ଧୁମ୍ଧାମ୍ରେ ପାଳିତ ହେବ ଶାନ୍ତିସ୍ତୂପ ସୁବର୍ଣ୍ଣ ଜୟନ୍ତୀ
ବୁଲିଲେ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଦୁଇଦିନ ଭିତରେ ନବୀକରଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ
ଭୁବନେଶ୍ବର : ଧଉଳି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଠାରେ ଚାଲିଥିବା ନବୀକରଣ କାର୍ଯ୍ୟକୁ ଦୁଇଦିନ ଭିତରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ରବିବାର ଅପରାହ୍ନରେ ଶାନ୍ତିସ୍ତୂପ ପରିଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ଚାଲିଥିବା ସଂରକ୍ଷଣ ଏବଂ ନବୀକରଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ସେଠାରେ କାର୍ଯ୍ୟରତ ଇଞ୍ଜିନିୟର ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶାନ୍ତିସ୍ତୂପରେ ଚାଲିଥିବା ମୁଖ୍ୟ କାର୍ଯ୍ୟଗୁଡ଼ିକ ମଧ୍ୟରେ ଅଛି ଷ୍ଟ୍ରକ୍ଚରାଲ୍ ଗ୍ରାଉଟିଂ, ମାଇକ୍ରୋ କଂକ୍ରିଟିଂ, ଲ୍ୟାଣ୍ଡସ୍କେପିଂ, ସୌନ୍ଦର୍ଯ୍ୟକରଣ, ଆଣ୍ଟି କାର୍ବନ ପେଣ୍ଟିଂ ଓ ୱାଟର ପ୍ରୁଫିଙ୍ଗ୍, ପାର୍ଶ୍ବବର୍ତ୍ତୀ ଅଞ୍ଚଳର ବିକାଶ, ବଜ୍ରାଘାତରୁ ଶାନ୍ତିସ୍ତୂପକୁ ରକ୍ଷା କରିବା ପାଇଁ ଉପଯୁକ୍ତ ଆର୍ଥିଂ ବ୍ୟବସ୍ଥା, ସ୍ତୂପ ଉପରଭାଗ ପର୍ଯ୍ୟନ୍ତ ଲିଫ୍ଟ, ପାନୀୟ ଜଳ ବ୍ୟବସ୍ଥା, ଏହି ସ୍ତୂପକୁ ସଂଯୋଗ କରୁଥିବା ପ୍ରତ୍ୟେକ ରାସ୍ତାର ଉନ୍ନତୀକରଣ, ସ୍ତୂପ ଭିତରେ ଓ ବାହାରେ ଉପଯୁକ୍ତ ଆଲୋକ ବ୍ୟବସ୍ଥା, ‘ଲାଇଟ୍ ଆଣ୍ଡ ସାଉଣ୍ଡ’ ସୋ ପାଇଁ ଉପଯୁକ୍ତ ବ୍ୟବସ୍ଥା ପ୍ରଭୃତି ପ୍ରମୁଖ ରହିଛି। ଅଧିକାଂଶ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ କେତେକ ଶେଷ ପର୍ଯ୍ୟାୟରେ ରହିଛି। ଓଡିଶା ବ୍ରିଜ୍ ନିର୍ମାଣ ନିଗମ ଓ ପୂର୍ତ୍ତ ବିଭାଗର ଇଞ୍ଜିନିୟରମାନେ ନିୟମିତ ଏହି କାର୍ଯ୍ୟକୁ ତଦାରଖ କରିବା ସହ ସରକାରଙ୍କୁ ରିପୋର୍ଟ ପ୍ରଦାନ କରୁଛନ୍ତି।
ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ସେଠାରେ ଉପସ୍ଥିତ ସାଧୁମାନଙ୍କ ସହ ଆଲୋଚନା କରିଥିଲେ। ଏହି ନବୀକରଣ କାର୍ଯ୍ୟକୁ ସେମାନେ ପ୍ରସଂଶା କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏଠାରେ ହଜାର ହଜାର ସାଧୁସନ୍ଥଙ୍କ ସମାଗମ ହେବାକୁ ଥିବାରୁ ଏହି ନବୀକରଣ କାର୍ଯ୍ୟର ଆବଶ୍ୟକତା ଥିବା ସେମାନେ କହିଥିଲେ।
ଧଉଳି ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆସନ୍ତା ୨୭ ତାରିଖ ବା ଗୁରୁବାର ଦିନ ରାଜଭବନ ଛକରୁ ଶାନ୍ତିସ୍ତୂପ ପର୍ଯ୍ୟନ୍ତ ଏକ ଶାନ୍ତି ଶୋଭାଯାତ୍ରା ହେବ। ଏଥିରେ ଦେଶବିଦେଶରୁ ହଜାର ହଜାର ସାଧୁ ଯୋଗ ଦେବେ। ୨୮ ତାରିଖ ସକାଳ ୯ଟା ୪୫ରୁ ଏଠାରେ ପୂଜାପାଠ ଓ ଶାନ୍ତି ପ୍ରାର୍ଥନା ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବ ବିଶ୍ବ ବୌଦ୍ଧ ଧର୍ମାବଲମ୍ବୀଙ୍କ ପାଇଁ ଆନନ୍ଦର ଦିନ ହେବ ଏବଂ ଓଡ଼ିଶା ପାଇଁ ଗୌରବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି।