ପୋଖରୀରେ ଗାଧୋଇବା ବେଳେ ଗୋଡ଼ ଖସିଗଲା, ବୃଦ୍ଧଙ୍କ ମୃତ୍ୟୁ

ବୈପାରିଗୁଡା: ପୋଖରୀକୁ ଗାଧୋଇବାକୁ ଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତର ମାଣ୍ଡେକଝରଣ ଗ୍ରାମର ଶାଗି ଖରା (୫୭) ଆଜି ସକାଳ ସାଢେ ନଅଟା ବେଳକୁ ଗ୍ରାମ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ତାଙ୍କ ସହିତ ଗ୍ରାମର କିଛି ଛୋଟ ପିଲା ମଧ୍ୟ ଗାଧୋଉଥିଲେ। ପିଲାମାନେ ପୋଖରୀ କୂଳରେ ଗାଧୋଉଥିବା ବେଳେ ଶାଗି ଖରା ପୋଖରୀ ଭିତରକୁ ଗଭୀର ପାଣି ଭିତରେ ପଶି ଗାଧୋଉଥିବା ବେଳେ ଗୋଡ଼ ଖସିଯିବା କାରଣରୁ ଗଭୀର ପାଣି ଭିତରେ ବୁଡ଼ି ଯାଇଥିଲେ। ଏହା ଦେଖି ପୋଖରୀ ପାଖରେ ଗାଧୋଉଥିବା ପିଲାମାନେ ଗାଁ ଲୋକଙ୍କୁ ଡାକିବାରୁ କିଛି ଲୋକ ପୋଖରୀ ନିକଟରେ ପହଞ୍ଚି ଶାଗିଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ।

ତେବେ ପୋଖରୀ ଖୁବ୍ ଗଭୀର ଥିବା ବେଳେ ବର୍ଷା ଯୋଗୁଁ ପାଣି ଭର୍ତ୍ତି ହୋଇଥିବାରୁ ଉଦ୍ଧାର କରି ନପାରି ରାମଗିରି ଫାଣ୍ଡି ଏଏସ୍ଆଇ ବଳରାମ ହିକକା ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ। ଏଏସ୍ଆଇ ବଳରାମ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବୈପାରିଗୁଡା ସ୍ଥିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗର ଇନଚାର୍ଜ ଉମେଶ ଚନ୍ଦ୍ର ବାଗ୍, ଆଗ୍ନିକ ଠାକୁର ଚାଲାଣ, ଏମ୍ ଶବର ବି ସାହୁ ଓ ଜି.ହିକିମ୍ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶାଗିଙ୍କୁ ତିନି ଘଣ୍ଟା ପରେ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଧାର କରିଥିଲେ। ପୁଲିସ ଶାଗିଙ୍କ ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର