ବିଜେପୁରରୁ ଭବାନୀ ଶଙ୍କର ତ୍ରିପାଠୀ
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପୁର ଉପନିର୍ବାଚନର ଫଳାଫଳ କ’ଣ ହେବ? କିଏ କାହାକୁ ମାତ୍ ଦେବ? ଏକ ନମ୍ବର ସ୍ଥାନକୁ ବିଜେପି ଉଠିଯିବ କି? କଂଗ୍ରେସ ଦୁଇ ନମ୍ବର ସ୍ଥାନକୁ ଖସି ଆସିବ କି? ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଯେତିକି ପାଖେଇ ଆସୁଛି ସମଗ୍ର ରାଜ୍ୟରେ ଏମିତି କଳ୍ପନାଜଳ୍ପନା ଜୋର ଧରୁଛି। ଉପ ନିର୍ବାଚନ ପ୍ରଚାର କୋଳାହଳରେ ମଧ୍ୟ କମ୍ପୁଛି ବିଜେପୁର ନିର୍ବାଚନମଣ୍ଡଳୀ। ମାଇକ ପ୍ରଚାର, ସଭା, କର୍ମୀ ସମ୍ମିଳନୀ, ନେତାଙ୍କ କବାଟ କିଳା ବୈଠକ, ଦୁଆର ଦୁଆର ବୁଲି ପ୍ରାର୍ଥୀଙ୍କ ଭୋଟ ଭିକ୍ଷା ଏମିତି କେତେ କ’ଣ। ଯେଉଁ ଅଞ୍ଚଳକୁ ଗଲେ ନିର୍ବାଚନ ତାତି ସ୍ପଷ୍ଟ ପରିପୁଷ୍ଟ ହେଉଛି। ହେଲେ ଆଶ୍ଚର୍ଯ୍ୟର କଥା ହେଲା ଯେ ବରପାଲି ଏନ୍ଏସି ହେଉ କି ବ୍ଲକ, ବିଜେପୁର ଅଥବା ଗାଇସିଲାଟ୍ ସବୁଠାରେ ଭୋଟରଙ୍କ ମଧ୍ୟରେ ଉପନିର୍ବାଚନକୁ ନେଇ ସେମିତି କିଛି ବିଶେଷ ଉଚ୍ଛୁକତା ପରିଲକ୍ଷିତ ହେଉ ନାହିଁ। ଯେଉଁ ଦଳ ଯାଉଛନ୍ତି ତାଙ୍କୁ ହଁ ହାଁ ମାରି ଛାଡ଼ୁଛନ୍ତି। ଭୋଟରଙ୍କ ମନରେ ସରସତା ଦେଖାଯାଉ ନାହିଁ। ଉପନିର୍ବାଚନରେ କାହା ପକ୍ଷ ନେବେ ସେନେଇ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। କେବଳ ସେତିକି ନୁହେଁ, କୌଣସି ନିର୍ଦ୍ଧିଷ୍ଟ ଦଳ କିମ୍ବା ପ୍ରାର୍ଥୀଙ୍କ ସପକ୍ଷରେ ମତ ମନ୍ତବ୍ୟ ଦେବା ଲାଗି ମଧ୍ୟ ଆଗ୍ରହ ଦେଖାଉନାହାନ୍ତି। ଗୋଟିଏ ଧାଡ଼ିରେ କହିଲେ ଉପ ନିର୍ବାଚନର କୋଳାହଳ ଭୋଟରଙ୍କଠାରେ ନାହିଁ। ରାଜନୈତିକ ଦଳମାନେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କିଏ କେଉଁଠାରେ ବଢ଼ୁଛି ଅଥବା ଛିଡ଼ୁଛି ସେନେଇ ବିଭିନ୍ନ ରାଜନୈତିକ ଦଳର ମୁଣ୍ଡିଆଳମାନେ ଠୋସ୍ ଆକଳନ ଲଗାଇପାରୁ ନାହାନ୍ତି। ଭିନ୍ନ ଭିନ୍ନ ନେତା ପୃଥକ ପୃଥକ ପରିସଂଖ୍ୟାନ ରଖୁଛନ୍ତି।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ମଧ୍ୟ ଏହାକୁ ଗମ୍ଭୀରତାର ସହ ନେଉଛନ୍ତି। ଏହି ମହଲର ଯୁକ୍ତି ହେଉଛି କୌଣସି ନା କୌଣସି କାରଣରୁ ତିନି ପ୍ରମୁଖ ରାଜନୈତିକ ଦଳ ସମ୍ଭବତଃ ଭୋଟରଙ୍କୁ ଆକର୍ଷିିତ କରିପାରୁନାହାନ୍ତି। ଏହା ଯେକୌଣସି ଦଳ ପାଇଁ ବିପଦ ଟାଣି ଆଣିବାର ସମ୍ଭାବନା ରଖୁଛି। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସମସ୍ତଙ୍କୁ ଜୁଝିବାକୁ ପଡ଼ିବ କଡ଼ା ଟକ୍କର ଆଡକୁ ନିର୍ବାଚନ ମୁହାଁଇଛି।
ଉଲ୍ଲେଖନୀୟ କଥା ହେଲା ଉପନିର୍ବାଚନରେ ପ୍ରାର୍ଥୀତ୍ୱ ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି। ବିଜେଡି, ବିଜେପି ଏକ୍ଷେତ୍ରରେ ପଛରେ ପଡ଼ିଛନ୍ତି। ସେହିଦୃଷ୍ଟିରୁ କଂଗ୍ରେସ ନିରାପଦରେ ରହିଛି। ହେଲେ ନିର୍ବାଚନରେ ବିରୋଧୀଙ୍କୁ ମାତ୍ ଦେବା ଲାଗି ନେତୃତ୍ୱର ଅଭାବ ଜଳଜଳ ଦିଶୁଛି। ଆଜି ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, କିଶୋର ପଟେଲ, ଶରତ ରାଉତ ପ୍ରମୁଖ ରୁଦ୍ଧଦ୍ୱାର ବୈଠକ କରିଥିଲେ। କର୍ମୀ ଆଶାବାଦୀ ଯେ ନିଶ୍ଚୟ କିଛି ରଣନୀତି ଆଙ୍କିଥିବେ। କିନ୍ତୁ ଏହା କେବେ କାର୍ଯ୍ୟରେ ପରିଣତ ହେବ ସେକଥା କେହି କହିପାରୁ ନାହାନ୍ତି। ପ୍ରଚାରରେ ମଧ୍ୟ କଂଗ୍ରେସ ପଛରେ ପଡ଼ିଛି। କିନ୍ତୁ କୌତୂହଳ ବିଷୟ ହେଉଛି ଯେ ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଫଟୋ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପ୍ରଚାରପତ୍ରରେ ଦେଖିବାକୁ ମିଳୁଛି। ସୁବଳଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ଅନୁକମ୍ପା ଓ ତାଙ୍କ ପ୍ରତି ଥିବା ଲୋକଙ୍କ ଭଲ ପାଇବାରେ ପ୍ରଣୟ ଭାଗ ବସାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ବିଜେପି କଡ଼ା ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛି। ଦଳର ବିଭିନ୍ନ ବର୍ଗର ରାଜ୍ୟ ତଥା ଜିଲ୍ଲାସ୍ତରୀୟ ନେତା ଏଠାରେ ଡେରା ପକାଇଛନ୍ତି। ଆଜିଠାରୁ ଦଳ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରିଛି। ବିଜେଡିକୁ ଟକ୍କର ଦେବା ଲାଗି ଗତକାଲି ଦଳରେ ଯୋଗଦେଇଥିବା ଅଭିନେତ୍ରୀ ମହାଶ୍ୱେତା ଓ ଅଭିନେତା ମିହିର ଦାସ ଆଜି ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ତାଙ୍କ ନିର୍ବାଚନ ପ୍ରଚାର ବେଳେ ବୁଣାକାର ବର୍ଗଙ୍କ ମନ କିଣିବା ଲାଗି ପ୍ରୟାସ କରିଛନ୍ତି। ବିଜେପି ତାଲିକା ଦେଖିଲେ ଜଣାପଡ଼ୁଛି ଯେ ସାଧ୍ୱୀ ନିରଞ୍ଜନ ଜ୍ୟୋତି, ଗିରିରାଜ ସିଂ, ରାମକ୍ରିପାଲ ଯାଦବ, ସ୍ମୃତି ଇରାନୀଙ୍କ ଭଳି କେନ୍ଦ୍ରମନ୍ତ୍ରୀ ପ୍ରଚାରକୁ ଆସିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ପ୍ରଚାରର ମଙ୍ଗ ଧରିବେ। ବିଜେପି କିନ୍ତୁ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରସଙ୍ଗ ସୃଷ୍ଟି କରିବାରେ ସଫଳ ହୋଇପାରି ନାହିଁ। କୁନ୍ଦୁଲିଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନେତାମାନଙ୍କ ଭାଷା ଭୋଟରଙ୍କୁ ବିଶେଷ ପ୍ରଭାବିତ କରିପାରିନି। ବରଂ ପୁରୁଣା ବିଜେପି, ନୂଆ ବିଜେପି ଏମିତି ଏକ ସମୀକରଣ ଦଳ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବିଜେପି ପ୍ରତି ଲୋକଙ୍କ ଭଲ ପାଇବା ଯଥେଷ୍ଟ ପରିଲକ୍ଷିତ ହେଉଛି। ହେଲେ ଦଳର ବିଧାୟକ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଖାତାକୁ ଏସବୁ ଯାଇପାରିବ କି ନାହିଁ ତାହା ଆକଳନ କରିବା ମୁସ୍କିଲ୍।
ବିଜେଡିର ମାଳ ମାଳ ନେତା ଗାଁ, ଗଣ୍ଡା, ସହର, ବଜାର ସବୁଠାରେ ଛାଇ ଯାଇଛନ୍ତି। ପ୍ରଚାରରେ ଦଳ ଆଗରେ ରହିଛି। ଏକଥା ଯିଏ ଦେଖିବ ସିଏ କହିବ। ମାତ୍ର ସ୍ଥାନୀୟ ବିଜେଡିରେ ଏବେ ତିନି ଗୋଷ୍ଠୀ। ପ୍ରାର୍ଥୀ ରିତା ସାହୁଙ୍କ ସହ କଂଗ୍ରେସରୁ ଆସିଥିବା କର୍ମୀ, ବିଜେପି ଛାଡ଼ି ବିଜେଡି ମୁହାଁ ହୋଇଥିବା କର୍ମୀଙ୍କୁ ଏକାଠି ନେଇ ଆଗକୁ ଯିବା ଦଳର କାର୍ପଟଦାରଙ୍କ ଲାଗି ଏବେ ଚାଲେଞ୍ଜ ହୋଇଯାଇଛି। ସାଧାରଣ ନିର୍ବାଚନ ପରେ ଏହି ଆସନର ପରାଜିତ ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ରାଜ୍ୟସଭାକୁ ପଠାଯିବା ପରେ ସମ୍ଭବତଃ ଦଳୀୟ କର୍ମୀ ନେତାଙ୍କ ନଜର ଆଢ଼ୁଆଳକୁ ଚାଲି ଯାଇଥିଲେ। ଏବେ ସେମାନଙ୍କୁ ବିଜେଡି ମନସ୍କ କରି ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ମଇଦାନଙ୍କୁ ଛାଡ଼ିବା ଉଦ୍ୟମରେ ନେତାଏ ନାକେଦମ୍ ହେଲେଣି।