ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ବା ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଆସନ୍ତା ୭ ତାରିଖ ବେଳକୁ ଏହା ଏକ ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଏପରିକି ଏହି ଲଘୁଚାପ ଆହୁରି ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହୋଇପାରେ ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ।
ଏହି ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ ଭାରତର କେତେକ ରାଜ୍ୟରେ ଦୁର୍ବଳ ହୋଇପଡ଼ିଥିବା ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଛି । ଜୁଲାଇ ମଧ୍ୟଭାଗ ସୁଦ୍ଧା ହାରାହାରି ବୃଷ୍ଟିପାତ ୧୧୪ ପ୍ରତିଶତ ଥିବାବେଳେ ଅଗଷ୍ଟ ପ୍ରଥମ ସପ୍ତାହବେଳକୁ ତାହା ୧୦୬ ପ୍ରତିଶତକୁ ଖସିଆସିଛି । କିନ୍ତୁ ଆଗାମୀ ଲଘୁଚାପ ଫଳରେ ଦୁର୍ବଳ ହୋଇଥିବା ମୌସୁମୀ ପୁଣି ସକ୍ରିୟ ହୋଇ ପ୍ରବଳ ବର୍ଷା କରାଇବ । ଏହାର ପ୍ରଭାବରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼, ମହାରାଷ୍ଟ୍ର, ଗୁଜୁରାଟ ଓ ରାଜସ୍ଥାନରେ ବର୍ଷା ହେବ । ଏହା ଫଳରେ କେତେକ ରାଜ୍ୟରେ ଦେଖାଦେଇଥିବା ନିଅଣ୍ଟିଆ ବର୍ଷା ପରିସ୍ଥିତି ମଧ୍ୟ ଦୂର ହେବାର ସମ୍ଭାବନା ରହିଛି ।
ଅଗଷ୍ଟ ୧୧ ବେଳକୁ ଏହି ଲଘୁଚାପକ୍ଷେତ୍ର ଆରବ ସାଗରରେ ପ୍ରବେଶ କରି ପାକିସ୍ତାନ ଉପକୂଳ ଦେଇ ଓମାନ ଓ ପାରସ୍ୟ ଉପସାଗର ଆଡ଼କୁ ଯିବ । ଆରବ ସାଗର ଅତିକ୍ରମ କରିବା ସମୟରେ ଏହା ପୁଣି ବଳ ଗୋଟାଇବାର ସମ୍ଭାବନା ରହିଛି ।