ୍ଜାବରେ ରହୁଥିବା ନିଜ ପ୍ରେମିକଙ୍କ ସହ ରହିବା ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ଝିଅକୁ ନପାଇ ପରିବାର ଲୋକେ ଦିନେଶଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। ଯୌତୁକ ପାଇଁ ଦିନେଶ ଶାନ୍ତିକୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ ଶାନ୍ତିଙ୍କ ପରିବାର ଲୋକେ। ଏହା ପରେ ଶାନ୍ତିଙ୍କ ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ ଦିନେଶଙ୍କୁ ଗିରଫ କରିଥିଲା। ହେଲେ ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି।
ଦିନେଶଙ୍କୁ ଗିରଫ କରିବା ପରେ ସନ୍ଦେହ ହେବାରୁ ପୁଲିସ ଶାନ୍ତିଙ୍କ ଫୋନ ଲୋକେସନ ଟ୍ରାକ୍ କରିବା ଆରମ୍ଭ କରିଥିଲା। ଏହା ପରେ ଶାନ୍ତି ପଞ୍ଜାବରେ ଥିବା ଜଣାପଡ଼ିଥିଲା। ସେଠାକୁ ପୁଲିସ ଯାଇ ଛାନଭିନ କରିବା ପରେ ଶାନ୍ତି ନିଜ ପ୍ରେମିକଙ୍କ ସହ ରହୁଥିବା ସାମ୍ନାକୁ ଆସିଥିଲା। ଏବେ ଶାନ୍ତିଙ୍କୁ ମୋତିହାରୀ ଅଣାଯାଇ ପଚରାଉଚରା କରାଯାଉଥିବା ଜଣାପଡ଼ିଛି।