ଯନ୍ତ୍ରଣା ଦାୟକ ମୃତ୍ୟୁର ଅନ୍ୟ ନାମ ତମାଖୁ। ସିଗାରେଟ, ଗଞ୍ଜେଇ, ଗୁଡ଼ାଖୁ, ଗୁଟ୍ଖା ଏ ସବୁ ତମାଖୁ ଅନ୍ତର୍ଭୁକ୍ତ। ନିୟମିତ ତମାଖୁ ବ୍ୟବହାର କରିବା ଯୋଗୁଁ ପ୍ରତି ୮ ସେକେଣ୍ଡରେ ଜଣେ କ୍ୟାନ୍ସରରେ ଆକ୍ରାନ୍ତ ହେଉଛନ୍ତି। ଆମ ଦେଶରେ ୨୫ କୋଟିରୁ ଅଧିକ ତମାଖୁ ଜନିତ କର୍କଟ ରୋଗୀ ଥିବା ବେଳେ ପ୍ରତି ବର୍ଷ ୮ ଲକ୍ଷ ନୂଆ ରୋଗୀ ସୃଷ୍ଟି ହେଉଛନ୍ତି। ତମାଖୁ ସେବନର କୁ-ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ’ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବରେ ପାଳନ କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆମେ ବ୍ୟବହାର କରୁଥିବା ତମାଖୁ ମଧ୍ୟରେ ନିକୋଟିନ୍, ଆମେନିଆ, ଆର୍ସେନିକ୍, କାର୍ବନ୍ ମନୋକ୍ସାଇଡ଼୍, ହାଇଡ୍ରୋଜେନ୍ ସାଇନାଇଡ଼୍ ଓ ନାଫଥାଲିନ୍ ଭଳି ୪୦୦୦ରୁ ଅଧିକ ପ୍ରକାରର ରାସାୟନିକ ପଦାର୍ଥ ରହିଛି। ନିୟମିତ ତମାଖୁ ସେବନ କରିବା ଦ୍ୱାରା ମୁହଁ, ଜିଭ, ଓଠ, ଗାଲ, ସ୍ୱରଯନ୍ତ୍ର ପରି ଅଙ୍ଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥାଏ। ତମାଖୁ ସେବନ କ୍ଷଣିକ ମାନସିକ ଶାନ୍ତି ଦିଏ ସିନା, କିନ୍ତୁ ଯାବତୀୟ ରୋଗକୁ ଆମନ୍ତ୍ରଣ କରିଥାଏ। ସଉକରୁ ତମାଖୁ ଖାଇବା ଆରମ୍ଭ ହୋଇ ଧୀରେ ଧୀରେ ଅଭ୍ୟାସରେ ଏବଂ କିଛି ଦିନ ପରେ ବଦଭ୍ୟାସରେ ପରିଣତ ହୋଇଥାଏ। ଯଦି ଆପଣ ଏହି ବଦଭ୍ୟାସକୁ ଛାଡ଼ି ପାରୁନାହାନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ତମାଖୁର କୁପ୍ରଭାବ
କ୍ୟାନ୍ସରର ମୁଖ୍ୟ କାରଣ ତମାଖୁ
ତମାଖୁରେ ୬୦ ହଜାର ଉପାଦାନ ରହିଛି ଯାହାକି କ୍ୟାନ୍ସର କରିଥାଏ
ନିୟମିତ ତମାଖୁ ଖାଇଲେ ୧୭ ପ୍ରକାର କ୍ୟାନ୍ସର ହୋଇଥାଏ
ନିୟମିତ ତମାଖୁ ସେବନ ଫଳରେ ହୃଦ୍ଘାତ ଓ ମସ୍ତିସ୍କାଘାତ ହୋଇଥାଏ
ରକ୍ତଚାପ ବଢ଼ିବାର ମୁଖ୍ୟ କାରଣ ତମାଖୁ
ତମାଖୁ ସେବନ କରିବା ଦ୍ୱାରା ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା କମିଯାଏ
ତମାଖୁ ସେବନ ମାନସିକ ଚାପ ଓ ଅନିଦ୍ରାର କାରଣ ହୋଇଥାଏ
ନିୟମିତ ତମାଖୁ ଖାଇବା ଫଳରେ ଚର୍ମ ଖରାପ ହୋଇଥାଏ
ଦୃଷ୍ଟିଶକ୍ତି କମିବାର ମୁଖ୍ୟ କାରଣ ତମାଖୁ
ତମାଖୁ ସେବନ ଦ୍ୱାରା ବନ୍ଧ୍ୟାଦୋଷ ସମସ୍ୟା ବଢ଼ିଥାଏ
ତମାଖୁ କିଭଳି ଛାଡ଼ିବେ
ତମାଖୁ ଖାଉଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ
ନିଜ ପାଖରେ ଆଦୌ ତମାଖୁ ରଖନ୍ତୁ ନାହିଁ
ପାଟି ଖାଲି ଖାଲି ଲାଗୁଥିଲେ ଚୁଇଙ୍ଗମ୍, ଅଳେଇଚ, ଲବଙ୍ଗ କିମ୍ବା ଗୁଜୁରାତି ଖାଆନ୍ତୁ
ମନ ବିଚଳିତ ହୋଉଥିଲେ, ଗୋଟିଏ ସ୍ଥାନରେ ନବସି ଚଲାବୁଲା କରନ୍ତୁ
ଦୀର୍ଘ ନିଃଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ
ଧୀରେ କଥା ହୁଅନ୍ତୁ ଏବଂ ଫୋନ୍ରେ ପରିବାର ଲୋକଙ୍କ ସହ କଥା ହୁଅନ୍ତୁ
ଡାକ୍ତର କ୍ଷୀତିଶ ଚନ୍ଦ୍ର ମିଶ୍ର
ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ
କାର୍ସିନୋଭା କ୍ୟାନ୍ସର ହସ୍ପିଟାଲ୍, କଟକ
ମୋ. ୯୪୩୮୧୬୩୨୮୦