ଖଣି ମାଫିଆ ଆକ୍ରମଣ କରିଥିବା ଅଭିଯୋଗ କଲେ ରାଜସ୍ଥାନ ‘ବିଜେପି’ ସାଂସଦ; ପୁଲିସର ନିଷ୍କ୍ରିୟତାକୁ ବିରୋଧ କରି ଦେଇଛନ୍ତି ଧାରଣା
ନୂଆଦିଲ୍ଲୀ: ତାଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଖଣି ମାଫିଆମାନେ ତାଙ୍କ କାର୍ ଉପରେ ଆକ୍ରମଣ କରିଥିବା କଥା ଆଜି ରାଜସ୍ଥାନ ଭରତପୁରର ‘ବିଜେପି’ ସାଂସଦ ରଞ୍ଜିତା କୋଲି ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ତାଙ୍କ ଅଭିଯୋଗ ଉପରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଦର୍ଶାଇ ସେ ଧାରଣା ମଧ୍ୟ ଦେଇଛନ୍ତି।
ଗଣମାଧ୍ୟମକୁ ସାଂସଦ କୋଲି କହିଛନ୍ତି, ଓଭର୍ଲୋଡ୍ ହୋଇଥିବା ପ୍ରାୟ ୧୫୦ଟି ଟ୍ରକ୍ ମୁଁ ଦେଖିଲି। ମୁଁ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ସେମାନେ ଖସି ପଳାଇଲେ। ମୁଁ କାର୍ରେ ଅଛି ବୋଲି ଭାବି ସେମାନେ ଟେକାପଥର ଫିଙ୍ଗି ମୋ କାର୍ ନଷ୍ଟ କରିଦେଲେ। ମତେ ହତ୍ୟା କରାଯାଇଥାଆନ୍ତା କିନ୍ତୁ, ଏହି ଆକ୍ରମଣ ମତେ ଭୟଭୀତ କରିପାରିବ ନାହିଁ।
ଜିଲ୍ଲା ମାଜିଷ୍ଟ୍ରେଟ୍ ଆଲୋକ ରଞ୍ଜନ କହିଛନ୍ତି, ଆମେ ବିଜେପି ସାଂସଦଙ୍କ ନିକଟରେ ପହଞ୍ଚି ଅଭିଯୋଗ ଦାଏର କରିବାକୁ କହିଛୁ। ଓଭର୍ଲୋଡ୍ ହୋଇଥିବା ଟ୍ରକ୍ ତାଙ୍କ ଉପରକୁ ଟେକାପଥର ଫିଙ୍ଗିଥିବା ଅଭିଯୋଗ କରି ସେ ଧାରଣାରେ ବସିଛନ୍ତି। ଆମେ ସେଠାରେ ପହଞ୍ଚି ଅଭିଯୋଗ ପତ୍ର ଦାଏର କରିବାକୁ କହିବାରୁ ସେ ତାହା କରିଛନ୍ତି। ସେ ଅଭିଯୋଗ କରିଛନ୍ତି କି, ନିକଟବର୍ତ୍ତୀ ଥାନାଗୁଡ଼ିକରେ ତାଙ୍କ ଅଭିଯୋଗ ଉପରେ କୌଣସି ତତ୍ପରତା ଦେଖା ଦେଇ ନ ଥିଲା। ଏ କଥା ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ଅବଗତ କରାଇ ଦିଆଯାଇଛି।
ଏ ଘଟଣାକୁ ନିନ୍ଦା କରି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ୍ କହିଛନ୍ତି, ରାଜସ୍ଥାନରେ ଆଇନଶୃଙ୍ଖଳାର ଅଭାବ ଯୋଗୁଁ ମାଫିଆମାନେ ରାଜ୍ୟ ଶାସନ କରୁଛନ୍ତି। ଆମ ସାଂସଦ ରଞ୍ଜିତା କୋଲିଙ୍କୁ ଆକ୍ରମଣ କରିବା ପାଇଁ ସେମାନଙ୍କର ସତ୍ସାହସ ହୋଇଛି। ଏହା ତାଙ୍କ ଉପରେ ପ୍ରଥମ ନୁହେଁ, ୪ର୍ଥ ଆକ୍ରମଣ। ରାଜସ୍ଥାନରେ ଆଇନଶୃଙ୍ଖଳାର ଅଧୋଽପତନ ଘଟୁଛି। ଦଳିତ ଓ ମହିଳାମାନଙ୍କ ପ୍ରତି ଅପରାଧ ବୃଦ୍ଧି ପାଉଛି।