ଉନ୍ନୟନ କମିସନର୍‌ଙ୍କ ଚିଠିକୁ ବେଖାତିର : ଓଡ଼ିଆରେ କେହି ଲେଖିଲେନି କି ଉତ୍ତର ଦେଲେନି

ପୁଣି ଅନୁରୋଧ କଲେ ଉନ୍ନୟନ କମିସନର୍, ଓଡ଼ିଆ ଭାଷା ପ୍ରତି ବାବୁମାନଙ୍କ ହୀନମନ୍ୟତା

ଭୁବନେଶ୍ବର: ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା। ସରକାରୀ ସଂସ୍ଥା ଓ ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ଉନ୍ନୟନ କମିସନର୍‌ଙ୍କ ଚିଠିକୁ ସରକାରୀ ବାବୁମାନେ ଖାତିର କଲେନି। ଓଡ଼ିଆରେ ଫଳକ ଲେଖିବା ପାଇଁ ନା ନିଜ ଅଧସ୍ତନ କାର୍ଯ୍ୟାଳୟକୁ ଚିଠି ଲେଖିଲେ ନା ନିଜେ କିଛି ତତ୍ପରତା ପ୍ରକାଶ କଲେ। ଉନ୍ନୟନ କମିସନରଙ୍କ ତିନି ସପ୍ତାହ କଣ୍ଟକୁ ବାଏଁ ବାଏଁ ଉଡ଼ାଇଦେଲେ ସବୁ ବିଭାଗ। ଅସହାୟ ଉନ୍ନୟନ କମିସନର୍‌ ଏବେ ପୁଣି ଚିଠି ଲେଖି ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଅନୁରୋଧ କରିଛନ୍ତି। ଏହି ଘଟଣାଟି ସରକାରୀ କଳରେ ଓଡ଼ିଆ ଭାଷା ପ୍ରତି ବଢ଼ୁଥିବା ହୀନମନ୍ୟତାକୁ ପଦାରେ ପକାଇଦେଉଛି।

ଗତ ଏପ୍ରିଲ୍‌ ୨୭ ତାରିଖରେ ଉନ୍ନୟନ କମିସନର୍‌ ପ୍ରଦୀପ ଜେନା ସବୁ ବିଭାଗର ଶାସନ ସଚିବ ଓ ଜିଲ୍ଳାପାଳମାନଙ୍କୁ ଏକ ଚିଠି ଲେଖିଥିଲେ। ଏହି ଚିଠିରେ ସେ ଉଦ୍‌ବେଗ ପ୍ରକାଶ କରିଥିଲେ ଯେ ‘ଭାରତର ପ୍ରତ୍ୟେକ ରାଜ୍ୟରେ ଇଂରାଜୀ ଭାଷା ସହିତ ପ୍ରାଦେଶିକ ଭାଷାକୁ ଗୁରୁତ୍ବ ଦିଆଯାଇ ସରକାରୀ କାର୍ଯ୍ୟ, ନାମଫଳକ ଇତ୍ୟାଦି ଇଂରାଜୀ ସହିତ ପ୍ରାଦେଶିକ ଭାଷାରେ କରାଯାଉଛି/ ଲେଖାଯାଉଛି। ତଦନୁଯାୟୀ ସମସ୍ତ କାର୍ଯ୍ୟାଳୟରେ ନାମଫଳକ ଇତ୍ୟାଦି ଓଡ଼ିଆ ଭାଷାରେ ଲେଖିବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପୂର୍ବରୁ ଅନୁରୋଧ କରାଯାଇଥିଲା। ମାତ୍ର ବର୍ତ୍ତମାନ ଦେଖାଯାଉଛି ଯେ ବିଭିନ୍ନ କାର୍ଯ୍ୟାଳୟ ଓ ଅଧିକାରୀମାନଙ୍କ ନାମଫଳକ ଓଡ଼ିଆ ଭାଷାରେ ଲେଖାଯାଉ ନାହିଁ କିମ୍ବା ଲେଖାଯାଉଥିଲେ ମଧ୍ୟ କେତେକାଂଶରେ ଲେଖାରେ ତ୍ରୁଟି ରହୁଛି। ଏହା ଓଡ଼ିଆ ଭାଷାର ଗୌରବ ଓ ସମ୍ମାନକୁ କ୍ଷୁର୍ଣ୍ଣ କରୁଛି। ତେଣୁ ଏହାକୁ ଗୁରୁତ୍ବ ଦେଇ ସମସ୍ତ ସରକାରୀ, ବେସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟର ନାମଫଳକ ସହ ଅଧିକାରୀମାନଙ୍କ ନାମଫଳକ ଓଡ଼ିଆରେ ନିର୍ଭୁଲ ଭାବେ ଲେଖିବାକୁ ସେ କହିଥିଲେ। ତିନି ସପ୍ତାହ ମଧ୍ୟରେ ଏହାର ଅନୁପାଳନ କରି ସରକାରଙ୍କ ଅବଗତି ନିମନ୍ତେ ଜଣାଇବାକୁ ସବୁ ବିଭାଗକୁ କୁହାଯାଇଥିଲା। ସ୍କୁଲ୍‌, କଲେଜ, ବିଶ୍ବବିଦ୍ୟାଳୟ ପାଇଁ ମଧ୍ୟ ସ୍ବତନ୍ତ୍ର ଭାବେ ଏକ ଚିଠି ଦିଆଯାଇ ଓଡ଼ିଆରେ ନାମଫଳକ ଲେଖିବାକୁ କୁହାଯାଇଥିଲା।

ଉନ୍ନୟନ କମିସନର୍‌ଙ୍କ ଏହି ଚିଠି ସରକାରଙ୍କର ଲୋକଦେଖାଣିଆ ଭାଷା ପ୍ରୀତି ବୋଲି ଆରମ୍ଭରୁ ଧରାପଡ଼ିଯାଇଥିଲା। କାରଣ ଓଡ଼ିଆ ଭାଷାରେ ନାମଫଳକ ଲେଖା ନ ଗଲେ ସଂପୃକ୍ତ ବିଭାଗର ଅଧିକାରୀମାନଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ସମ୍ପର୍କରେ ଚିଠିରେ କିଛି ଉଲ୍ଲେଖ ନ ଥିଲା। ଯେହେତୁ ଦଣ୍ଡବିଧାନର ବ୍ୟବସ୍ଥା ନାହିଁ, ତେଣୁ ସେହି ଚିଠିକୁ କେହି ଖାତିର କଲେ ନାହିଁ। ଚିଠିର ତିନି ସପ୍ତାହ କଣ୍ଟ ଗତ ୧୭ ତାରିଖରେ ଶେଷ ହୋଇଛି। କିନ୍ତୁ ଅତ୍ୟନ୍ତ ଚିନ୍ତାଜନକ ବିଷୟ ହେଲା ଯେ କୌଣସି ବିଭାଗ ଓଡ଼ିଆରେ ନାମଫଳକ ଲେଖାଯିବା ସମ୍ପର୍କିତ ତଥ୍ୟ ଦେଇ ନାହାନ୍ତି।

ଗତ ୧୭ ତାରିଖରେ ଉନ୍ନୟନ କମିସନର୍‌ ଶ୍ରୀ ଜେନା ପୁଣି ଥରେ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅର୍ଦ୍ଧସରକାରୀ କାର୍ଯ୍ୟାଳୟରେ ନାମଫଳକ ଓଡ଼ିଆ ଭାଷାରେ ଲେଖିବା ପାଇଁ ସମସ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବା ସହିତ ଆସନ୍ତା ୩ ସପ୍ତାହ ମଧ୍ୟରେ ଏହାର ଅଗ୍ରଗତି ସମ୍ବନ୍ଧରେ ସରକାରଙ୍କୁ ଜଣାଇବା ପାଇଁ ଅନୁରୋଧ କରାଯାଇଥିଲା। ଇତି ମଧ୍ୟରେ ତିନି ସପ୍ତାହ ବିତିଯାଇଥିଲେ ମଧ୍ୟ ଏ ସମ୍ବନ୍ଧରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ। ତେଣୁ ଏ ସମ୍ବନ୍ଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସବିଶେଷ ଅନୁପାଳନ ତୁରନ୍ତ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ଏହି ଚିଠିକୁ ଜରୁରୀ ମନେ କରିବାକୁ ସେ କହିଛନ୍ତି।

ଉନ୍ନୟନ କମିସନରଙ୍କ ଦ୍ବିତୀୟ ଚିଠି ପରେ କିଛି ବିଭାଗର ନିଦ ଭାଙ୍ଗିଛି। ନିଜ ବିଭାଗର ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକୁ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଏବେ ସେମାନେ ଚିଠି ଦେବା ଆରମ୍ଭ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ସବୁ କଲେଜକୁ ଚିଠି କରି ଓଡ଼ିଆରେ ନାମଫଳକ ଲେଖିବା ପାଇଁ କୁହାଯାଇଛି। ଏହା ସତ୍ତ୍ବେ କିଛି ଫଳାଫଳ ମିଳିବାର ଆଶା କ୍ଷୀଣ। ଓଡ଼ିଆ ଭାଷା ବ୍ୟବହାରରେ ଖିଲାପ କଲେ ଦଣ୍ଡବିଧାନର ଭୟ ସରକାର ଦେଖାଉ ନ ଥିବାରୁ ଅଧିକାରୀମାନେ ଅତ୍ୟନ୍ତ ବେପରୱା ଆଭିମୁଖ୍ୟ ଦେଖାଉଛନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ଏପରି ଚିଠି ଯାଇଛି। କିନ୍ତୁ ଓଡ଼ିଆ ଭାଷା ପ୍ରତି ଉପରିସ୍ଥ ଅଧିକାରୀମାନଙ୍କର ନକରାତ୍ମକ ଆଭିମୁଖ୍ୟ ଯୋଗୁ ତାହାର ପ୍ରଭାବ ତଳସ୍ତରରେ ମଧ୍ୟ ପଡ଼ୁଛି। ସରକାରୀ କଳରେ ଓଡ଼ିଆ ଭାଷା ପ୍ରତି ଚାଲିଥିବା ଛଳନାର ଏସବୁ ଗୋଟିଏ ଗୋଟିଏ ଅଧ୍ୟାୟ ବୋଲି ସଚେତନ ଓଡ଼ିଆମାନେ ଭଲ ଭାବେ ବୁଝିସାରିଲେଣି। ଏପରି ବିଡ଼ମ୍ବନା ସମ୍ଭବତଃ ଅନ୍ୟ କୌଣସି ରାଜ୍ୟରେ ଦେଖିବାକୁ ମିଳୁ ନାହିଁ।

ରାଜ୍ୟ ସରକାର ରାଜ୍ୟ ଭିତରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବାକୁ ବାଧ୍ୟତାମୂଳକ କରିଛନ୍ତି। ୧୯୫୬ ମସିହାରେ ଏ ସଂକ୍ରାନ୍ତରେ ପ୍ରଣୀତ ଏକ ଆଇନକୁ ୨୦୧୮ ମସିହାରେ ସଂଶୋଧନ କରି ଦଣ୍ଡବିଧାନର ବ୍ୟବସ୍ଥା କରିଛନ୍ତି। ଏହି ଆଇନକୁ କାର୍ଯ୍ୟକାରୀ କରିବାର ଦାୟିତ୍ବ ନେଇଛି ଶ୍ରମ ବିଭାଗ। ଖିଲାପକାରୀଙ୍କ ପାଇଁ ଜରିମାନା ବ୍ୟବସ୍ଥା ବି କରାଯାଇଛି। ପ୍ରଥମ ଥର ଉଲ୍ଲଂଘନ କରିଥିବା ଅନୁଷ୍ଠାନ ପାଇଁ ୧ ହଜାରରୁ ୫ ହଜାର ଟଙ୍କା ଏବଂ ଦ୍ବିତୀୟ ଥର ଉଲ୍ଲଂଘନ କରିଥିବା ଅନୁଷ୍ଠାନ ପାଇଁ ୨ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି। ଅବଶ୍ୟ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉ ନ ଥିବାରୁ ଖୋଦ୍ ରାଜଧାନୀରେ ବି ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖି ନାହାନ୍ତି। ତେବେ ବ୍ୟବସାୟିକ ପ୍ରତିଷ୍ଠାନ ପାଇଁ ଜରିମାନାର ବ୍ୟବସ୍ଥା ଥିଲା ବେଳେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଆଇନ କାହିଁକି ନୀରବ ରହିଛି ବୋଲି ପ୍ରଶ୍ନ ଉଠିଲାଣି। ସରକାରୀ ବ୍ୟବସ୍ଥାରେ ଏପରି ଦୁର୍ବଳତାର ସୁଯୋଗ ନେଇ ସରକାରୀ ବାବୁମାନେ ମନଇଚ୍ଛା ଭାଷା ଉପରେ ଅତ୍ୟାଚାର କରୁଛନ୍ତି। ଏଥି ପାଇଁ ଆଇନରେ ଆବଶ୍ୟକ ବ୍ୟବସ୍ଥା କରିବା ସହ ବ୍ୟବସାୟିକ ପ୍ରତିଷ୍ଠାନ କ୍ଷେତ୍ରରେ ଥିବା ଆଇନକୁ କଡ଼ାକଡ଼ି ଲାଗୁ କରିବାକୁ ବିଭିନ୍ନ ମହଲରେ ଦାବି ଉଠୁଛି।

ସମ୍ବନ୍ଧିତ ଖବର