ଚାକିରି ମିଳିଲାନି ବୋଲି ପୋଡିଲେ ତ୍ରିରଙ୍ଗା, ପତାକା ପୋଡି ଭିଡିଓ ଅପଲୋଡ଼ କରିବା ଘଟଣାରେ ଯୁବକ ଗିରଫ

ରାୟବରେଲୀ: ତ୍ରିରଙ୍ଗା ପତାକା ପୋଡିବା ଏବଂ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିଥିବା ଜଣେ ଯୁବକକୁ ଉତ୍ତରପ୍ରଦେଶର ରାୟବରେଲୀ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ନରେନ୍ଦ୍ର ସାଇନି (୨୭) ହୋଇଥିବାବେଳେ ତାଙ୍କୁ ଶିବଗଡରୁ ଗିରଫ କରାଯାଇଛି। ଜାତୀୟ ପତାକାକୁ ଅପମାନିତ କରିଥିବାରୁ ତାଙ୍କୁ ଅପରାଧିକ ଆଇନ ସଂଶୋଧନ ଆଇନର ଧାରା ୭ ଅନୁଯାୟୀ ଗିରଫ କରାଯାଇଛି। ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଦୀର୍ଘ ଦିନ ଧରି ଚେଷ୍ଟା କରିବା ସତ୍ତ୍ୱେ ଚାକିରି ନ ମିଳିବାରୁ ଯୁବକଜଣକ ନିରାଶ ହୋଇପଡିଥିଲେ। ପ୍ରାୟ ତିନିମାସ ପୂର୍ବେ ତାଙ୍କ ପିତାମାତାଙ୍କ ସହ ମଧ୍ୟ ଝଗଡା ହୋଇଥିଲା, ଏହା ପରେ ସେ ଘରୁ ଚାଲିଆସିଥିଲେ ।

ନରେନ୍ଦ୍ର କିମ୍ବା ତାଙ୍କ ପରିବାର ସଦସ୍ୟଙ୍କ ନାମରେ କୌଣସି ଅପରାଧିକ ରେକର୍ଡ ମିଳି ନାହିଁ ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ମୁତାବକ ସେପ୍ଟେମ୍ବର ୧୬ ତାରିଖ ସକାଳେ ଅଭିଯୁକ୍ତଜଣକ ତ୍ରିରଙ୍ଗା ଜାଳିବାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ। ପରେ ଶନିବାର ସନ୍ଧ୍ୟାରେ ତାଙ୍କୁ ଶିବଗଡ ଅଞ୍ଚଳର ଜଗଦୀଶପୁର ଗ୍ରାମରୁ ଗିରଫ କରାଯାଇଥିଲା।

ନରେନ୍ଦ୍ର ତ୍ରିରଙ୍ଗା ଜାଳିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ଲୋକମାନେ ଏହାକୁ ବିରୋଧ କରିବାକୁ ଲାଗିଲେ। ତାଙ୍କୁ ଗିରଫ କରାଯିବାକୁ ଦାବି ଉଠିଥିଲା | କିଛି ଲୋକ ପୁଲିସକୁ ଟ୍ୟାଗ୍ କରି ଏହି ଯୁବକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସମ୍ବନ୍ଧିତ ଖବର