ପ୍ରଧାନମନ୍ତ୍ରୀଙ୍କ ‘ମନ୍ କୀ ବାତ୍‌’: ସ୍ବଚ୍ଛ ଭାରତ ଅଭିଯାନର ମୂଲ୍ୟବୋଧ ସ୍ମରଣ କରାଇଲେ

ଭାରତରେ ୟୁନିକର୍ଣ୍ଣ ସଂଖ୍ୟା ୧୦୦ ଟପିଲାଣି

ନୂଆଦିଲ୍ଲୀ: ଆମେ ମଠ, ମନ୍ଦିର ଓ ତୀର୍ଥସ୍ଥାନ ଭ୍ରମ‌ଣରେ ଯାଉଛୁ। ଭକ୍ତିଭାବ ସହ ଯାଉଛୁ। ଏହି ଭକ୍ତିଭାବ ସହ ସ୍ବଚ୍ଛତା ମଧ୍ୟ ପାଳନ କରାଯିବା ଉଚିତ ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୮୯ତମ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ କହିଛନ୍ତି। ଭକ୍ତମାନେ ନିଜେ ପରିଚ୍ଛନ୍ନ ରହିବା, ପରିପାର୍ଶ୍ବକୁ ପରିଚ୍ଛନ୍ନ ରଖିବା ଏବଂ ଅନ୍ୟମାନଙ୍କୁ ସେଥିରେ ସାହାଯ୍ୟ କରିବାକୁ ସେ ଅନୁରୋଧ କରିଛନ୍ତି। ମୋଦୀ କହିଲେ ଯେ, ଆମେ ଯେତେବେଳେ ତୀର୍ଥଯାତ୍ରାରେ ଯାଉଛୁ ସେତେବେଳେ ମନରେ ସ୍ବଚ୍ଛ ଭାରତ ଅଭିଯାନର ମୂଲ୍ୟବୋଧ ସ୍ମରଣ ରଖିବା ଉଚିତ ଯାହାଦ୍ବାରା ଅନ୍ୟମାନଙ୍କର କୌଣସି ଅସୁବିଧା ନ ହୁଏ।

ପ୍ରଧାନମନ୍ତ୍ରୀ ମୋଦୀ ‘ଏକ ଭାରତ ଶ୍ରେଷ୍ଠ ଭାରତ’ଠାରୁ ଆରମ୍ଭ କରି ତାଙ୍କର ସଦ୍ୟ ଜାପାନ ଗସ୍ତ ପର୍ଯ୍ୟନ୍ତ ଅନେକ ବିଷୟରେ ତାଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ। ସେ ଭାରତର ‌ଷ୍ଟାର୍ଟ-ଅପ୍ ଓ ୟୁନିକର୍ଣ୍ଣଗୁଡ଼ିକ ବିଷୟରେ ବି କହିଥିଲେ। ଭାରତରେ ୟୁନିକର୍ଣ୍ଣ ସଂଖ୍ୟା ୧୦୦ ଟପିଲାଣି। କୋଭିଡ୍ ମହାମାରୀ ଭଳି ବିପର୍ଯ୍ୟୟ ସତ୍ତ୍ବେ ଦେଶରେ ଷ୍ଟାର୍ଟ-ଅପ୍‌ଗୁଡ଼ିକ ସମ୍ପଦ ଓ ମୂଲ୍ୟ ସୃଷ୍ଟି କରୁଥିବା ସେ କହିଥିଲେ। ଯେଉଁ ଷ୍ଟାର୍ଟଅପ୍‌ର ଟର୍ଣ୍ଣଓଭର ୭,୫୦୦ କୋଟି ଅତିକ୍ରମ କରିଛି ତାକୁ ୟୁନିକର୍ଣ୍ଣ କୁହାଯାଉଛି। ଆମ ଦେଶରେ ବର୍ତ୍ତମାନ ଥିବା ୟୁନିକର୍ଣ୍ଣଗୁଡ଼ିକର ମୋଟ ମୂଲ୍ୟ ୩୩୦ ଶହ କୋଟି ଆମେରିକୀୟ ଡଲାର ଅର୍ଥାତ୍ ୨୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ମୋଦୀ କହିଥିଲେ।

ସମ୍ବନ୍ଧିତ ଖବର