ଥାନା ସମ୍ମୁଖରେ ପୀଡ଼ିତାଙ୍କ ହାଇଡ୍ରାମା: ଦୁଷ୍କର୍ମ ଅଭିଯୁକ୍ତକୁ ବାହା ହେବା ପାଇଁ ବିଷପାନ ଉଦ୍ୟମ
ଭୁବନେଶ୍ବର : ପ୍ରଥମେ ଅସଦାଚରଣ ଅଭିଯୋଗ ଆଣିଲେ। ତେଣୁ ପୁଲିସ ଅଭିଯୁକ୍ତକୁ ବାନ୍ଧି ଜେଲ୍ ପଠାଇଦେଲା। ସେ ଜେଲ୍ରୁ ଫେରିବା ପରେ ପୁଣି ଉକ୍ତ ମହିଳା ତାଙ୍କ ବିରୋଧରେ ଆଣିଲେ ଦୁଷ୍କର୍ମ ଅଭିଯୋଗ। ଅସଦାଚରଣ ଅଭିଯୋଗର ପ୍ରତିଶୋଧ ପାଇଁ ଅଭିଯୁକ୍ତ ତାଙ୍କୁ ଘରେ ପଶି ଜୋର୍ଜବରଦସ୍ତ ଦୁଷ୍କର୍ମ କରିଛି ବୋଲି ମହିଳା ସଙ୍ଗିନ୍ ଅଭିଯୋଗ କଲେ। ତେଣୁ ପୁଲିସ ବହୁ ଖୋଜାଖୋଜି କରି ଅଭିଯୁକ୍ତକୁ ଗିରଫ କଲା ଓ କୋର୍ଟ ଚାଲାଣ କଲା। ମାତ୍ର ତାକୁ କୋର୍ଟ ଚାଲାଣ କରିବା ବେଳେ ଉକ୍ତ ମହିଳା ଥାନା ସମ୍ମୁଖରେ ପୁଣି ଆରମ୍ଭ କଲେ ନୂଆ ନାଟକ। ଦୁଷ୍କର୍ମ ଅଭିଯୁକ୍ତକୁ ବାହା ହେବାକୁ ଜିଦ୍ କଲେ ଓ ବିଷ ବୋତଲ ଧରି ପୁଲିସକୁ ଚେତାବନୀ ଦେଲେ। ଏମିତି ଏକ ଅଜବ ସ୍ଥିତିକୁ ନେଇ ଆଜି ନୂଆପଲ୍ଲୀ ଥାନା ପୁଲିସ ଅଡ଼ୁଆରେ ପଡ଼ିଥିଲା। ତେବେ ମହିଳାଙ୍କ ମାନସିକ ସ୍ଥିତି ବିଗିଡ଼ିଥିବାରୁ ତାଙ୍କୁ ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାଟି ଥିଲା ଏମିତି। ସାଲିଆସାହିରେ ରହୁଥିବା ଏହି ମହିଳା ଜାନୁଆରି ମାସରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଯେ ଉକ୍ତ ବସ୍ତିର ଶଙ୍କର କହଁର ତାଙ୍କୁ ଅସଦାଚରଣ କରିଥିଲା। ତେଣୁ ପୁଲିସ ଅଭିଯୁକ୍ତ ଶଙ୍କରକୁ କୋର୍ଟ ଚାଲାଣ କରିଥିଲା। ଜୁଲାଇ ପ୍ରଥମ ସପ୍ତାହରେ ଶଙ୍କର ଜାମିନ୍ରେ ଆସିଥିଲା। ଗତ ୮ତାରିଖ ଦିନ ମହିଳା ପୁଣି ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଯେ ଶଙ୍କର ତାଙ୍କୁ ଦୁଷ୍କର୍ମ କରିଛି। ଅସଦାଚରଣ ଅଭିଯୋଗର ପ୍ରତିଶୋଧ ନେବାକୁ ଶଙ୍କର ତାଙ୍କ ଘରେ ପଶି ଦୁଷ୍କର୍ମ କରିଛି। ତେଣୁ ନୂଆପଲ୍ଲୀ ଥାନା ପୁଲିସ ପୁଣି ଏକ ମାମଲା ରୁଜୁ କରିଥିଲା ଓ ୧୮ତାରିଖ ଦିନ ଶଙ୍କରକୁ ନୟାଗଡ଼ରୁ ଗିରଫ କରିଥିଲା। ଆଜି ମଧ୍ୟାହ୍ନରେ ପୁଲିସ ଶଙ୍କରକୁ କୋର୍ଟ ଚାଲାଣ କରୁଥିବା ବେଳେ ପୀଡ଼ିତା ଥାନାକୁ ଆସି ପୁଣି ନାଟକ ଆରମ୍ଭ କରିଥିଲେ। ସେ ଶଙ୍କରଙ୍କୁ ହିଁ ବିବାହ କରିବେ ବୋଲି ଜିଦ୍ କରି ବିଷ ପିଇବାକୁ ଉଦ୍ୟମ କରି ହଙ୍ଗାମା କରିଥିଲେ।