ରାଉରକେଲା: ମା’ ଓ ଭାଉଜଙ୍କୁ ପ୍ରଥମେ ଛୁରିରେ ପ୍ରାଣାନ୍ତକ ଆକ୍ରମଣ ଓ ପରେ ନିଜ ଗଳାକୁ କାଟିଛନ୍ତି ଜଣେ ଯୁବକ। ଏମିତି ଅଭାବନୀୟ ଘଟଣା ଘଟିଛି ବନ୍ଧମୁଣ୍ଡା ରେଳବାଇ କଲୋନି। ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍ଜିଏଚ୍)ରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ଜୁଡ୍ ଉଲ୍ସନ୍ କିସପଟ୍ଟା ଓ ତାଙ୍କ ମା’ ଇଗ୍ନାସିଆ କିସ୍ପଟ୍ଟା(୫୨), ଭାଉଜ ଉଲ୍ସନ୍ ସୁଭାସିନୀ। ଏମାନନଙ୍କ ମଧ୍ୟରୁ ଜୁଡ୍ ଉଲ୍ସନ୍ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ନିଶା ସେବନ ପରେ ଜୁଡ୍ ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ବନ୍ଧମୁଣ୍ଡା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ବନ୍ଧମୁଣ୍ଡା ରେଳବାଇ କଲୋନି ସେକ୍ଟର-ଇରେ ରେଳବାଇ ଡିଜେଲ ସେଡର ଟେକ୍ନିସିଆନ୍ କର୍ମଚାରୀ ଜନ୍ କିସ୍ପଟ୍ଟା ସାନଭାଇ ଜୁଡ୍ ରହନ୍ତି। ଆଜି ସକାଳେ କୌଣସି କଥାକୁ ନେଇ ଜୁଡ୍ ନିଜ ମା’ ଇଗ୍ନାସିଆଙ୍କ ଗଳାକୁ ଧାରୁଆ ଛୁରିରେ କାଟି ଦେଇଥିଲେ। ଇଗ୍ନାସିଆଙ୍କ ଚିତ୍କାର କରିବାରୁ ଭାଉଜ ଘରୁ ଦୌଡି ଆସିଥିଲେ। ଜୁଡ୍ ମା’ଙ୍କୁ ଛାଡି ଭାଉଜଙ୍କ ପେଟ ଓ ପିଠିକୁ ଛୁରିରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ପରେ ଜୁଡ୍ ନିଜ ବେକକୁ ମଧ୍ୟ କାଟି ପକାଇଥିଲେ। ସ୍ଥାନୀୟ ଲୋକ ତିନି ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲ ଓ ପରେ ଆର୍ଜିଏଚ୍କୁ ପଠାଇଥିଲେ।