ଗବେଷଣା ପାଇଁ ବିଦେଶ ଯିବେ ଅରୁଣ

ତିନି ବର୍ଷର ନ୍ୟାୟିକ ସଂଘର୍ଷ ପରେ ବିଜୟ

ନୂଆଦିଲ୍ଲୀ: ଦୀର୍ଘ ତିନି ବର୍ଷର ନ୍ୟାୟିକ ଲଢ଼େଇ ପରେ ଶେଷରେ ବିଜୟ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଗମହାରିଗୁଡ଼ାର ଅରୁଣ ମହାନନ୍ଦ। ଜଣେ ଦିନମଜୁରିଆଙ୍କ ପୁଅ ତଥା ଦଳିତ ବର୍ଗର ଅରୁଣ ବ୍ରିଟେନ୍‌ର ଏସକ୍ସ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି କରିବା ପାଇଁ ଯିବେ। ଏଥି ପାଇଁ ସେ ନଭେମ୍ବରରେ ବ୍ରିଟେନ୍‌ ଯିବେ ବୋଲି ଅରୁଣ ‘ସମ୍ବାଦ’କୁ କହିଛନ୍ତି। ସେଠାରେ ସେ ଚାରି ବର୍ଷ ପର୍ଯ୍ୟନ୍ତ ‘ଓଡ଼ିଶାରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥା: ମୁକ୍ତ କଏଦୀଙ୍କୁ ନେଇ ଏକ ଅନ୍ତର୍ଦୃଷ୍ଟି’ ଶୀର୍ଷକ ବିଷୟରେ ତାଙ୍କ ପିଏଚ୍‌ଡି ପାଠ୍ୟକ୍ରମ ଜାରି ରଖିବେ। ଚାରି ବର୍ଷର ଏହି ଅବଧି ମଧ୍ୟରେ ସେ କେବଳ ଦୁଇ ମାସ ଓଡିଶାକୁ କ୍ଷେତ୍ର ପରିଦର୍ଶନରେ ଆସିବେ। କୋର୍ଟଙ୍କ ଆଦେଶ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ବିଦେଶରେ ପିଏଚ୍‌ଡି କରିବା ପାଇଁ ପାଣ୍ଠି ‌ଯୋଗାଡ଼ କରିବାକୁ ଗତ ତିନି ବର୍ଷ ହେଲା ସେ ଯେଉଁ ନ୍ୟାୟିକ ଲଢ଼େଇ ଜାରି ରଖିଥିଲେ ଶେଷରେ ସେଥିରେ ବିଜୟ ହୋଇଛନ୍ତି ବୋଲି ଏହି ଅବସରରେ ସେ କହିଛନ୍ତି।

ବିଦେଶରେ ପିଏଚ୍‌ଡି କରିବା ପାଇଁ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ସେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟକୁ ‘ଜାତୀୟ ଦରିଆପାରି ସ୍କଲାରସିପ୍‌’ ପାଇଁ ଆବେଦନ କରିଥିଲେ। ତେବେ କୌଣସି ନା ‌କୌଣସି କାରଣ ଦର୍ଶାଇ ତାଙ୍କ ଆବେଦନକୁ ମନ୍ତ୍ରାଳୟ ନାକଚ କରିଦେଇଥିଲା। ବ୍ରିଟେନ୍‌ର ଏସକ୍ସ ବିଶ୍ବବିଦ୍ୟାଳୟରେ ସେ ପିଏଚ୍‌ଡିରେ ନାମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିସାରି ଥିବାରୁ ଏହି ସ୍କଲାରସିପ୍‌ ହାସଲ ତାଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଥିଲା।

ଶେଷରେ ସେ ନ୍ୟାୟ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଅରୁଣଙ୍କୁ ସ୍କଲାରସିପ୍‌ ପ୍ରଦାନ ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେବା ପରେ ଅରୁଣଙ୍କ ବିଦେଶରେ ଗବେଷଣା କରିବା ସ୍ବପ୍ନ ସାକାର ହେବାକୁ ଯାଉଛି। ଦିଲ୍ଲୀ ହାଇକୋର୍ଟ ଅଗଷ୍ଟ ୩୧ରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବା ପରେ ଚଳିତ ମାସ ୨୧ରେ ମନ୍ତ୍ରାଳୟ ପକ୍ଷରୁ ଆଦେଶ ଜାରି କରାଯାଇଛି।

ସମ୍ବନ୍ଧିତ ଖବର